କୋଭିଡ଼ରେ ପ୍ଲାଜମା ଚିକିତ୍ସା : ଆସନ୍ତୁ ଜାଣିବା ଡାକ୍ତର ପ୍ରଫୁଲ୍ଲ କୁମାର ଦାସ କଣ କହୁଛନ୍ତି
କନସ୍ଲଣ୍ଟାଟ ରେଡ଼ିଓଲୋଜିଷ୍ଟ, ଏମ୍ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ,
କୋଭିଡ଼ ସଂକ୍ରମିତ ରୋଗୀର ରୋଗ ପ୍ରତିଷେଧକ ଶକ୍ତି କମିଲେ ଗୁରୁତର ହେଉଛି । ଅକାଳରେ ପ୍ରାଣ ବି ଯାଉଛି । କୋଭିଡ଼ ସଂକ୍ରମିତ ରୋଗୀଙ୍କୁ ଯଦି ଠିକ୍ ସମୟରେ ପ୍ଲାଜମା ଚିକିତ୍ସାା କରାଯାଏ ତାହେଲେ, ରୋଗୀ ଆରୋଗ୍ୟ ଲାଭ କରିପାରୁଛି । ବିଶେଷଜ୍ଞଙ୍କ ମତରେ ଏହି ପଦ୍ଧତି ନୂଆ ନୁହେଁ, ବିଶ୍ୱରେ ପୂର୍ବରୁ ସ୍ପାନିସ୍ ଫ୍ଲୁଠାରୁ ଆରମ୍ଭ କରି ଇବୋଲା ସମେତ ଯେତେ ସବୁ ମହାମାରୀ ହୋଇଥିଲା ସେଥିରେ ରୋଗୀମାନଙ୍କୁ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଚିକିତ୍ସା ପଦ୍ଧତି ବ୍ୟବହାର କରାଯାଇ ରୋଗୀମାନଙ୍କୁ ସୁସ୍ଥ କରାଯାଇପାରିଛି ।
ସାଧାରଣରେ ପ୍ରଶ୍ନ ଉଠେ ଯେ ପ୍ଲାଜମା ଚିକିତ୍ସା ପଦ୍ଧତି କ’ଣ? କରୋନା ସଂକ୍ରମିତ ରୋଗୀଙ୍କ ଦେହରେ ରୋଗ ପ୍ରତିଷେଧକ ଶକ୍ତି କମଥାଏ । ସେମାନଙ୍କ ରୋଗ ପ୍ରତିଷେଧକ ବୃଦ୍ଧି କରିବା ପାଇଁ ଆଉ ଜଣେ ବ୍ୟକ୍ତିର ପ୍ଲାଜମାକୁ ସିଧାସଳଖ କୋଭିଡ଼ ରୋଗୀଠାରେ ଇଂଜେକ୍ଟ କରାଯାଇଥାଏ । ଫଳରେ ଅଚିରେ କୋଭିଡ ସଂକ୍ରମିତ ରୋଗୀର ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ । ଧୀରେ ଧୀରେ ରୋଗୀଟି ଆରୋଗ୍ୟ ଲାଭ କରିବା ଆରମ୍ଭ କରେ । ଏହି ଚିକିତ୍ସା ପଦ୍ଧତି ଶତପ୍ରତିଶତ କୋଭିଡ଼ ରୋଗୀକୁ ଆରୋଗ୍ୟ କରିପାରୁଛି ଏହାର ବଳିଷ୍ଠ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ । ଏହି ଚିକିତ୍ସା ପଦ୍ଧତି ଦ୍ୱାରା ରୋଗୀଙ୍କର ୮୦ ପ୍ରତିଶତ ଆରୋଗ୍ୟ ଲାଭ କରିବା ସମ୍ଭାବନା ରହିଛି । ସୁସ୍ଥ ଲୋକଟିଏ ଯାହା ଦେହରେ ଉତ୍ତମ ରୋଗ ପ୍ରତିଷେଧକ ଶକ୍ତି ଥିବ ସେହି ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ଦରକାର ।
ଯାହାଦ୍ୱାରା ଆଉ ଜଣଙ୍କୁ ସେ ଜୀବନ ଦାନ ଦେବା ଭଳି ହେବ । ସାଧାରଣତଃ ମଣିଷ ରକ୍ତରେ ପାଞ୍ଚଟି ଉପାଦନ ମିଳିଥାଏ, ଲୋହିତ ରକ୍ତକଣିକା (ଆରବିସି), ଶ୍ୱେତ ରକ୍ତକଣିକା (ଡବ୍ଲୁବିସି), ପ୍ଲାଜମା, ପ୍ଲାଟେଲେଟ ଓ ପ୍ଲାଜମା ପ୍ରୋଟିନ୍ । ଆର୍ବିସି, ଡବ୍ଲୁବିସି ଓ ପ୍ଲାଟେଲେଟ୍ ରକ୍ତର ସେଲ ଅଟନ୍ତି । ଆଉ ଗୋଟିଏ ପ୍ରଶ୍ନ ସ୍ୱାଭାବିକ ଭାବରେ ମନରେ ଉଠିଥାଏ ଯେ, କେତେବେଳେ ଜଣଙ୍କର ପ୍ଲାଜମା ଚିକିତ୍ସା ଦରକାର ପଡ଼ିଥାଏ । କୋଭିଡ଼ ସଂକ୍ରମିତ ରୋଗୀ ଯେତେବେଳେ ଅତି ଗୁରୁତର ହେବ, ସେତେବେଳେ ପ୍ଲାଜମା ଚିକିତ୍ସା କରି କୌଣସି ଲାଭ ମିଳିବ ନାହିଁ । ଏହାସହିତ କମ୍ ପରିମାଣରେ ସଂକ୍ରମିତ ବା ବିଶେଷ ଲକ୍ଷଣ ଦେଖାଯାଉନଥିବା ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ପଦ୍ଧତି ଆଦୌ ଗ୍ରହଣୀୟ ନୁହେଁ । କୋଭିଡ଼ ରୋଗୀର ଅବସ୍ଥାକୁ ଦେଖି ଠିକ୍ ସମୟରେ ତାର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ପ୍ଲାଜମା ପ୍ରଦାନ କରାଗଲେ ରୋଗୀ ସୁସ୍ଥ ହୋଇପାରିବ ।
ଅନେକ ପ୍ରଶ୍ନ କରନ୍ତି ଯେ କେଉଁମାନେ ପ୍ଲାଜମା ଦାତା ହୋଇପାରିବେ? କୋଭିଡ଼ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ଯାହାର ରକ୍ତରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ସେହି ବ୍ୟକ୍ତିର ରକ୍ତରୁ ୪୦୦ରୁ ୫୦୦ ମିଲିଲିଟର ପ୍ଲାଜମା ସଂଗ୍ରହ ହୋଇପାରିବ । ପ୍ଲାଜମା ଦାନ କରୁଥିବା ବ୍ୟକ୍ତିର ବୟସ ୧୮ରୁ ୬୫ ବର୍ଷ ଭିତରେ ହୋଇଥିବ । ତାର ଓଜନ ୫୦ କିଲୋ କିମ୍ବା ତା ଠାରୁ ଅଧିକ ହେବା ଆବଶ୍ୟକ । କୋଭିଡ଼ ରୋଗରୁ ଆରୋଗ୍ୟ ଲାଭ କରି ମେଡ଼ିକାଲରୁ ଡିସଚାର୍ଜ ହେବାର ୧୪ ଦିନ ପରେ ପ୍ଲାଜମା ଦାନ କରିପାରିବ । ଏହାସହିତ କୋଭିଡ଼ର ଶେଷ ଟିକା ନେବାର ୨୮ ଦିନ ପରେ ସମ୍ପୃକ୍ତ ବ୍ୟକ୍ତିର ରକ୍ତରୁ ପ୍ଲାଜମା ସଂଗ୍ରହ କରାଯାଇପାରିବ । ଥରେ ପ୍ଲାଜମା ଦେବାର ୧୫ ଦିନ ପରେ ପୁଣିଥରେ ସେହି ବ୍ୟକ୍ତି ପ୍ଲାଜମା ଦାନ କରିପାରିବେ । ଗତବର୍ଷ ଓଡ଼ିଶାରେ ପ୍ରଥମ କରି ଏସ୍ସିବି ମେଡ଼ିକାଲ କଲେଜରେ କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ ଜୁଲାଇ ୧୫ ତାରିଖରେ ପ୍ଲାଜମା ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଥିଲା । ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହି ଚିକିତ୍ସା ପଦ୍ଧତିର ବ୍ୟବସ୍ଥା କରାଯାଇଥିଲା ।
