Odisha news

ଦ୍ୱିତୀୟ ତ୍ରୈମାସିକ ଫଳାଫଳ : ନାଲକୋର ନିଟ୍ ଲାଭ 107 କୋଟି ଟଙ୍କା

0

ଭୁବନେଶ୍ୱର, 11.11.2020: ପ୍ରତିକୂଳ ବ୍ୟବସାୟିକ ପରିବେଶ ସତ୍ତ୍ୱେ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) 2020-21 ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ 107.45 କୋଟି ଟଙ୍କାର ନିଟ୍ ଲାଭ କରିଅଛି ।  ଉକ୍ତ ତ୍ରୈମାସରେ କମ୍ପାନୀ 2375 କୋଟି ଟଙ୍କା କାରବାର କରି ପ୍ରଥମ ତ୍ରୈମାସ ତୁଳନାରେ 72 ପ୍ରତିଶତ ଅଭିବୃଦ୍ଧି କରିଅଛି । 2020-21 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କମ୍ପାନୀ 1381 କୋଟି ଟଙ୍କାର କାରବାର କରିଥିଲା ।

2020-21 ଆର୍ଥିକ ବର୍ଷର ପ୍ରଥମ ଛ ମାସରେ କମ୍ପାନୀ 124 କୋଟି ଟଙ୍କା ନିଟ୍ ଲାଭ କରିଅଛି ।  ଗତ ବର୍ଷ ଏହି ସମୟସୀମା ମଧ୍ୟରେ ଏହି ପରିମାଣ 70 କୋଟି ଟଙ୍କା ଥିଲା ।

ଉତ୍ପାଦନ କ୍ଷେତ୍ରରେ ନାଲକୋ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ 17.04 ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଥିବା ବେଳେ ଆଲୁମିନା ହାଇଡ୍ରେଟ ଉତ୍ପାଦନ 4.87 ଲକ୍ଷ ଟନ୍ ଥିଲା । ଏହି ସମୟ ସୀମାରେ କମ୍ପାନୀ 1.06 ଲକ୍ଷ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଥିଲା ।

ଦେଶର ଅନ୍ୟତମ ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନକାରୀ ସଂସ୍ଥା ଭାବେ ନାଲକୋ ରପ୍ତାନି କ୍ଷେତ୍ରରେ ମଧ୍ୟ ଏହି ତ୍ରୈମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରି ଅଛି । ନାଲକୋ ଏହି ଦ୍ୱିତୀୟ ତ୍ରୈମାସରେ ମୋଟ 58,574 ମେଟ୍ରିକ ଟନ୍ ଆଲୁମିନିୟମ ବିକ୍ରୟ କରିଅଛି ଯାହା ଗତ ବର୍ଷ ଏହି ସମୟରେ 16,305 ମେଟ୍ରିକ ଟନ୍ ଥିଲା । ଏହି ତ୍ରୈମାସରେ ମୋଟ ଆଲୁମିନା ବିକ୍ରୟ 285,718 ମେଟ୍ରିକ ଟନ୍ ହୋଇଅଛି ।

ଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛ ମାସରେ କମ୍ପାନୀ ତିନି ଗୁଣା ଆଭିବୃଦ୍ଧି ସହିତ 93,730 ମେଟ୍ରିକ୍ ଟନ୍ ଆଲୁମିନିୟମ୍ ରପ୍ତାନି କରିଅଛି ଯାହା ଗତ ବର୍ଷ ଏହି ସମୟରେ 30,561 ମେଟ୍ରିକ୍ ଟନ୍ ଥିଲା ।

ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଲକୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି, “ଚଳିତ ବର୍ଷ ଅପ୍ରତ୍ୟାଶିତ ପରିସ୍ଥିତି ସମଗ୍ର ବିଶ୍ୱକୁ ପ୍ରଭାବିତ କରିଅଛି । ପ୍ରତିକୂଳ ପରିସ୍ଥିତି ତଥା ବଜାର ମାନ୍ଦାବସ୍ଥା ଏବଂ କୋଭିଡ୍ ମହାମାରୀର ପ୍ରଭାବ ସତ୍ତ୍ୱେ ନାଲକୋର ଦଳଗତ ପ୍ରଚେଷ୍ଟା ନିଜର ଉତ୍ପାଦନ ଏବଂ ବ୍ୟବସାୟକୁ ସଫଳତାର ସହିତ ପରିଚାଳନା କରି ପାରିଅଛି । କମ୍ପାନୀ ନିଜର ପ୍ରତିସ୍ପର୍ଦ୍ଧା ବଜାୟ ରଖିବା ସହିତ ନିଜର ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦନ ଉପଲଭ୍ଧ କରାଇବା ତଥା ଆତ୍ମନିର୍ଭର ଭାରତ ନିର୍ମାଣରେ ନିଜର ଯୋଗଦାନ ପାଇଁ ପ୍ରତିଶ୍ରୁତିବଦ୍ଧ” ।

 

 

Leave A Reply