Odisha news

ନିର୍ଭୟା ଦୋଷୀ : ବେକ ମୋଟୋଇ ମାପ ବେଳେ କାନ୍ଦି ପକାଇଲେ

0

ନୂଆଦିଲ୍ଲୀ  :  ଆଉ ମାତ୍ର ୮ ଦିନ । ସାରା ଦୁନିଆ ଦେଖିବ ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀଙ୍କ ମୃତ୍ୟୁଦଣ୍ଡ । ଘାତକ ତୟାର୍, ଫାଶୀ ଦଉଡ଼ି ଓ ତିହାର୍ ଜେଲ୍ ବି ତୟାର୍ ।

ତାରିଖ ଜାନୁୟାରୀ ୨୨ । ସମୟ ସକାଳ ୭ଟା। ଜହ୍ଲାଦ ବି ତୟାର୍ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦରିନ୍ଦା । ଗୋଟିଏ ପଟେ ଆତଙ୍କରେ ୪ ଦୋଷୀ ମୃତ୍ୟୁର ଦିନ ଗଣୁଥିବାବେଳେ ତିହାର୍ ଜେଲ୍‌ରେ ଚାଲିଛି ଫାଶୀ ପାଇଁ ରିହର୍ସାଲ । ଫାଶିରେ ଯେଭଳି କାଣିଚାଏ ବି ତ୍ରୁଟି ନହୁଏ, ସେଥିପ୍ରତି ଛୁଞ୍ଚିମାଛି ପରୀକ୍ଷା କରାଯାଇ ମକ୍ ହ୍ୟାଙ୍ଗିଙ୍ଗ୍ କରାଯାଇଛି ଜେଲ୍ ଭିତରେ । ଏହା ଭିତରେ ଦୋଷୀ ମୁକେଶ୍, ପୱନ, ବିନୟ ଓ ଅକ୍ଷୟର ଓଜନ ମପା ଯାଇଛି। ପରେ ବେକର ମୋଟୋଇକୁ ମାପିଥିଲେ ଜେଲ୍ କର୍ତ୍ତୃପକ୍ଷ । କାରଣ ଶରୀର ଓଜନ ଏବଂ ବେକର ମୋଟୋଇକୁ ଦେଖି ତିଆରି ହୋଇଥାଏ ଫାଶ ।

ବେକ ମାପ ନେବାବେଳେ ଦୋଷୀମାନେ ଭୋ ଭୋ ହୋଇ କାନ୍ଦିଥିବା ସୂଚନା ମିଳିଛି। ଜେଲ୍ ମାନୁଆଲ୍ ଅନୁଯାୟୀ, ୪୫ରୁ ୭୦ କେଜି ଓଜନ ଭିତରେ ଥିବା ଦୋଷୀଙ୍କୁ ଫାଶି ଦେବା କ୍ଷଣି ପ୍ରାୟ ସାଢ଼େ ୬ ଫୁଟ୍ ତଳକୁ ଶରୀରକୁ ଝୁଲାଇ ଦିଆଯାଇଥାଏ। ଏଥିପାଇଁ ୪ ଦୋଷୀଙ୍କ ଉଚ୍ଚତା ବି ମପାଯାଇଥିଲା । ଶରୀରର ଓଜନ ଓ ଲମ୍ବ ଅନୁଯାୟୀ ବାଲି ବସ୍ତା ଦ୍ୱାରା ଜେଲ୍ ଭିତରେ କରାଯାଇଥିଲା ମକ୍ ହ୍ୟାଙ୍ଗିଙ୍ଗ୍ ।

କେବଳ ଏତିକି ନୁହେଁ, ଦୋଷୀଙ୍କ ନିୟମିତ ଡାକ୍ତରୀ ପରୀକ୍ଷା ସହ ଓଜନ ଉପରେ କଡ଼ା ନଜର ରଖାଯାଇଛି । ପ୍ରତିଦିନ ଦଉଡ଼ିର ମସୃଣତା ସହ ପ୍ଲାଟଫର୍ମ ଓ ଫାଶୀ ଦଉଡ଼ିର ଗଣ୍ଠି ପରୀକ୍ଷା ବି କରାଯାଉଛି । ୪ ଦୋଷୀଙ୍କୁ ଜେଲ୍‌ର ଅଲଗା ଅଲଗା ସେଲ୍‌ରେ ରଖାଯାଇଛି । ତେବେ ଏହି ୪ ଜଣଙ୍କୁ ଫାଶୀ ଦେବେ କିଏ ? ବର୍ତ୍ତମାନ ସୁଦ୍ଧା ଘାତକ ପବନଙ୍କ ନାଁ ଏକପ୍ରକାର ଚୁଡାନ୍ତ ହୋଇଥିବାବେଳେ ଆଉ ଜଣେ ଜହ୍ଲାଦଙ୍କୁ ମଧ୍ୟ ଖୋଜାଚାଲିଛି। ନମିଳିଲେ ପବନ ହିଁ ଏହି ୪ ଦୋଷୀଙ୍କୁ ତିହାର୍ ଜେଲ୍‌ର ଫାଶୀ ଖୁଣ୍ଟରେ ଝୁଲାଇବେ ବୋଲି କୁହାଯାଉଛି।

ଫାଶୀରେ ଝୁଲିବା ପୂର୍ବରୁ ଏବେ ମାତ୍ର ଗୋଟିଏ ପ୍ରତିବନ୍ଧକ ବାକି ଅଛି । ତା ହେଉଛି କ୍ୟୁରେଟିଭ୍ ପିଟିସନ୍‌ର ଶୁଣାଣି । ମୁକେଶ ଏବଂ ବିନୟ ପକ୍ଷରୁ ଦାଖଲ ହୋଇଥିବା କ୍ୟୁରେଟିଭ୍ ପିଟିସନ୍  ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ଶୁଣାଣି କରିବେ ।

Leave A Reply