ନୂଆଦିଲ୍ଲୀ : ପୋଲିସର ନାଁ ଶୁଣିଲେ ସମସ୍ତେ ଥରହର ହୋଇଥାନ୍ତି l କିନ୍ତୁ ଆଜିକାଲି ମଧ୍ୟପ୍ରଦେଶର ବୈତୁଲ ପୋଲିସ ଷ୍ଟେସନରେ ଗୋଟିଏ ମାଙ୍କଡ ପୋଲିସ ମାନଙ୍କର ନିଦ ହଜାଇଦେଇଛି l ଗତ ଦଶଦିନ ହେଲାଣି ପୋଲିସ ଷ୍ଟେସନର ଷ୍ଟାଫ ମାନେ ଏହି ମାଙ୍କଡ ଦ୍ୱାରା ହଇରାଣ ହରକତ ହେଉଛନ୍ତି l ଏହି ମାଙ୍କଡଟି ଥାନା ଭିତରେ ପଶି ଟେବୁଲ ଓ ଚେୟାର ଉପରେ ବସି ଫାଇଲ ଗୁଡିକୁ ଏପଟସେପଟ କରୁଛି l
କେତେବେଳେ କେମିତି ପୋଲିସ ବାଲାଙ୍କର ମଟର ସାଇକେଲ ଉପରେ ବସି ପଡୁଛି ଓ ସେମାନଙ୍କର କାନ ଧରି ମୋଡ଼ୁଛି l ବେଳେବେଳେ ପୋଲିସ କର୍ମୀ ମାନେ ଏହି ମାଙ୍କଡକୁ ଡରି ଥାନା ଭିତରେ କବାଟ ବନ୍ଦ କରି ବସୁଛନ୍ତି l
କେବଳ ପୋଲିସ ନୁହେଁ ସହର ବାସିନ୍ଦା ମଧ୍ୟ ଏହି ମାଙ୍କଡ ଦ୍ୱାରା ଆତଙ୍କିତ ଅଛନ୍ତି l ଏହି ମାଙ୍କଡ ଦ୍ୱାରା ଆତଙ୍କିତ ହୋଇ ପୋଲିସ କର୍ମୀ ବନବିଭାଗ ପାଖରୁ ସାହାଯ୍ୟ ନେଇଥିଲେ ଓ ଏହି ମାଙ୍କଡକୁ ଜାଲ ବିଛାଇ ଧରି ସାରିବା ପରେ ପିଞ୍ଜରା ଭିତରେ ପୁରାଇ ନିକଟରେ ଥିବା ମୋବାଡ ଜଙ୍ଗଲରେ ଛାଡି ଦେଇଥିଲେ l
ପୋଲିସର ସୂଚନା ଅନୁସାରେ ମାଙ୍କଡଟି ଥାନା ମଧ୍ୟକୁ ଆସି ଗତ ୧୫ ଦିନ ହେଲା ସମସ୍ତ ଷ୍ଟାଫ ଓ ନିକଟରେ ଥିବା ସହର ବାସିନ୍ଦାଙ୍କୁ ହଇରାଣ ହରକତ କରୁଥିଲା l ମାଙ୍କଡ ପାଇଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିଲେ l କିନ୍ତୁ ମାଙ୍କଡଟି ପୋଲିସ କର୍ମୀ କିମ୍ବା ସହର ବାସୀଙ୍କର କୌଣସି କ୍ଷତି କରି ନାହିଁ l