ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନିଷ୍ପତି ଅନୁଯାୟୀ ଭକ୍ତଙ୍କ ପାଇଁ ଆଜି ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଖୋଲିଛି । ଆଜି ବାହାରୁ ଆସୁଥିବା ହଜାର ହଜାର ଭକ୍ତ ପଶ୍ଚିମ ଦ୍ଵାର ଦେଇ ମନ୍ଦିର ଭିତରକୁ କରି ମହାପ୍ରଭୁଙ୍କ ଦର୍ଶନ କରି ଥିଲେ। ପୂର୍ବରୁ କେବଳ ସିଂହଦ୍ଵାର ଦେଇ ମନ୍ଦିର ଭିତରକୁ କରି ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରୁଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ସେଡ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ବ୍ୟାରିକେଡ଼ ଦେଇ ଲମ୍ବା ଧାଡ଼ିରେ ମନ୍ଦିର ଭିତରକୁ ପ୍ରବେଶ କରି ଥିଲେ। ସୂଚନା ଯୋଗ୍ୟ ଯେ
ଆସନ୍ତା ମେ ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପର୍ବ ଅନୁଷ୍ଠିତ ହେବ। ଏହି ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ଚନ୍ଦନ ଯାତ୍ରା। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଆଜିଠାରୁ ପଶ୍ଚିମ ଦ୍ଵାର ପଟୁ ଦର୍ଶନ ଆରମ୍ଭ ହୋଇଛି। ପୂର୍ବରୁ ସିଂହଦ୍ଵାର ଦେଇ ଭକ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପ୍ରବେଶ କରୁଥିବା ବେଳେ ଆଜି ଠାରୁ ଉଭୟ ପୂର୍ବ ଓ ପଶ୍ଚିମ ଦ୍ୱାର ଉନ୍ମୁକ୍ତ ରହିଥିବାରୁ ଏହାକୁ ବେଶ୍ ସ୍ୱାଗତ କରାଯାଇଛି। ଅନ୍ୟପଟେ ଚାରିଦ୍ୱାର ଖୋଲା ରଖିଲେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ କମି ପାରିବା ସହ ଦର୍ଶନ ବ୍ୟବସ୍ଥା ସହଜ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।
ଆଜି ସକାଳୁ ଭକ୍ତ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଉଭୟ ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଦେଇ ଦର୍ଶନ କରୁଛନ୍ତି। ଦର୍ଶନ କରିବା ପରେ ଉତ୍ତର ଓ ଦକ୍ଷିଣ ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି। ରାଜ୍ୟ ସରକାର ,ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତମ ବ୍ୟବସ୍ଥା କରାଯାଇଥିବା ଭକ୍ତ ଶ୍ରଦ୍ଧାଳୁ କହିଛନ୍ତି। ପଶ୍ଚିମ ଦ୍ଵାର ବ୍ୟାରିକେଡ଼ରେ ଭକ୍ତଙ୍କ ପାଇଁ ସେଡ, ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା,ଜୋତା ଓ ମୋବାଇଲ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ସେପଟେ କରୋନା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଜଗାର ସମସ୍ତ ଚାରି ଦୁଆର ଖୋଲାଗଲେ ଗହଳି ଓ ଭିଡ କମିବା ସହ ଦର୍ଶନ ବ୍ୟବସ୍ଥା ଆହୁରି ସହଜ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି