ଭୁବନେଶ୍ବର: ୨୦୩୬ ମସିହାରେ ଆମ ରାଜ୍ୟରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳିତ ହେବ। ଏଥିପାଇଁ ଆଉ ୧୨ ବର୍ଷ ସମୟ ରହିଲା। ୨୦୩୬କୁ ଓଡ଼ିଶା ଇତିହାସର ଏକ ଉଜ୍ଜ୍ୱଳମୟ ସମୟ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ଏହି ଲକ୍ଷ୍ୟ ପୂରଣ ଦିଗରେ ଆଗାମୀ ୫ ବର୍ଷ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣର ମୂଳଦୁଆ ପ୍ରତିଷ୍ଠା ହେବ। ଦୃଢ଼ ଲକ୍ଷ୍ୟ ଓ ନିରନ୍ତର ଉଦ୍ୟମରେ ଏହି ଲକ୍ଷ୍ୟ ପୂରଣରେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଓଡ଼ିଆ ଅସ୍ମିତା, ବିକାଶ ଓ ସୁଶାସନର ପ୍ରତିଷ୍ଠା ଦିଗରେ ଆମର ନୂଆ ସରକାର ପ୍ରତିବଦ୍ଧତାର ସହ ଉଦ୍ୟମ ଆରମ୍ଭ କରିଛି। ଓଡ଼ିଆ ଅସ୍ମିତା ହେଉଛି ଆମର ଆତ୍ମା। ଆମର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରସାର ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ କରିବାର ଲକ୍ଷ୍ୟ ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ଅସ୍ମିତା ବିହୀନ ବିକାଶ ସ୍ୱାଦହୀନ ଖାଦ୍ୟ ପରି ନୈରାଶ୍ୟଜନକ। ଏଣୁ ସରକାର ଗଠନର ପ୍ରଥମ ଦିନରେ ହିଁ ଆମେ ଓଡ଼ିଶାର ଜନସାଧାରଣଙ୍କୁ ଦେଇଥିବା ୪ଟି ମୁଖ୍ୟ ପ୍ରତିଶ୍ରୁତି ପାଳନ କରିଛୁ। ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା, ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ , ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନା ଆରମ୍ଭ ହେବ।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ‘ଅସ୍ମିତା ବିହୀନ ବିକାଶ ସ୍ୱାଦହୀନ ଖାଦ୍ୟ ପରି ନୈରାଶ୍ୟଜନକ’ ସରକାରଙ୍କ ପ୍ରତ୍ୟେକ ଉଦ୍ୟମରେ ଜନସାଧାରଣଙ୍କ ମତାମତକୁ ଗୁରୁତ୍ବ ଦିଆଯିବ ଆଲୋଚନାରେ ବିରୋଧୀ ଭାଗ ନେଲେନି ବିରୋଧୀ ଦଳକୁ ଟାର୍ଗେଟ୍ କରି ଶ୍ରୀ ମାଝୀ କହିଥିଲେ, ଗତ ୨୪ ବର୍ଷ ଥିଲା ଏକ ବିରାଟ କାଳଖଣ୍ଡ, ଏକ ଦୀର୍ଘ ସମୟ। ଓଡ଼ିଶାର ସାମାଜିକ ଓ ଆର୍ଥିକ ସ୍ଥିତି ଉପରେ ଯଦି ପୂର୍ବ ସରକାର ଗୁରୁତ୍ବ ଦେଇଥାନ୍ତେ, ତେବେ ଆଜି ଆମ ପାଖରେ ଅନେକ ଅସମାହିତ ପ୍ରଶ୍ନ ନଥାନ୍ତା। ସେତେବେଳେ ଆମେ ବିରୋଧୀ ଦଳରେ ଥିଲୁ, ଆମେ ପ୍ରଶ୍ନ କରୁଥିଲୁ। ଆଉ ସରକାରୀ ଦଳର ସଦସ୍ୟମାନେ ଅହଙ୍କାର ଦେଖାଉଥିଲେ। ଆଜି ପରିସ୍ଥିତି ବଦଳି ଯାଇଛି। ଭଗବାନ ସବୁ ସହନ୍ତି। କିନ୍ତୁ ଗର୍ବ ଓ ଅହଙ୍କାର ସହନ୍ତି ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ହେଉଛି ଗଣତାନ୍ତ୍ରିକ ଉପାୟରେ ପ୍ରତିଷ୍ଠିତ ଏକ ଲୋକାଭିମୁଖୀ ସରକାର। ଏକ ପ୍ରକୃତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଆଶା ଆକାଂକ୍ଷା ପ୍ରତିଫଳିତ ହୋଇଥାଏ। ଲୋକଙ୍କ ଉପରେ ବିକାଶ ଲଦି ଦିଆଯାଏ ନାହିଁ। ଏଥିପାଇଁ ଆମ ସରକାର ପ୍ରଥମ ଦିନରୁ ହିଁ ସାଧାରଣ ଲୋକଙ୍କ ସହିତ ଖୋଲା ମନରେ ମିଶି ସେମାନଙ୍କ ସୁଖଦୁଃଖ ଶୁଣିବା ସହିତ ସେମାନଙ୍କ ସୁବିଧା ଅସୁବିଧା ଦୂର କରିବା ଦିଗରେ ପ୍ରଚେଷ୍ଟା କରୁଛି। ଆମର ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ନିୟମିତ କରାଯାଇ ମୁଁ ଓ ମୋର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛୁ।ଏଥର ବଜେଟ୍ ପୂର୍ବରୁ ୧୨ହଜାରୁ ଅଧିକ ଲୋକ ମତାମତ ଦେଇଛନ୍ତି। ଯାହା ପୂର୍ବ ତୁଳନାରେ ୬ଗୁଣା ଅଧିକ। ଆମର ପ୍ରତ୍ୟେକ ଉଦ୍ୟମରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ପ୍ରକ୍ରିୟା ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ଯୋଜନାଗୁଡ଼ିକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ କୁଣ୍ଠାବୋଧ କରୁଥିଲେ। ବର୍ତ୍ତମାନର ସରକାର ଓଡ଼ିଶାର ଆର୍ଥିକ ପ୍ରଗତିକୁ ଦ୍ରୁତ ଗତିରେ ତ୍ବରାନ୍ବିତ କରିବେ।
ଆଲୋଚନାରେ ବିରୋଧୀ ଦଳ ଭାଗନେଇନଥିଲେ। ଅନ୍ୟପକ୍ଷରେ ଶାସକ ଦଳର ବିଧାୟକ ଟଙ୍କଧର ତ୍ରିପାଠୀ, ଇରାଶିଷ ଆଚାର୍ଯ୍ୟ, ଅମର କୁମାର ନାୟକ, ଉପାସନା ମହାପାତ୍ର, ସନାତନ ବିଜୁଳି, ସିଦ୍ଧାନ୍ତ ମହାପାତ୍ର, ପ୍ରତାପ ଚନ୍ଦ୍ର ପ୍ରଧାନ, ଶତ୍ରୁଘ୍ନ ଜେନା, ସଞ୍ଜଳି ମୁର୍ମୁ, ଫକିରମୋହନ ନାୟକ, ମାନସ କୁମାର ଦତ୍ତ, ଲକ୍ଷ୍ମଣ ବାଗ୍, ସୁଧୀର ରଂଜନ ପାଟ୍ଟଯୋଶୀ, ଆଶ୍ରିତ ପଟ୍ଟନାୟକ, ବାବୁ ସିଂହ, ପ୍ରକାଶ ଚନ୍ଦ୍ର ସେଠୀ, ଦୁଷ୍ମନ୍ତ କୁମାର ସ୍ବାଇଁ, ଗୌରୀଶଙ୍କର ମାଝୀ ପ୍ରମୁଖ ରାଜ୍ୟପାଳଙ୍କ ଅଭିଭାଷଣକୁ ସମର୍ଥନ କରିଥିଲେ। ଏଥର ଗୃହକୁ ନୂଆ କରି ଆସିଥିବା ବିଧାୟକମାନେ କହିଥିଲେ ଯେ ଆମେ ଆଶା କରିଥିଲୁ ବିଧାନସଭା ଆଲୋଚନାରେ ଭାଗ ନେବୁ, ଆମ ଅଞ୍ଚଳର ସମସ୍ୟା ଉଠାଇବୁ। ହେଲେ ବିଜେଡି ତା’ର ୨୪ବର୍ଷର ସରକାରର ଲୁଟ୍ ଧରାପଡ଼ିଯିବା ଭୟରେ ଗୃହକୁ ଚଲାଇ ଦେଉନି। ବିଧାୟକ ସନାତନ ବିଜୁଳି ତାଙ୍କ ବକ୍ତବ୍ୟରେ ୫-ଟି ସ୍କୁଲ, ହସ୍ପିଟାଲ ଓ କଲେଜରେ ହୋଇଥିବା ବ୍ୟାପକ ଦୁର୍ନୀତି, ମଧ୍ୟାହ୍ନ ଭୋଜନ ଚାଉଳ କିପରି ଲୁଟ୍ ହେଉଛି ସେ ପ୍ରସଙ୍ଗ ଉଠାଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ସେହିପରି ବିଧାୟକ ବାବୁ ସିଂହ ମୁକ୍ତା ଯୋଜନା ଓ ୫-ଟି କାର୍ଯ୍ୟକ୍ରମର ସିବିଆଇ ତଦନ୍ତ ଦାବି କରିଥିଲେ।