ନୂଆପଡ଼ା -୨୧/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲା କୋମନା ବ୍ଲକ ଧରମପୁର ଗ୍ରାମ ଠାରୁ ହାତିସରା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଓ ସେତୁ ନିର୍ମାଣ କରାଯାଇଛି। ରାସ୍ତା ନିର୍ମାଣ ହେବାର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ନ ମିଳିବାରୁ ମଙ୍ଗଳବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶୀଘ୍ର ଉପରୋକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ୧୫ ଦିନ ମଧ୍ୟରେ କ୍ଷତିପୂରଣ ସହାୟତା ରାଶି ନ ମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ ରାସ୍ତା ନିର୍ମାଣ ସମୟରେ ତରବୋଡ ପଞ୍ଚାୟତ ଧରମପୁର ଓ ଦର୍ଲିପଡା ପଞ୍ଚାୟତ ହାତିସରା ଗାଁର ପାଖାପାଖି ୩୦ ଚାଷୀଙ୍କ ଜମି ଯାଇଛି। ଜମିର ଉଭୟ ପାର୍ଶ୍ୱରେ ମାଟି ପୋତିହୋଇ ଯାଇଥିବାରୁ ଚାଷ କାର୍ଯ୍ୟରେ ବାଧା ଉପୁଜୁଛି। ଏହାକୁ ନେଇ ଚାଷୀମାନେ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇ ବାରମ୍ବାର ହାରିଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ସମାଧାନ ନ ହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରଘୁ ବନଛୋର, ପ୍ରତାପ କଟା, ଗୋବର୍ଦ୍ଧନ ମାଝିଙ୍କ ସମତେ ଗ୍ରାମବାସୀ ଉପସ୍ଥିତ ଥିଲେ ।