ଫୁଲବାଣୀ (ସନ୍ତୋଷ ମିଶ୍ର ): କନ୍ଧମାଳ ଜିଲା ରାଇକିଆ ବ୍ଳକ ଅନ୍ତର୍ଗତ କରଡ଼ା ପଂଚାୟତର ସୁନାପୁଲି ଗ୍ରାମରେ ବୁଧବାର ରାତିରେ ପ୍ରାୟ ୮ରୁ ୧୦ଟି ହାତୀ ଗ୍ରାମରେ ପଶି ଧାନ ଫସଲ ନଷ୍ଟ କରିବା ସହିତ ଅନେକ ଜମିରୁ ଫସଲ ଖାଇଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ଜମିରେ ଧାନ କେଣ୍ଡା ଧରି ଆସୁଥିବା ବେଳେ ବେଳେ ହାତୀପଲ ପ୍ରବେଶ ଯୋଗୁଁ ଗ୍ରାମର ଚାଷୀ ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି ।
ରାତିରେ ଉକ୍ତ ଗ୍ରାମର ମଦନ ମୋହନ ପ୍ରଧାନଙ୍କ ଏକ ଏକର ଜମିର ଫସଲ ହାତୀମାନେ ନଷ୍ଟ କରିଦେଇଥିବା ବେଳେ ଭାଗ୍ୟ ଲତା ପ୍ରଧାନ, ଶତୃଘନ ପ୍ରଧାନ, ସୁଧିର ପ୍ରଧାନ, ଶଙ୍କର ପ୍ରଧନା, ପୁରେନ୍ଦ୍ର ପ୍ରଧାନ ଭଲି ସେହି ଅଂଚଳର ଅନେକ ଚାଷୀଙ୍କର ଜମିର ଫସଲ ନଷ୍ଟ କରିବା ସହିତ ଖାଇଦେଇଛନ୍ତି ହାତୀମାନେ ।
ଦିନକୁ ଦିନ ହାତୀପଲ ମଧ୍ୟ ଗାଁ ମୁହଁ ହେଉଥିବା ଯୋଗୁଁ ସଂନ୍ଧ୍ୟା ହୋଇଗଲେ ଗ୍ରାମରେ ଏକ ପ୍ରକାର ଭୟଭିତ ହୋଇଯାଉଛନ୍ତି ବୋଲୁି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଖବର ପାଇଁ କରଡ଼ା ବନ ବିଭାଗର କର୍ମଚାରୀ ମାନେ ଉକ୍ତ ଗ୍ରାମରେ ପହଂଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଅଂଚଳବାସୀ କ୍ଷତିପୁରଣ ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଉକ୍ତ ହାତୀପଲଙ୍କୁ ସେହି ଅଂଚଳରୁ ଘଉଡ଼ାଇବା ପାଇଁ ମଧ୍ୟ ଅଂଚଳବାସୀ ଦାବି କରିଛନ୍ତି ।