Odisha news

ନୂଆପଡାରେ ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ପ୍ରଶାସନର ସମ୍ମିଳିତ ବୈଠକ

0
ନୂଆପଡ଼ା -୨୧/୫ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ ପାଇଁ ବିଭିନ୍ନ ବିଭାଗର ସମ୍ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ବୈଠକକୁ ଉଦ୍ବୋଧନ ଦେଇ ଜିଲ୍ଲାପାଳ କହିଲେଯେ ଜିଲ୍ଲାରେ  ପ୍ରବାସୀ ଶ୍ରମିକ ପ୍ରଥା ଏକ ଆହ୍ଵାନ ରୂପେ ଆମ ସମ୍ମୁଖରେ ଠିଆ ହୋଇଛି lସମସ୍ତ ବିଭାଗର ଉତ୍ସର୍ଗୀକୃତ ଉଦ୍ୟମ କ୍ରମେ ଏହି ସାମାଜିକ କଳଙ୍କର ନିରାକରଣ ହୋଇ ପାରିବ lଜିଲ୍ଲାରେ ପ୍ରବାସୀ ଶ୍ରମିକ ପଳାୟନ କୁ ଯେ କୌଣସି ପ୍ରକାରେ ରୋକିବା ପାଇଁ  ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇଥିଲେ l ବିଭିନ୍ନ ବିଭାଗର ବିଗତ ଦିନର କାର୍ଯ୍ୟାବଳୀକୁ ଦେଖି  ପ୍ରବାସୀ ଶ୍ରମିକ ମାନଙ୍କୁ କେତେ ସହାୟତା ପ୍ରଦାନ କରାଯାଇଛି ତାର ସମୀକ୍ଷା କରାଗଲା ।ଜଣାଗଲାଯେ  ଏପ୍ରିଲ୍ ମାସରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ୧୯୮୦୩ ଟି ପରିବାରର ଶ୍ରମିକ ପୁରୁଷ ଓ ମହିଳା ମାନଙ୍କ ଙ୍କୁ କାମ ଯୋଗାଇ ଦିଆଯାଇଛି l ଆଜିର ତାରିଖରେ ଜିଲ୍ଲାରେ ଦୈନିକ ୪୧,୦୦୦ ରୁ ଉର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟରତ ଅଛନ୍ତି l ଜଳ ବିଭାଜକା ପ୍ରକଳ୍ପ ତରଫରୁ ୨ ଟି ପରିବାର ପାଇଁ  ବନ୍ଧ ଖନନ କରା ଯାଇଛି । ମତ୍ସ୍ୟ ବିଭାଗ ତରଫରୁ ୧୦ ଟି ମତ୍ସ୍ୟଜୀବୀ ପରିବାର କୁ ମାଛ ଜାଲ କିଣିବା ପାଇଁ ସହାୟତା ଯୋଗାଇ ଦିଆ ଯାଇଛି।ମିଶନ ଶକ୍ତି ଓ ଜୀବିକା ମିଶନ ତରଫରୁ ୨୨୮ ଟି ଶ୍ରମିକ ପରିବାର ମାନଙ୍କୁ  ୩୧ଲକ୍ଷ ୫୨ ହଜାର ଟଙ୍କା ବ୍ୟାଙ୍କ୍ ସହାୟତା  ଯୋଗାଇ ଦିଆଯାଇଛି l  l ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ବାରା ୭ ଟି ପରିବାରକୁ କାମ ଯୋଗାଇ ଦିଆଯାଇଛି  l ପ୍ରବାସୀ ଶ୍ରମିକ ମାନଙ୍କ  ହାଇସ୍କୁଲ୍ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ  ଭତ୍ତା ପ୍ରଦାନ କରାଯାଇଛି ।  ଜିଲ୍ଲା କର୍ମ ନିୟୋଜନ ବିଭାଗ ତରଫରୁ ଅନେକ ପ୍ରବାସୀ ଶ୍ରମିକ ପରିବାରର ଯୁବକ ଯୁବତୀ ମାନଙ୍କୁ  ରୋଜଗାର କ୍ଷମ ହେବା ପାଇଁ ସୁଯୋଗ ଦିଆ ଯାଇଛି। ବିଭିନ୍ନ ତହସିଲଦାର ମାନେ ଘର ଡିହ ନଥିବା  ଶ୍ରମିକ ପରିବାରଙ୍କୁ ୪ ଡିସିମିଲ କରି ଜମିପଟ୍ଟା ଯୋଗାଇ ଦେଇ ଛନ୍ତି l ଭୂମିହୀନ ପ୍ରବାସୀ ଶ୍ରମିକ ମାନଙ୍କୁ  ଚାଷୋପଯୋଗୀ ଜମି ଲିଜ୍ ରେ ଯୋଗାଇଦେବା ପାଇଁ ଜିଲ୍ଲାପାଳ  ସମସ୍ତ ତହସିଲଦାର ଓ ଉପ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ଏଲ୍ ଡି ଏମ୍ ଙ୍କ ପ୍ରଚେଷ୍ଟାରେ ପ୍ରବାସୀ ଶ୍ରମିକ ପରିବାର ରୁ ୬ ଜଣଙ୍କୁ  ମତ୍ସ୍ଯ ରୁଣ , ୧୫ ଜଣଙ୍କୁ ଗାଈ ରୁଣ ଏବଂ ୪ ଜଣଙ୍କୁ ଉଦ୍ୟାନ କୃଷି ପାଇଁ ରୁଣ ଯୋଗାଇ ଦିଆଯାଇଛି l ନୂତନ ଉତ୍ସାହରେ ଆହୁରି ଅଧିକ ପ୍ରଚେଷ୍ଟା କରି ଜିଲ୍ଲାକୁ ସମ୍ପୂର୍ଣ୍ଣ ଦାଦନ ଶ୍ରମିକ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ପ୍ରଶାସନିକ ତଥା ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି l ସେ କହିଲେ ଯେ ପରିବହନ ଅଧିକାରୀ ଯୁବ ଶ୍ରମିକ ମାନଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେଇ ସେମାନଙ୍କୁ ଚାରି ଚକିଆ ଯାନ ଋଣ ପାଇଁ ସହାୟତା କରିବେ । ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ପ୍ରବାସୀ ଶ୍ରମିକ ଚାଲାଣ କରୁଥିବା ବସ୍ ମାନଙ୍କ ଚଳାଚଳ ସମ୍ପୂର୍ଣ ବନ୍ଦ କରିବେ l ଶ୍ରମ ବିଭାଗ ବେଆଇନ୍ ଶ୍ରମିକ ଦଲାଲ୍ ମାନଙ୍କୁ ଗିରଫ କରିବା ପାଇଁ ତହସିଲଦାର ଓ ପୋଲିସ ସହ ମିଳିତ ପଦକ୍ଷେପ ନେବେ।ଜିଲ୍ଲା ଶ୍ରମ ଅଧିକାରୀ ଦାଦନ ଯାଇଥିବା ଶ୍ରମିକ ମାନଙ୍କୁ ସେଇ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହାୟତାରେ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା କରିବେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେମାନଙ୍କ ଛୁଆ ମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଦାଖଲ କରିବା ସହିତ ସେହି ପରିବାର ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେବେ।ଏସ୍ ପି, ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଜିଲ୍ଲା ଶ୍ରମ ଅଧିକାରୀ ମିଳିତ ଭାବରେ ଅଚାନକ ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ ଗସ୍ତ କରି ଦାଦନ ଚାଲାଣ ରୋକିବେ। ସମସ୍ତ ବିଡ଼ିଓ ପ୍ରତି ବୁଧବାର ଦିନ ରୋଜଗାର ଦିବସ ସୃଷ୍ଟି କରି ଗାଁ ଶ୍ରମିକ ମାନଙ୍କୁ ମନରେଗା ପ୍ରତି ଆକୃଷ୍ଟ କରିବେ । ବନଖଣ୍ଡ ଅଧିକାରୀ କହିଲେ ଯେ  କାମ୍ପା, ବନୀକରଣ ଓ ନର୍ସରୀ ମାନଙ୍କରେ ମନରେଗା ଯୋଜନାରେ ପର୍ଯ୍ୟାପ୍ତ କାମ ଯୋଗାଇ ଦିଆଯିବ l ସୂଚନାଯୋଗ୍ୟ ଯେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ  ପ୍ରଶାସନ ଚଳ ଚଞ୍ଚଳ ହୋଇ ଦାଦନ ପ୍ରଥାର ବିଲୋପ ପାଇଁ ରଣନୀତି ସ୍ଥିର କରିଛି l ତାଙ୍କ ଉଦ୍ୟମ କ୍ରମେ ଶ୍ରମ, ପଞ୍ଚାୟତିରାଜ , ରାଜସ୍ୱ,କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ଯୋଗାଣ, ସମାଜ ମଙ୍ଗଳ, ଶିକ୍ଷା , ହସ୍ତ ଶିଳ୍ପ, ଜିଲ୍ଲା ଶିଳ୍ପ କେନ୍ଦ୍ର ଇତ୍ୟାଦି ବିଭିନ୍ନ ବିଭାଗର ସମୟୋଚିତ  କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜିଲ୍ଲାରୁ ହଜାର ହଜାର ପରିବାର ପ୍ରବାସୀ ଶ୍ରମିକ ହିସାବରେ ନଯାଇ ନିଜ ଅଞ୍ଚଳରେ ଶ୍ରମଦାନ ତଥା ବିଭିନ୍ନ ବ୍ୟବସାୟ କରି ପରିବାର ପ୍ରତି ପୋଷଣ କରି ପାରୁଛନ୍ତି ।
ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆହୁତ ଆଜିର ଏହି ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜି ଆର୍ ରାଘବେନ୍ଦ୍ର ରେଡ୍ଡୀ, ବନଖଣ୍ଡ ଅଧିକାରୀ ଅଜିଜ ଖାନ,  ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର,  ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,
ଏପି ଡି ଯୋଗେଶ୍ଵର ଭୋଇ, ସମସ୍ତ ବିଡିଓ ,  ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ୍ ବିଭାଗ ଅଧିକାରି ଯୋଗଦେଇଥିଲେ l ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ମୂଳୋତ୍ପାଟନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ ଦେଇ ସହଯୋଗ କାମନା
କରିଥିଲେ ।
Leave A Reply