ନର୍ଲା (ଦୀପକ କୁମାର ଠାକୁର) : କରୋନା ମହାମାରୀ ସମୟରେ ଲକଡାଉନ ଯୋଗୁଁ ବନ୍ଦ ଥିବା ସ୍କୁଲ ଗୁଡ଼ିକ ଖୋଲିବା ଆଗରୁ ଶିକ୍ଷା ବ୍ୟବସ୍ଥାକୁ ସ୍ଵାଭାବିକ କରିବାକୁ ନର୍ଲା ବ୍ଳକରେ ଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ନର୍ଲା ଏ.ବି.ଓ ଜୟଶଙ୍କର ନିଆଲ,ଏ.ବି.ଓ ସଚିଦାନନ୍ଦ ନାଏକଙ୍କ ନେତୃତ୍ବରେ ବ୍ଳକର ଭୀମକେଲା ନୋଡାଲ ଉ.ପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟାନ୍ୱୟନ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଭୀମକେଲା କ୍ଲଷ୍ଟର ସିଆରସିସି କିଶୋର ଭୋଇ, ରୁପ୍ରା ସିଆରସିସି ଆଦିକନ୍ଦ ସାହୁ, କ୍ଲଷ୍ଟର ସମୂହର ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବୈଠକଟି ହୋଇଛି। ପୁଷ୍ଟିକର ଉଦ୍ୟାନ, ରେଡ଼ିଓ ପାଠଶାଳା,ଶୈକ୍ଷଣୀୟ ଉପକରଣ ତିଆରି, ଶିକ୍ଷଣ ଫଳାଫଳ, ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟର ରେକର୍ଡ ପତ୍ର ପ୍ରସ୍ତୁତି , ରକ୍ଷଣାବେକ୍ଷଣ,ମୋ ସ୍କୁଲ ଅଭିଯାନ ଆଦି ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହାର ତଦାରଖ ପାଇଁ ବ୍ଳକ ଓ କ୍ଲଷ୍ଟର ସ୍ତରୀୟ କୋର କମିଟିମାନ ଗଠନ ସହ ବିଭାଗକୁ ଆହୁରି କ୍ରିୟାଶୀଳ ପାଇଁ କାର୍ଯ୍ୟାନ୍ୱୟନ ବୈଠକର ନିଷ୍ପତିକୁ ଗୁରୁତ୍ୱ ଦିଆଯାଇଛି।
ବୈଠକରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୂତି ଭୂଷଣ ସାହୁଙ୍କ ସହ ୧୫ ଗୋଟି ବିଦ୍ୟାଳୟରୁ ଆସିଥିବା ୫୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରି ବୈଠକଟିକୁ ସଫଳ କରିଥିଲେ।