ଅନେକ ହୁଏତ ଜାଣିନାହାଁନ୍ତି ଏବେ ସୁଦ୍ଧା ରାଜ୍ୟରେ ଛଅଟି ପ୍ଲାଜମା ବ୍ୟାଙ୍କ ଖୋଲା ଯାଇଛି । ସେଗୁଡ଼ିକ ହେଲା କଟକ ଏସ୍ସିବି ମେଡ଼ିକାଲ କଲେଜ, ବ୍ରହ୍ମପୁରର ଏମ୍କେସିଜି ମେଡ଼ିକାଲ କଲେଜ, ବୁର୍ଲା ଭିଏସ୍ଏସ୍ ମେଡ଼ିକାଲ କଲେଜ, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ରାଉରକେଲାର ଆଇଜିଏଚ୍ ହସ୍ପିଟାଲରେ ସରକାର ପ୍ଲାଜମା ବ୍ୟାଙ୍କ ଖୋଲିଛନ୍ତି । ଗତବର୍ଷ ଠାରୁ ଏ ପର୍ଯ୍ୟନ୍ତ ୪ ହଜାର ୭୭୮ଟି ପ୍ଲାଜମା ୟୁନିଟ ସଂଗ୍ରହ ହୋଇପାରିଛି । କେତେଜଣ ପ୍ରଶ୍ନ କରନ୍ତି ଯେ କୋଭିଡରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିବା ବ୍ୟକ୍ତିର ରୋଗ ପ୍ରତିଷେଧକ ଶକ୍ତି କମିଯାଏ କି? ଚିକିତ୍ସା ବିଜ୍ଞାନୀଙ୍କ ଉତ୍ତର ହେଉଛି ଏଭଳି ଧାରଣା ଭୁଲ । ଉତ୍ତମ ରୋଗ ପ୍ରତିଷେଧକ ଶକ୍ତି ଥିବା ବ୍ୟକ୍ତି ଏକାଧିକ ଥର ପ୍ଲାଜମା ଦାନ କରିପାରିବ । ଏପରିକି ଜଣେ ବ୍ୟକ୍ତି ୭ରୁ ୮ଥର ପ୍ଳାଜମା ଦାନ କରିବା ନଜିର ରହିଛି ।
ସେହିପରି ଆଉ ଏକ ପ୍ରଶ୍ନ ଉଠେ ପ୍ଲାଜମା ଦାନ କରିଥିବା ବ୍ୟକ୍ତି ଦ୍ୱିତୀୟ ଥର କୋଭିଡ଼ ସଂକ୍ରମିତ ହେଲେ କ’ଣ ହେବ? ଚିକିତ୍ସା ବିଜ୍ଞାନୀଙ୍କ ମତରେ ପ୍ଲାଜମା ଦାନ କରନ୍ତୁ ବା ନକରନ୍ତୁ ସମୟକ୍ରମେ ବ୍ୟକ୍ତିର ରୋଗ ପ୍ରତିଷେଧକ ଶକ୍ତି କମିଯାଇଥାଏ । କିନ୍ତୁ ଏକାଧିକ ଥର ସଂକ୍ରମିତ ହେଲେ ସେହି ବ୍ୟକ୍ତିର ଶରୀର ଆପେ ଆପେ ଘଣ୍ଟାକ ଭିତରେ ରୋଗ ପ୍ରତିଷେଧକ ଶକ୍ତି ପ୍ରସ୍ତୁତ କରିନିଏ । ସେହିପରି କେଉଁ ଧରଣ କୋଭିଡ଼ ରୋଗୀ ପ୍ଲାଜମା ଚିକିତ୍ସାର ଲାଭ ପାଇପାରିବେ? ଅଳ୍ପ ନୁହେଁ କି ବେଶୀ ଗୁରୁତର ସଂକ୍ରମିତ ନୁହେଁ, କେବଳ ମଧ୍ୟମ ଧରଣର ସଂକ୍ରମିତ କୋଭିଡ଼ ରୋଗୀ ପ୍ଲାଜମା ଚିକିତ୍ସାରୁ ଲାଭ ପାଇପାରିବ ।
ରକ୍ତଦାନ, ଅନ୍ନଦାନ, ଅର୍ଥଦାନ ପରି ମଣିଷ ଜୀବନରେ ପ୍ଲାଜମା ଆଜିର ସମୟରେ ଏକ ଶ୍ରେଷ୍ଠ ଓ ଯୁଗପଯୋଗୀ ମହାନ ଦାନ କହିଲେ ଅତୁ୍ୟକ୍ତି ହେବନାହିଁ । କରୋନା ମହାରାକ୍ଷସ କବଳରେ ଆମେ ସମସ୍ତେ ଏହା ବିରୁଦ୍ଧରେ ଲଢ଼େଇ ପାଇଁ ସମ୍ମିଳିତ ଉଦ୍ୟମ କରିବା ଅତ୍ୟନ୍ତ ଜରୁରୀ । ସରକାର, ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନକୁ ସହାୟତା କରନ୍ତୁ, ନିଜେ ସତର୍କତା ଓ ସୁରକ୍ଷିତ ରୁହନ୍ତୁ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବାର ଆପଣଙ୍କ ଗୁରୁ ଦାୟିତ୍ୱକୁ ନିର୍ବାହ କରନ୍ତୁ । ଏହି ସମାଜ, ଏହି ଦେଶ ଆପଣଙ୍କ ଏପରି ମହାନ ଶ୍ରେଷ୍ଠ ଦାନ ପାଇଁ ସବୁଦିନ ପାଇଁ ଆପଣଙ୍କୁ ମନେରଖିବ ଓ କୃତଜ୍ଞ ରହିବ ନିଶ୍ଚୟ ।
କନସ୍ଲଣ୍ଟାଟ ରେଡ଼ିଓଲୋଜିଷ୍ଟ, ଏମ୍ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ,