ନୂଆଦିଲ୍ଲୀ: ୪୧ କୋଇଲା ଖଣିର ବ୍ୟାବସାୟିକ ନିଲାମୀ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, କରୋନା ସଙ୍କଟ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ଅସୁବିଧାକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ହେବ ।
ସେ କହିଛନ୍ତି, ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଆଜି ବଡ଼ ପଦକ୍ଷେପ ନିଆଯାଉଛି। ଆମଦାନୀ ହ୍ରାସ, ରପ୍ତାନୀ ବୃଦ୍ଧି କରିବା ଆମର ମୂଳ ଲକ୍ଷ୍ୟ। କୋଇଲା କ୍ଷେତ୍ରରେ ସଂସ୍କାର ଅନ୍ୟ ଶିଳ୍ପକୁ ସୁଯୋଗ ଦେବ। ଆଲୁମିନିୟମ, ସାର, ଇସ୍ପାତ କ୍ଷେତ୍ରକୁ ଅଧିକ ସୁଯୋଗ ମିଳିବ।
ସୂଚନାଥାଉ କି, ପୂର୍ବରୁ ବିଭିନ୍ନ କମ୍ପାନୀ ନିଜର ଆବଶ୍ୟକତା ଅନୁଯାୟୀ ଖଣି ଉତ୍ତୋଳନ କରୁଥିଲେ। ହେଲେ ଏବେ କମ୍ପାନୀଗୁଡ଼ିକ ଖଣିର ରପ୍ତାନୀ ପାଇଁ ଏହାକୁ ଉତ୍ତୋଳନ କରିପାରିବେ। ଏହା ଉପରେ କୌଣସି ପ୍ରକାରର ପ୍ରତିବନ୍ଧକ ରହିବନାହିଁ।
କମର୍ସିଆଲ୍ ନିଲାମୀ ପ୍ରକ୍ରିୟାରେ ପ୍ରାୟ ୪୧ଟି ଖଣିକୁ ବିଭିନ୍ନ କମ୍ପାନୀକୁ ଦିଆଯିବ। ଏହି ପ୍ରକ୍ରିୟାରେ ଉଭୟ ଘରୋଇ ଓ ବିଦେଶୀ କମ୍ପାନୀ ସାମିଲ ହୋଇପାରିବେ। ଶତପ୍ରତିଶତ ଏଫଡିଆକୁ ବି ଏଥିରେ ସୁଯୋଗ ମିଳିଛି। ଏଭଳି ବ୍ୟବସ୍ଥା ଦ୍ୱାରା ଅର୍ଥନୀତିକ ସ୍ତରରେ ଭାରତ ସୁଦୃଢ଼ ହୋଇପାରିବ ଓ ଆତ୍ମନିର୍ଭର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
୨୦୩୦ ମଧ୍ୟରେ ଶହେ ମିଲିୟନ ଟନ୍ କୋଇଲାକୁ ଗ୍ୟାସ୍ରେ ପରିଣତ କରାଯିବ। ଏଥିପାଇଁ ୨୦ ହଜାର କୋଟି ଟଙ୍କା ନିବେଶ କରାଯିବ। କେନ୍ଦ୍ର ଭାରତର ବିକାଶ ପାଇଁ ଏହା ବଡ଼ ମାଧ୍ୟମ ହେବ। ଦେଶରେ ୧୬ଟି ଆକାଂକ୍ଷୀ ଜିଲ୍ଲାରେ ବଡ଼ କୋଇଲା ଖଣି ରହିଛି। କିନ୍ତୁ କୋଇଲା ଖଣି ଥିବା ସତ୍ତ୍ୱେ ସେଠିକା ଲୋକ ଲାଭ ପାଉନାହାନ୍ତି। ନିଜ ବୁଢ଼ା ବାପାମାଙ୍କୁ ଛାଡ଼ି ଦୂରକୁ ଖଟିବାକୁ ଯିବାକୁ ପଡୁଛି।
ତେଣୁ କୋଇଲା ଖଣି ଥିବା ଅଞ୍ଚଳର ବିକାଶ ପାଇଁ ୫୦ ହଜାର କୋଟି ଖର୍ଚ୍ଚ ହେବ। ଆମକୁ ଆତ୍ମନିର୍ଭର ଭାରତ ବନେଇବାର ଅଛିଅ। ନିଶ୍ଚିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଖୁବ୍ ଶୀଘ୍ର ଆମେ ମହତ୍ତ୍ୱପୂର୍ଣ୍ଣ ମେଡିକାଲ ଦ୍ରବ୍ୟ ବି ରପ୍ତାନୀ କରିବା। ଭାରତର ଭାଗ୍ୟ ବଦଳାଇବାକୁ ମୌକା ଆସିଛି, ଏ ମୌକା ଛାଡ଼ିବାନି। ଉଦ୍ୟୋଗ ଜଗତକୁ କଥା ଦେଉଛି, ମୁଁ ଆପଣମାନଙ୍କ ସହ ଅଛି। ଦେଶର ବିକାଶ ପାଇଁ ଆପଣ ୨ ପାଦ ଚାଲନ୍ତୁ, ମୁଁ ୪ ପାଦ ଚାଲିବି ବୋଲି ଆଶ୍ୱାସନା ଦେଇଥିଲେ।