ନୂଆପଡା- ୫/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) : ଲକଡାଉନ ସମୟ ରେ କୋରୋନା ସମସ୍ତଙ୍କ ଠାରୁ ରୋଜଗାର ଛଡାଇ ନେଇଥିବା ବେଳେ ଶ୍ରମିକମାନଙ୍କୁ ନିଯୁକ୍ତି ଦେଇ ଚର୍ଚ୍ଚାରେ ଜଣେ ସରପଞ୍ଚ। ପଞ୍ଚାୟତବାସୀଙ୍କୁ କିପରି ରୋଜଗାରକ୍ଷମ କରାଇବି ଏବଂ ସମସ୍ତଙ୍କ ମୁହଁରେ ହସର ଫୁଟାଇ ତାଙ୍କ ଦୁଇବେଲା ଚୁଳି ଜଳିବ ସେଥିପାଇଁ ପ୍ରୟାଷ କରିଛନ୍ତି ଏହି ନୂଆପଡ଼ା ପଞ୍ଚାୟତର ସରପଞ୍ଚ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନୂଆପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଦ୍ୟାଧର ବୋଡକିଆ। ସରପଞ୍ଚ ପ୍ରାୟ ୬୦୦ ପ୍ରବାସୀ ଶ୍ରମିକଙ୍କୁ ଦାଦନ ଖଟିବାରୁ ମୁକ୍ତିଦେଇ ନିଜ ଗ୍ରାମରେ ନିଯୁକ୍ତି ଦେଇଛନ୍ତି ସରପଞ୍ଚ ବିଦ୍ୟାଧର। ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ ୧୨୦ କିଲୋମିଟର ଦୂରେ ଛତିଶଗଡ ସୀମାନ୍ତକୁ ଲାଗି ରହିଛି ଏହି ଉପାନ୍ତ ନୂଆପଡା ଗ୍ରାମ ପଞ୍ଚାୟତ। ପଞ୍ଚାୟତରେ ଛୋଟ ବଡ ୮ ଟି ଗ୍ରାମ ୧୧ଟି ୱାର୍ଡ ଥିବାବେଳେ ପ୍ରାୟ ୩ ହଜାର ଲୋକେ ଏଠାରେ ବସବାସ କରନ୍ତି।
ମାତ୍ର ଅଧିକାଂଶ ଲୋକ ଦିନ ମଜୁରିଆ ଭାବେ ଗୁଜୁରାଣ ମେଣ୍ଟାନ୍ତି। ମହାମାରୀ କାରଣରୁ ଲକଡାଉନ, ସଟଡାଉନ ସମୟରେ ହାତବାନ୍ଧି ଘରେ ବସିରହି ଚିନ୍ତାରେ ଭାଙ୍ଗି ପଡିଥିଲେ ଗାଁର ଛ ଶହ ଶ୍ରମିକ ପରିବାର। ସରପଞ୍ଚ ବିଦ୍ୟାଧର ମନରେଗା ଯୋଜନାରେ ଏହି ଶ୍ରମିକମାନଙ୍କୁ ବିଭିନ୍ନ ଛୋଟବଡ କାର୍ଯ୍ୟରେ ତିନି ମାସ ପର୍ଯ୍ୟନ୍ତ ନିଯୁକ୍ତି ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ମନରେଗା ଯୋଜନାକୁ ସଫଳ କରିବା ପାଇଁ ସରପଞ୍ଚଙ୍କୁ ପ୍ରତ୍ୟେକ୍ଷ ଭାବରେ ଜିଲ୍ଲା ପ୍ରଶାସନ ଅଧିକାରୀ ସହଯୋଗ କରିଛନ୍ତି ।
ଏଥିରେ ଗ୍ରାମ ପଞ୍ଚାୟତର ବିକାଶ ହେବା ସହ କାମକରି ରୋଜଗାରକ୍ଷମ ହୋଇ ପାରିଛନ୍ତି କେତକ ଶ୍ରମିକମାନେ। ବଣ ପାହାଡ ଘେରା ପ୍ରାକୃତିକ ପରିବେଶରେ ଭରପୁର ଥିବା ଏହି ଗ୍ରାମପଞ୍ଚାୟତ ଏବେ ବିକାଶ ପଥରେ ଅଗ୍ରଗତି କରୁଥିବା ଦେଖାଦେଇଛି। ଗମ୍ଭାରୀଗୁଡା ଗ୍ରାମ ଚୁଆଁଡୋଲି ବନ୍ଦ ଉନ୍ନତିକରଣ, ପତିଆଲପଡା ହାଇସ୍କୁଲ ଖେଳ ପଡିଆ ଉନ୍ନତିକରଣ, ଗୁଏଲପାଣି ବ୍ରିଜ ନିର୍ମାଣ, ଆଦର୍ଶ ଗାଈ ଗୁହାଳ, ଡଗୱେଲ କୂପ ଖନନ, ଜମି ମରାମତି ଭଳି ମନରେଗା ଯୋଜନାରେ ଏକାଧିକ କାର୍ଯ୍ୟ ସଫଳ ଭାବେ ସମ୍ପର୍ଣ୍ଣ ହୋଇପାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନୂଆପଡା,ଗମ୍ଭାରୀଗୁଡା, ଅର୍ସାପଡା, ପୀଠାପଡା, ପତିଆଲପଡା, ଗୋଏଲପାଣି ଗ୍ରାମର ଛ ଶହ ଶ୍ରମିକଙ୍କୁ ଲକଡାଉନ ସମୟରେ ରୋଜଗାର ଦେଇପାରିଥିବା ସିନାପାଲି ବିଡିଓ ସଦାଶିବ ନାୟକ ପ୍ରକାଶ କରିଛନ୍ତି। ଆଗକୁ ଆହୁରି ଅନେକ ଗାଁଗୁଡିକରେ ବିକାଶ କାମ ଆଗେଇ ନେବେ ବୋଲି ସରପଞ୍ଚ କହିଛନ୍ତି। ତେବେ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ଜିଲାରେ ଅନ୍ୟମାନଙ୍କୁ ଉଦାହରଣ ଓ ପ୍ରେରଣା ଦେବ ବୋଲି ଚର୍ଚ୍ଚା ହେଉଛି ।
Comments are closed.