ପାଂଚପୀଢ ,୧୪/୩ ନାହିଁ ନାହିଁରେ ଚାଲିଛି କରଞ୍ଜିଆ ପ୍ରାଣୀ ଚିକିତ୍ସାଳୟ। କରଞ୍ଜିଆ ଏକ ଆଦିବାସୀ ବହୁଳ ଅଞ୍ଚଳ। ଏଠାରେ ନାଁ କଳକାରଖାନା ରହିଛି ନାଁ ଦୁଇ ଫସଲ ପାଇଁ ଉପଯୁକ୍ତ ଭିତ୍ତିଭୂମି। ତେଣୁ ଲୋକମାନେ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ପ୍ରକାରର ଗୃହ ପାଳିତ ପଶୁ ପକ୍ଷୀ ରଖି ସେମାନଙ୍କୁ ଲାଳନ ପାଳନ କରି ଦୁଇ ପଇସା ବାହାର କରିବା ପାଇଁ ଲାଗି ପଡ଼ି ଥାନ୍ତି। ହେଲେ ବିଡମ୍ବନା ଯେ ଏଠାର ପ୍ରାଣୀ ଚିକିତ୍ସାଳୟରେ ନାଁ ଆବଶ୍ୟକ ପରିମାଣର ଡାକ୍ତର, ନାଁ ପାରା ମେଡିକାଲ କର୍ମଚାରୀ ନା ଭ୍ରାମ୍ୟମାଣ ଚିକିତ୍ସାଳୟ ରହିଛି। ତେଣୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରାଣୀ ଚିକିତ୍ସାଳୟ ଉପରେ କରଞ୍ଜିଆ ବ୍ଲକ, ଏନ୍ ଏ ସି, ପାର୍ଶ୍ଵବର୍ତ୍ତୀ କେନ୍ଦୁଝର ଜିଲ୍ଲାର ସାହାରପଡା ଓ ପାଟଣା ବ୍ଲକ ଜନସାଧାରଣ ନିଜର ଗୃହ ପାଳିତ ପଶୁ ମାନଙ୍କ ରୋଗ ନିରାକରଣ ପାଇଁ ନିର୍ଭରଶୀଳ। ଏହି ଅଞ୍ଚଳରେ ବର୍ତ୍ତମାନ ୩୩ ହଜାର ଗୋରୁ,୫୫ ହଜାର ଛେଳି,୨ ହଜାର ମେଣ୍ଢା ଓ ୨ ଲକ୍ଷରୁ ଉର୍ଦ୍ଧ୍ବ ପକ୍ଷୀ ରହିଛନ୍ତି। ଯାହାକୁ ଆୟୁଧ କରି ଲୋକମାନେ ସେମାନଙ୍କ ପରିବାର ଚଳାଇବାକୁ ଉଦ୍ୟମ କରିଥାନ୍ତି।ଏହା ଛଡ଼ା ବନ ବିଭାଗ ଜଙ୍ଗଲି ପଶୁ ପକ୍ଷୀ ମାନଙ୍କ ଚିକିତ୍ସା, ବ୍ୟବଚ୍ଛେଦ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବିଭାଗକୁ ବିନିଯୋଗ କରିଥାଏ। ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅନ୍ତର୍ଗତ କୁକୁଡ଼ା ଫାର୍ମ, ଛେଳି ଫାର୍ମ, ଘୁଷୁରୀ ଫାର୍ମ ପାଇଁ ଲୋନ୍, ଚିକିତ୍ସା ଏବଂ ଅନ୍ୟାନ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବିଭାଗକୁ ମଧ୍ୟ ବିନିଯୋଗ ହୋଇଥାଏ।ପଶୁ ପକ୍ଷୀ ଙ୍କ ଟିକାକରଣ ଫାଟୁଆ ରୋଗ, କୁକୁଡା ବସନ୍ତ ଓ ମରୁଡ଼ି ରୋଗ ନିରାକରଣ ଏହି ବିଭାଗ ଦ୍ୱାରା ହୋଇଥାଏ। ହେଲେ ବର୍ତ୍ତମାନ କରଞ୍ଜିଆ ପ୍ରାଣୀ ଚିକିତ୍ସାଳୟ ଏକ ପ୍ରକାର ଡାକ୍ତର ଶୁନ୍ୟ ହୋଇପଡ଼ିଛି। ଜଣେ ମାତ୍ର ଡାକ୍ତରରେ ଚାଲିଛି ଚିକିତ୍ସାଳୟ। ଏଠାରେ ୪ ଜଣ ଡାକ୍ତରଙ୍କ ରହିବା ପାଇଁ ପ୍ରାବିଧାନ ଥିବାବେଳେ ରହିଛନ୍ତି ମାତ୍ର ଜଣେ। ତେଣୁ ସମସ୍ତ ଚିକିତ୍ସାଳୟର କାର୍ଯ୍ୟ ଆଜି ବାଧାପ୍ରାପ୍ତ। ଲୋକମାନେ ପଶୁ ପକ୍ଷୀଙ୍କ ଚିକିତ୍ସା ପାଇଁ ଚିନ୍ତାଗ୍ରସ୍ତ।କରିବେ କ’ଣ? ସେମାନଙ୍କ ପଶୁ ପକ୍ଷୀ ମାନଙ୍କୁ ସୁରକ୍ଷିତ ରଖିବେ କିପରି? ତେଣୁ ପ୍ରଶାସନ ଏହି ବିଷମ ପରିସ୍ଥିତିରୁ କରଞ୍ଜିଆ ବାସୀଙ୍କୁ ରକ୍ଷା କରିବା ପାଇଁ ଉପଯୁକ୍ତ ପରିମାଣର ଡାକ୍ତର,ପାରା ମେଡିକାଲ କର୍ମଚାରୀ ଓ ଭ୍ରାମ୍ୟମାଣ ଚିକିତ୍ସାଳୟ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରୁଛନ୍ତି।