ପିପିଲି ଉପନିର୍ବାଚନ : ସାନି ପୋଷ୍ଟାଲ ଭୋଟିଂ ପ୍ରକ୍ରିୟା ଆରମ୍ଭ ୮୦ ବର୍ଷ ବୟସରୁ ଅଧିକ ଓ ଦିବ୍ୟାଙ୍ଗ ଭୋଟର ଘରେ ରହି ଭୋଟ୍ ଦେଲେ
ପିପିଲି ୩/୫ – ପିପିଲି ଉପନିର୍ବାଚନ ପାଇଁ ୮୦ବର୍ଷ ବୟସରୁ ଅଧିକ ପୁରୁଷ ଓ ମହିଳା ତଥା ଦିବ୍ୟାଙ୍ଗ ଏବଂ କରୋନା ସଂକ୍ରମିତ ଭୋଟରଙ୍କ ସାନି ପୋଷ୍ଟାଲ୍ ଭୋଟିିଂ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ବର୍ଗରେ ଥିବା ୨୯୫ ଜଣ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ଭୋଟର ଓ ୭୦ଜଣ ଦିବ୍ୟାଙ୍ଗ ଭୋଟର ପୋଷ୍ଟାଲ ବାଲାଟ୍ରେ ଭୋଟ ଦେବାକୁ ପୂର୍ବରୁ ଆବେଦନ କରିଥିଲେ । ଏବଂ ଏହି ପୋଷ୍ଟାଲ ଭୋଟିଂ ମଧ୍ୟ ଗତମାସ ୧୦ତାରିଖ ରେ ଶେଷ ହୋଇଥିଲା । ମୋଟ ୩୬୫ ଆବେଦନକାରୀଙ୍କ ମଧ୍ୟରୁ ୨୯୧ ଜଣ ବୟସ୍କ ଭୋଟର ଓ ୭୦ଜଣ ଦିବ୍ୟାଙ୍ଗ ଭୋଟର ସେସମୟରେ ମତଦାନ କରିଥିଲେ । ଆବେଦନକାରୀଙ୍କ ମଧ୍ୟରୁ ୩ଜଣ ବୟସ୍କ ଭୋଟର ଙ୍କର ଇତିମଧ୍ୟରେ ମୃତୁ୍ୟ ହୋଇଯାଇଛି । ତେବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଅକାଳ ବିୟୋଗ ଘଟିବା ଯୋଗୁଁ ଉକ୍ତ ପୋଷ୍ଟାଲ ଭୋଟିଂକୁ ବାତିଲ କରାଯାଇ ସାନି ଭୋଟିଂ ପାଇଁ ନିର୍ବାଚନ ଅଧିକାରୀଙ୍କ ଆଦେଶ ରହିଥିଲା । ପୂର୍ବର ଆବେଦନକାରୀଙ୍କ ଆବେଦନ କାଏମ ରହିଥିଲା, ନୂଆ ଆବେଦନ ଗ୍ରହଣ କରାଯାଇନଥିଲା ।
ତଦନୁଯାୟୀ ପିପିଲି ବ୍ଲକର ୨୫ଟିପଂଚାୟତ ଓ ଏନ୍ଏସିର ୧୬ଗୋଟି ଓାର୍ଡରେ ଆଜି ଠାରୁ ପୋଷ୍ଟାଲ ବାଲାଟ ଜରିଆରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପୋଷ୍ଟାଲ ବାଲାଟ ମତଦାନ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି । ବିଡିଓ ରଶ୍ମିତା ନାଥ ଙ୍କ ସମେତ ପ୍ରତ୍ୟେକ ଅଂଚଳର ସେକ୍ଟର ଅଫିସର, ବିଏଲ୍ଓଙ୍କ ଉପସ୍ଥିତିରେ ଭୋଟିଂ କରାଇଥିବା ବେଳେ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର ନାଥ ଦାଶ, ଜିପିଇଓ ଶ୍ରୀମତୀ ପଣ୍ଡା, ସେକ୍ଟର ଅଫିସର ଦୁଷ୍ମନ୍ତ କୁମାର ବଳିୟାରସିଂହ, ଜୟପ୍ରକାଶ ପ୍ରଧାନ, ଅଭିମନୁ୍ୟ ଦାଶ, ରବିନ୍ଦ୍ର କୁମାର ପଲେଇ ପ୍ରମୁଖ ପୋଲିଂ ପାର୍ଟି ଏହାକୁ ପରିଚାଳନା କରୁଛନ୍ତି । ରୁଟ ପ୍ଲାନ ଅନୁଯାୟୀ ଅଧିକାରୀ, କର୍ମଚାରୀ ଓ ପୋଲିସ ଉପରୋକ୍ତ ବର୍ଗର ମତଦାତାଙ୍କ ଘରକୁ ଘର ଯାଇ ଭୋଟ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପୋଲିଂ ଟିମ ଆଜି କାକୁଡିଆ ଗ୍ରାମକୁ ଯାଇଥିଲେ । ସେଠାରେ ୯୭ବର୍ଷ ବୟସ୍କା ଶଶି ସ୍ୱାଇଁ ପୂର୍ବ ଆବେଦନ ଅନୁଯାୟୀ ପୋଷ୍ଟାଲ୍ ଭୋଟିଂରେ ମତଦାନ କରିଥିଲେ । ବୋହୂ ଅନୀତା ସ୍ୱାଇଁ ଶଶିଙ୍କୁ ସହଯୋଗ କରିଥିଲେ । ୮୦ବର୍ଷ ବୟସରୁ ଅଧିକ ପୁରୁଷ ଓ ମହିଳା ତଥା ଦିବ୍ୟାଙ୍ଗ ଏବଂ କରୋନା ସଂକ୍ରମିତ ମତଦାନ ବୁଥକୁ ନଯାଇ ଘରେ ରହି ପୋଷ୍ଟାଲ୍ ଭୋଟିିଂ ଜରିଆରେ ଭୋଟ ଦେଇପାରିବେ ବୋଲି ନିର୍ବାଚନ ଆୟୋଗଙ୍କ ନିଦେ୍ର୍ଦଶ ରହିଛି ।