ଭୁବନେଶ୍ୱର, ୦୧ ଅକ୍ଟୋବର – ବର୍ତମାନ ଆଳୁ ,ପିଆଜ ଦର ବୃଦ୍ଧି ଏକ ଜାତୀୟ ସମସ୍ୟା ଏବଂ ରାଜ୍ୟ ସରକାର ଏହାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛନ୍ତି । କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ଏହାର ଆମଦାନୀ , ବିକ୍ରୟ ତଥା ଲବ୍ଧତା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଆବଶ୍ୟକ ପଡିଲେ ବ୍ୟବସାୟୀମାନଙ୍କ ବୈଠକ ଡକାଇ ଏହାର ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ପ୍ରକାଶ କରିଛନ୍ତି ।
ସଭ୍ୟ ପ୍ରଫୁଲ୍ଲ ସାମଲଙ୍କ ଅଣତାରକା ପ୍ରଶ୍ନର ଉତରରେ ମନ୍ତ୍ରୀ କହିଥିଲେ ଯେ ଆଳୁ ଓ ପିଆଜରେ ଓଡିଶା ଏକ ନିଅଂଟିଆ ରାଜ୍ୟ ।ତେଣୁ ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ପିଆଜ ପାଇଁ ମହାରାଷ୍ଟ୍ର ,କର୍ଣ୍ଣାଟକ ଓ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି । ଆନ୍ଧ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ଅଗଷ୍ଟ ମାସରେ ଉତ୍ପାଦିତ ହେବାକୁ ଥିବା ଖରିଫ ପିଆଜ ନଷ୍ଟ ହୋଇଯାଇଥିବାରୁ ମହାରାଷ୍ଟ୍ରରୁ ଆସିଥିବା ପିଆଜର ଦର ବୃଦ୍ଧି ପାଇଛି । ସେହିପରି ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ କମ୍ ହୋଇଥିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଗୃହକୁ ଜଣାଇଛନ୍ତି ।