Odisha news

ରାଜକନିକା ରେ ଜିଲ୍ଲାସ୍ତରୀୟ ଯାତ୍ରାକମିଟି ବୈଠକ 

0
ରାଜକନିକା ତା ୨୭/୦୬ : ରାଜକନିକା ବ୍ଲକ ଯାତ୍ରା କମିଟି ପକ୍ଷରୁ ଓଳାଭର ଯାତ୍ରା କମିଟି ସଭାଗୃହରେ ବ୍ଳକ ସଭାପତି ତ୍ରିଲୋଚନ ବିଶ୍ଵାଳଙ୍କ ସଭାପତିତ୍ବରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଓଳାଭର ଯାତ୍ରା କମିଟି ସମ୍ପାଦକ ଶ୍ରୀନିବାସ ଓଝାଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମିହିର ସାମଲ , ମୁଖ୍ୟବକ୍ତା ଭାବେ ଜିଲ୍ଲା ସମ୍ପାଦକ ପ୍ରଫେସର ବୈକୁଣ୍ଠ ନାଥ ପରିଡା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପଦେଷ୍ଟା କମିଟି ଅଧ୍ୟକ୍ଷ ଜ୍ଞାନ ବଲ୍ଲଭ ମହାନ୍ତି , କୋଷାଧ୍ୟକ୍ଷ ଗଣେଶ ପଟ୍ଟନାୟକ,ଉପ ସଭାପତି ମହେଶ୍ଵର ସେଠୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଯାତ୍ରା କମିଟି ଗୁଡ଼ିକ ଯାତ୍ରା ମାଲିକ ମାନଙ୍କର ଆକାଶ ଛୁଆଁ ଦରବୃଦ୍ଧି ସହିତ ଅବାଞ୍ଛିତ ଦାବି ଯୋଗୁଁ କମିଟିଗୁଡିକ ବାରମ୍ବାର କ୍ଷତି ସହିବା ଓ ରୁଗ୍ଣ ହେବା ସହିତ ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମତ ରଖିଥିଲେ | ତେଣୁ ଯାତ୍ରାମାଲିକ ମାନେ ଏସବୁ ମନମାନୀ ବନ୍ଦ କରିବା, ପର୍ସେଣ୍ଟେଜରେ ଯାତ୍ରା କରିବା , ଘର , ତେଲ , ଜାଳ , ପ୍ରଚାର ଖର୍ଚ୍ଚ , ଅନୁମତି ପାଇଁ ଖର୍ଚ୍ଚ , ବିଦ୍ୟୁତ୍ ବିଲ୍ ଆଦି ବିଭିନ୍ନ ଖର୍ଚ୍ଚ ଯାତ୍ରାପାର୍ଟି ମାଲିକମାନଙ୍କ ଦାବିକୁ ପ୍ରତ୍ୟାହାର କରିବା , ଦୀର୍ଘ ବର୍ଷରୁ ପ୍ରଚଳିତ ହୋଇ ଆସୁଥିବା ଯାତ୍ରାପାର୍ଟି ଓ ଯାତ୍ରାକମିଟି ମଧ୍ୟରେ ଚୁକ୍ତିପତ୍ରକୁ ସଂଶୋଧନ କରିବା ବିଷୟରେ ବିଭିନ୍ନ ବ୍ଲକର ଯାତ୍ରା କମିଟି କର୍ମକର୍ତ୍ତାମାନେ ଜିଲ୍ଲା ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ | ଆଗାମୀ ଦିନରେ ଜିଲ୍ଲା ଯାତ୍ରା କମିଟିର କ୍ଷତିକୁ ବରଦାସ୍ତ କରାଯିବ ନାହିଁ, ଦରକାର ପଡିଲେ ଯାତ୍ରାକୁ ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ବନ୍ଦ କରାଯିବ ବୋଲି ଓଳାଭର ଯାତ୍ରା କମିଟି ସମ୍ପାଦକ ଶ୍ରୀ ଓଝା ପ୍ରସ୍ତାବ ଦେଇଥିଲେ | ତେବେ ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲା ସଂଘର କାର୍ଯ୍ୟକାରୀ କମିଟି ବୈଠକରେ କମିଟିମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ବିଚାର କରାଯିବ | ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯାତ୍ରା କମିଟି ସଂଘ ଏହାର ପ୍ରତିବାଦ କରିବା ସହ ମାଲିକମାନଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯିବ ବୋଲି ଜିଲ୍ଲା ସଂଘ ସମ୍ପାଦକ ପ୍ରଫେସର ବୈକୁଣ୍ଠ ନାଥ ପରିଡ଼ା ସୂଚନା ଦେଇଛନ୍ତି | ଅନ୍ୟପକ୍ଷରେ ମନୋରଞ୍ଜନକୁ ଆପଣାଇବା ଓ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯାତ୍ରା କମିଟି ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନେ ମଞ୍ଚରେ ଡ୍ରାମା ଟୁର୍ଣ୍ଣାମେଣ୍ଟ କରିଲେ ବହୁ କମ୍ ଖର୍ଚ୍ଚ ଓ ଅଶ୍ଳିଳତା ବିହୀନ ନାଟକରେ ମଧ୍ୟ ଦର୍ଶକ ଖୁସି ମନାଇ ପାରିବେ ବୋଲି ଜିଲ୍ଲା ଉପଦେଷ୍ଟା କମିଟି ଅଧ୍ୟକ୍ଷ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ | ତେବେ ସାଧାରଣ ନିର୍ବାଚନ ଥାଇ ମଧ୍ଯ ଗଲା ଯାତ୍ରା ଋତୁରେ ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା କରାଯାଇ ଥିବାରୁ ଯାତ୍ରା କମିଟି ଗୁଡିକୁ ଜିଲ୍ଲା ସଂଘ ସଭାପତି ମିହିର ସାମଲ ଧନ୍ଯବାଦ୍ ଦେବା ସହ ଆଗାମୀ ବର୍ଷରେ ବୁଝି ବିଚାରି ପାର୍ଟି ବୁକିଂ କରିବାକୁ ପରାମର୍ଶ ଦେଇଥିଲେ | ଏହି ବୈଠକରେ ଜିଲ୍ଲା ସଂଯୋଜକ ସମୀର ବାରିକ , ଆଳି ବ୍ଲକ ସମ୍ପାଦକ ବିରେନ୍ଦ୍ର ପଣ୍ଡା , ଗରଦପୁର ବ୍ଲକ ସଂଘ ସଭାପତି ପ୍ରଦୀପ୍ତ କୁମାର ଦାସ ସମ୍ପାଦକ ଗିରିଶ କର , ମାର୍ଶାଘାଇ ବ୍ଲକ ସଭାପତି ଶ୍ରୀ ରବିନ୍ଦ୍ର କୁମାର ଦାସ ଓ ରାଜ ନଗର ବ୍ଲକ୍ ସହ ସମ୍ପାଦକ କମଳା କାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ |
Leave A Reply