Odisha news

ଦୀପାବଳି ସମୟରେ ଟ୍ରେନ୍‌ରେ ଆତଶବାଜି ବହନ ବିରୋଧରେ ବିଶେଷ ଅଭିଯାନ ଆରମ୍ଭ କଲା ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ

0

ଆସନ୍ତା ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଟ୍ରେନ୍‌ରେ ଆତଶବାଜି ଓ ଅନ୍ୟାନ୍ୟ ଜ୍ୱଲନଶୀଳ ପଦାର୍ଥ ବହନ ବିରୋଧରେ ବିଶେଷ ଅଭିଯାନ ଆରମ୍ଭ କରିଛି ।

ଆତଶବାଜି, ଗ୍ୟାସ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ୍ ଇତ୍ୟାଦି ଜ୍ୱଲନଶୀଳ ପଦାର୍ଥ ଟ୍ରେନ୍‌ରେ ବହନ କରିବା ରେଲୱେ ଆକ୍ଟ, 1989 ଅନୁସାରେ ଗୁରୁତର ଅପରାଧ ଏବଂ ଏହା ପାଇଁ ଜୋରିମାନା କିମ୍ବା ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ ।

ଏଥି ପାଇଁ, ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ସମସ୍ତ ସମ୍ବନ୍ଧିତ ଅଧିକାରୀଙ୍କୁ ସତର୍କ ନଜର ରଖିବା ଓ ଯାତ୍ରୀ ଓ ସାମଗ୍ରୀ ଯାଞ୍ଚ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇ ସୁରକ୍ଷା ବଳ (RPF) ଓ ସରକାରୀ ରେଳ ପୋଲିସ (GRP) ଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମଗ୍ରୀ ଓ ପାର୍ସଲ ଲୋଡିଂ ପୂର୍ବରୁ ସୁନିଶ୍ଚିତ ଯାଞ୍ଚ କରାଯାଉଛି ।

ଏହା ସହିତ, ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ଅଭିଯାନ ଚାଲୁ ହୋଇଛି । ରେଲୱେ ଷ୍ଟେସନ୍‌ ଗୁଡିକରେ ଘୋଷଣା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି ଯେ ଯାତ୍ରା ସମୟରେ କୌଣସି ଜ୍ୱଲନଶୀଳ ବା ବିସ୍ଫୋରକ ପଦାର୍ଥ ଟ୍ରେନ ଯାତ୍ରା ସମୟରେ ସାଙ୍ଗରେ ନନେବା ପାଇଁ । ରେଳ କର୍ମଚାରୀ, ଲିଜ୍‌ ହୋଲ୍ଡର, ପାର୍ସଲ, ପ୍ୟାଣ୍ଟ୍ରି କାର୍, ଖାଦ୍ୟ ଯୋଗାଣ କର୍ମଚାରୀ, କୁଲି, OBHS କର୍ମଚାରୀ ଓ ଅନ୍ୟାନ୍ୟ ଆଉଟସୋର୍ସ କର୍ମଚାରୀଙ୍କୁ ଜ୍ୱଲନଶୀଳ ପଦାର୍ଥ ବହନର ବିଷୟରେ ଅବଗତ କରାଯାଇଅଛି ଯାହାଦ୍ୱାରା ସେମାନେ ରେଳ ପ୍ରଶାସନକୁ ଦହନଶୀଳ ବସ୍ତୁ ପରିବହନ ସମ୍ବନ୍ଧରେ ଅବଗତ କରାଇ ପାରିବେ ।

ଆରପିଏଫ ଜିଆରପି ଓ ସିଭିଲ୍‌ ଡିଫେନ୍ସ ସ୍ବେଛାସେବୀ ମାନଙ୍କ ସହ ସଂଯୁକ୍ତ ଭାବେ ବିଶେଷ ଯାଞ୍ଚ ଅଭିଯାନ ଚାଲୁ ରହିଛି । ଟ୍ରେନ୍‌ ଏସ୍କର୍ଟ ଟିମ୍‌ ଓ ମେରି ସହେଲି ଟିମ୍‌ ଯାତ୍ରୀ ଓ ସାମଗ୍ରୀ ଉପରେ ସତର୍କ ନଜର ରଖୁଛନ୍ତି । ଷ୍ଟେସନ୍‌, ଗୁଡ୍ସ ସେଡ୍‌, ଗାର୍ଡ ଭ୍ୟାନ୍‌, ପ୍ୟାଣ୍ଟ୍ରି କାର୍‌, ଏସି କୋଚ୍ ଓ ଲୋକୋମୋଟିଭ୍‌ରେ ଅଗ୍ନିନିରୋଧକ ଯନ୍ତ୍ରପାତି ସୁନିଶ୍ଚିତ ରଖାଯାଇଛି ।

ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଯାତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ, ଟ୍ରେନ୍‌ରେ ଯାତ୍ରା ସମୟରେ ଦହନଶୀଳ ବସ୍ତୁ ସାଙ୍ଗରେ ନନେବା ପାଇଁ ଓ ଯଦି ଏପରି କୌଣସି ଘଟଣା ଦେଖିବେ ତେବେ ତୁରନ୍ତ ରେଲୱେ ହେଲ୍ପଲାଇନ୍‌ ନମ୍ବର 139 କୁ ଯୋଗାଯୋଗ କରି ସୂଚନା ଦେବାକୁ କୁହାଯାଇଅଛି ।

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପ୍ରତି ସଦା ପ୍ରତିବଦ୍ଧ ଓ ସମସ୍ତଙ୍କୁ ଏହି ସୁରକ୍ଷା ଅଭିଯାନରେ ସହଯୋଗ କରିବାକୁ ଅନୁରୋଧ କରୁଛି ।

Leave A Reply