ବୋରିଗୁମ୍ମା (କେ.ସାକିଲି ଦୋରା) : ” କେତେ ସୁଖ ଯାହାର, ଚାଷ ଅଛି ତାହାର ” ଏହି ଉକ୍ତି ଟି ଦିନେ ଚାଷୀକୁଳ ପାଇଁ ପ୍ରଯୁଜ୍ୟ ଥିଲା। ନିଜର ବର୍ଷ ଯାକ ଚାଷ ଜମି ରେ ପରିଶ୍ରମ କରି ବର୍ଷ ଶେଷ ବେଳକୁ ଯାହା ଅମଳ କରୁଥିଲା, ତାହା ନିଜର ପରିବାର ର ଗୁଜରାଣ ମେଂଟୁଥିଲା। କିନ୍ତୁ ଆଜିର ଦିନରେ ଚାଷ କରିବା ଚାଷୀକୁଳ ନିମନ୍ତେ ଦୁଃଖ ପାଲଟିଛି। ଚାଷ ମୂଳଦୁଆ ବିହନ ଠାରୁ ଆରମ୍ଭ କରି ଅମଳ ହେବାପରେ ମଣ୍ଡିରେ ବିକ୍ରି ପର୍ଯ୍ୟନ୍ତ ସବୁଠି ଚାଷୀ ଙ୍କ ପାଇଁ ସମସ୍ୟା ହିଁ ସମସ୍ୟା। ଏହିଭଳି ଦୃଶ୍ୟ କେବଳ ବୋରିଗୁମ୍ମା ବ୍ଲକ ନୁହେଁ ବରଂ ସାରା ଜିଲ୍ଲାରେ ଦେଖାଦେଇଛି। ବୋରିଗୁମ୍ମା ବ୍ଲକରେ ଚାଷୀକୁଳ ନକଲି ଧାନ ବିହନ ବୁଣି ହନ୍ତସନ୍ତ ହେଉଛନ୍ତି।
ନକଲି ଧାନ ବିହନ ବୁଣି ଧାନ ଗଛ କୁ ମାଟିଆ ଗୁଣ୍ଡି ପୋକ ( ବି ପି ଏଚ ),ଧଳା ମାଛି,କାଣ୍ଡ ବିନ୍ଧା ପୋକ ଲାଗିଥାଏ। ଯାହାଦ୍ୱାରା ଚାଷୀ ଧାନ ଅମଳ ବେଳେ ଆଶାତୀତ ଅମଳ ପାଏ ନାହିଁ। ଧାନ ବିହନ ବୁଣିବା ସମୟରେ ଚାଷୀ ଆବଶ୍ୟକ ସରକାରୀ ଧାନ ବିହନ ନ ପାଇବା ଯୋଗୁଁ ବିଭିନ୍ନ କମ୍ପାନୀ ର ହାଇବ୍ରିଡ଼, ଅଧିକ ଅମଳ କ୍ଷମ ଧାନ କିଣିଥାଏ। ପ୍ରଥମେ କମ୍ପାନୀ ର ଏଜେଣ୍ଟ ମାନେ ଗାଁ ଗାଁ ବୁଲି ଚାଷୀ ଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥାନ୍ତି। ସାଧାରଣତଃ ବିଭିନ୍ନ କମ୍ପାନୀ ହାଇବ୍ରିଡ଼ ବୁଣି ଚଳିତ ବର୍ଷ ଚାଷୀ ହନ୍ତସନ୍ତ ହେଲେଣି। କମ୍ପାନୀ ମାନେ ଏକର ପିଛା ୨୫ ରୁ ୩୦ କ୍ୱିଣ୍ଟାଲ ଧାନ ଅମଳ ହେବ ବୋଲି ଚାଷୀ ଙ୍କୁ ପ୍ରତିଶ୍ରୁତି ଦେଇଥାଏ।
କିନ୍ତୁ ହାଇବ୍ରିଡ଼ ଧାନ ବିକ୍ରି ପରେ ଟଙ୍କା ଧରି କମ୍ପାନୀ ଏଜେଣ୍ଟ ଛୁ ମାରିଥାନ୍ତି। ମାଳ ମାଳ ଧାନ ବିହନ କମ୍ପାନୀ ନିଜର ହାଇବ୍ରିଡ଼ ଧାନ ବିକ୍ରି କରୁଥିବା ବେଳେ ଏମାନେ କୃଷି ଅଧିକାରୀ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବଜାରରେ ନକଲି ବିହନ ବିକ୍ରି କରିଥାନ୍ତି। ବେସରକାରୀ କମ୍ପାନୀ ପାଖରେ ଆବଶ୍ୟକ ଲାଇସେନ୍ସ ନ ଥାଏ। ବୋରିଗୁମ୍ମା ବ୍ଲକରେ ଚଳିତ ବର୍ଷ ୨୦ ହଜାର ହେକ୍ଟର ରୁ ଉର୍ଦ୍ଧ୍ବ ଧାନ ଚାଷ ହୋଇଛି। ଏକର ପିଛା ହାଇବ୍ରିଡ଼ ବିହନ ୬ କିଲୋଗ୍ରାମ ଆବଶ୍ୟକ ହୋଇଥାଏ। ବିଭିନ୍ନ କମ୍ପାନୀ ହାଇବ୍ରିଡ଼ ଧାନ ୬ କିଲୋଗ୍ରାମ କୁ ୧୫୦୦ ରୁ ୨୦୦୦ ଟଙ୍କା ହୋଇଥାଏ। କିନ୍ତୁ ନକଲି ବିହନ ବୁଣିବା ଯୋଗୁଁ ଧାନ ଅମଳ ବେଶ ପ୍ରଭାବିତ ହୋଇଛି।
କମ ଧାନ ଅମଳ ଯୋଗୁଁ କିଭଳି ଭାବେ ବର୍ଷସାରା ପରିବାର ପୋଷଣ ହେବ ଚିନ୍ତାରେ ଚାଷୀ। ଅନ୍ୟପଟେ ଚାଷୀ ଙ୍କ ଗୁହାରୀ ଶୁଣିବା ପାଇଁ କେହି ନାହିଁ। ଯେଉଁଠି ପାଣି ସୁବିଧା ରହିଛି ,ସେହି ସ୍ଥାନରେ ଧାନ ଚାଷ ହେବ। ବର୍ତ୍ତମାନ ବିଭିନ୍ନ ନକଲି ବିହନ କମ୍ପାନୀ ଏଜେଣ୍ଟ ଲୁଚି ଲୁଚି ନିଜର ବିହନ ବିକ୍ରି କରିବା ପାଇଁ ମସୁଧା ଚଳାଇଛନ୍ତି। ଏଣୁ କୃଷି ବିଭାଗ ତୁରନ୍ତ ନକଲି ବିହନ କମ୍ପାନୀ ମାନଙ୍କୁ ଠାବ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
କେ.ସାକିଲି ଦୋରା।