ଝାରସୁଗୁଡା (Suvendra Pattanaik) : ଆଉ କିଛି ସମୟ ପରେ ଝାରସୁଗୁଡାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମଲୀପାଲିସ୍ଥିତ ପଡ଼ିଆରେ ଆୟୋଜିତ ହେବାକୁ ଯାଉଥିବା ଯୁବ ସମାବେଶ ପାଇଁ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀ ସଭାସ୍ଥଳରେ ପହଞ୍ଚି ସାରିଲେଣି। ସଭାସ୍ଥଳ ଏସପିଜି ନିୟନ୍ତ୍ରଣରେ ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସଭାସ୍ଥଳ ଅଭିମୁଖେ ବାହାରିଥିବା ପ୍ରତିଟି ଗାଡିକୁ ଯାଞ୍ଚ୍ କରାଯାଉଥିବା ବେଳେ ଏସପିଜି ଦ୍ୱାରା ପ୍ରାଧିକୃତ ପାସ ଥିବା ଗାଡିକୁ ହିଁ ସଭାସ୍ଥଳ ଅଭିମୁଖେ ଛଡ଼ାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଝାରସୁଗୁଡାରେ ରାଜ୍ୟପାଳ ହରିବାବୁ କମ୍ଭମପତି ପହଞ୍ଚିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଝାରସୁଗୁଡା। ୩ ଦିନ ହେବ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୭ରୁ ଅଧିକ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ମହା ନିର୍ଦେଶକଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି।
କିଛି ସମୟ ପୂର୍ବରୁ ବିମାନ ବନ୍ଦର ପରିସରରେ ରାଜ୍ୟପାଳ ଶ୍ରୀ କମ୍ଭମପତି ପହଞ୍ଚିବା ପରେ ସ୍ୱତନ୍ତ୍ର କାରକେଡ଼ ଯୋଗେ ସଭାସ୍ଥଳ ଅଭିମୁଖେ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ପାଇଁ ବିମାନ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାରେ ବାରିକେଡ଼ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।