ଭୁବନେଶ୍ୱର, ୦୩.୧୨.୨୧: ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ୟ୍ୟାଳୟଠାରେ ନଗର ରାଜଭାଷା କାର୍ୟ୍ୟାନ୍ୱୟନ ସମିତି (ଉପକ୍ରମ)ର ୧୪ତମ ବୈଠକ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି। ଶ୍ରୀ ପାତ୍ର ନିଜର ଉଦବୋଧନରେ, ସମସ୍ତ ପି.ଏସ.ୟୁ ଏବଂ ସରକାରୀ ସଂଗଠନଗୁଡ଼ିକୁ, ଦୈନନ୍ଦିନ ସରକାରୀ କାର୍ୟ୍ୟରେ ଯଥାସମ୍ଭବ ହିନ୍ଦୀ ଭାଷାର ବ୍ୟବହାର କରିବା ପାଇଁ ଉତ୍ସାହିତ କରିଥିଲେ । ଏଥିସହ ରାଜଭାଷାର କାର୍ୟ୍ୟକାରିତା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀଗୁଡ଼ିକର ସୂଚାରୁ ରୂପେ ଅନୁପାଳନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍, ପାୱାର୍ ଗ୍ରୀଡ୍ କର୍ପୋରେସନ୍ ଲିମିଟେଡ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ୨୦୨୦-୨୧ ମସିହା ନିମନ୍ତେ ଶ୍ରେଷ୍ଠ ରାଜଭାଷା କାର୍ୟ୍ୟାନ୍ୱୟନ ପୁରସ୍କାର ପାଇଁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ସଂସ୍ଥାଗୁଡ଼ିକୁ ସେମାନଙ୍କ ସଫଳତା ପାଇଁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସଂସ୍ଥାଗୁଡ଼ିକର ରାଜଭାଷା ଅଧିକାରୀମାନଙ୍କୁ ମଧ୍ୟ ଏହି ଅବସରରେ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।
ଉକ୍ତ କାର୍ୟ୍ୟକ୍ରମରେ କମିଟିର ଉପାଧ୍ୟକ୍ଷ ତଥା ନାଲକୋର ନିର୍ଦ୍ଦେଶକ (ମାନବ ସମ୍ୱଳ) ଶ୍ରୀ ରାଧାଶ୍ୟାମ ମହାପାତ୍ର ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଉପ ନିର୍ଦ୍ଦେଶକ (ନିୟୋଜନ) ଶ୍ରୀ ନିର୍ମଳ କୁମାର ଦୁବେ ଯୋଗ ଦେଇଥିଲେ।
ଶ୍ରୀ ଦୁବେ ସମସ୍ତ ସଦସ୍ୟ କାର୍ୟ୍ୟାଳୟରେ ରାଜଭାଷା କାର୍ୟ୍ୟକାରିତାର ସମୀକ୍ଷା କରିବା ସହିତ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶାବଳୀ ପ୍ରଦାନ କରିଥିଲେ । ଏହି ଅବସରରେ ରାଜଭାଷା କାର୍ୟ୍ୟାନ୍ୱୟନ ସମିତି ଅଧ୍ୟକ୍ଷଙ୍କ କାର୍ୟ୍ୟାଳୟ ଦ୍ୱାରା ଶ୍ରୀ ଦୁବେଙ୍କ ସହଯୋଗରେ ସମସ୍ତ ସଦସ୍ୟ କାର୍ୟ୍ୟାଳୟଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ହିନ୍ଦୀ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା ।