Odisha news

ଆଗାମୀ ଇ-ଅକ୍ସନରେ ଦୈତାରୀ ଖଣି ଲୌହ ଖଣିଜର ମୂଲ୍ୟ ହ୍ରାସ କରିବାକୁ ଦାବି ; କଳିଙ୍ଗନଗର ଶିଳ୍ପ ସଂଘ ତରଫରୁ ଓଏମ୍ସି ପରିଚଳାନା ନିଦେ୍ର୍ଦଶକଙ୍କୁ ଦାବିପତ୍ର

0

ବ୍ୟାସନଗର : ‘କୋଭିଡ-୧୯’ ପରି ପ୍ରତିକୂଳ ପରିସ୍ଥିତି ଯୋଗୁଁ ଶିଳ୍ପସଂସ୍ଥା ଗୁଡିକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଅର୍ଥନୈତିକ ମାନ୍ଦାବସ୍ଥା ଚାପରେ  କଳିଙ୍ଗନଗର ଶିଳ୍ପାଞ୍ଚଳର ଶିଳ୍ପ ସଂସ୍ଥା ଗୁଡିକ ଗୁରୁତର ଭାବେ ପ୍ରଭାବିତ ହୋଇଥିବାବେଳେ ଲୌହ ଖଣିଜର ଅହେତୁକ ମୂଲ୍ୟବୃଦ୍ଧି ପାଇଁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇସ୍ପାତ ଭିତ୍ତିକ ଉତ୍ପାଦନ କରୁଥିବା କାରଖାନା ଗୁଡିକ ଦୁଃ ସ୍ଥିତି ଦେଇ ଗତି କରୁଛନ୍ତି । ଓଏମସି ର ଦୈତାରୀ ଖଣି ଉପରେ ନିର୍ଭର କରି ଉତ୍ପାଦନ କରୁଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର କାରଖାନା ଗୁଡିକ ପାଇଁ ଲୌହ ଖଣିଜର ଚଢା ଦର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି ।

ଖଣିଜର ମୂଲ୍ୟ ହ୍ରାସ ସମ୍ପର୍କରେ କଳିଙ୍ଗନଗର ଶିଳ୍ପ ସଂଘ ତରଫରୁ ଓଡିଶା ଖଣି ନିଗମ ପରିଚାଳନା ନିଦେ୍ର୍ଦଶକ ଆର. ଭିନିଲ କ୍ରୀଷ୍ଣାଙ୍କ ନିକଟରେ ଲିଖିତ ଦାବି କରାଯାଇଛି । ଶିଳ୍ପ ସଂଘ ତରଫରୁ ଏ ସମ୍ପର୍କରେ ଦିଆଯାଇଥିବା ପ୍ରେସ୍‌ ରିଲିଜ୍‌ ରେ ଶିଳ୍ପ ସମୂହଙ୍କ ଦୁରାବସ୍ଥା ସମ୍ପର୍କରେ ସୂଚୀତ କରାଯାଇଥିବାବେଳେ କାରଖାନା ପରିଚାଳନା ପାଇଁ ଆବଶ୍ୟକୀୟ ଲୌହ ଖଣିଜ ପାଇଁ ସର୍ବ ନିମ୍ନ ଦର ନିର୍ଦ୍ଧାରଣ କରିବାକୁ ଶିଳ୍ପ ସଂଘ ତରଫରୁ ଦାବି କରାଯାଇଛି । ଗତ ଜୁନ୍‌ ୧ତାରିଖରେ ଓଏମସି ତରଫରୁ ଆହୂତ ହୋଇଥିବା ଇ-ଅକ୍ସନ ରେ ଦୈତାରୀ ଲୌହ ସିଏଲ୍‌ଓ ର ସର୍ବନିମ୍ନ ମୂଲ୍ୟ ମେଟ୍ରିକ ଟନ୍‌ ପ୍ରତି ୨୨୦୦ ଟଙ୍କା ଧାର୍ଯ୍ୟ ରଖା ଯାଇଥିଲା । ଏହି ଅକ୍ସନରେ ୧ଲକ୍ଷ ୨୦ ହଜାର ମେଟ୍ରିକ ଟନ୍‌ ଲୌହ ଖଣିଜ ବିକ୍ରୀ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଥିବାବେଳେ ମୂଲ୍ୟ ଅଧିକ ରହିଥିବାରୁ ମାତ୍ର ୬୪୦୦୦ ମେଟ୍ରିକ୍‌ ଟନ୍‌ ନେବା ପାଇଁ ଗ୍ରାହକ ଆଗେଇ ଆସିଥିଲେ ।

ଏହି ଟେଣ୍ଡରରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ମାତ୍ର ୫୩ ପ୍ରତିଶତ ଖଣିଜ ବିକ୍ରୀ ହୋଇଥିଲା । ଅନ୍ୟପକ୍ଷରେ ରାଉରକେଲାରୁ ଉତ୍ପାଦିତ ହେଉଥିବା ସ୍ପଞ୍ଜ ଆଇରନ ପ୍ରତି ମେଟ୍ରିକ ଟନ୍‌ର ମୂଲ୍ୟ ପୂର୍ବରୁ ୧୬.୩୦୦ ଟଙ୍କା ରହିଥିବାବେଳେ ମାନ୍ଦାବସ୍ଥା ଯୋଗୁଁ ଏହା ୭୦୦ଟଙ୍କା କମିଯାଇ ୧୫.୬୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଚଢା ଦରରେ ଲୌହ ଖଣିଜ କିଣି ଉତ୍ପାଦନ କଲେ କଳିଙ୍ଗନଗରରୁ ଉତ୍ପାଦିତ ଧାତୁ ବଜାରରେ ୧୬୦୦୦ ଟଙ୍କା ତଳକୁ ବିକ୍ରୀ କରାଯିବା ସମ୍ଭବ ହେବ ନାହିଁ ବୋଲି ଶିଳ୍ପ ସଂଘ ତରଫରୁ ଖଣି ନିଗମ ନିଦେ୍ର୍ଦଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏଣୁ ଜୁଲାଇରେ ହେବାକୁ ଥିବା ଆଗାମୀ ଇ-ଅକ୍ସନ ସମୟରେ ଖଣି ନିଗମ ଲୌହ ମୂଲ୍ୟକୁ ଟନ୍‌ ପ୍ରତି ୨୦୦ଟଙ୍କା କମ୍‌ କରି ୨୦୦୦ ଟଙ୍କା ଧାର୍ଯ୍ୟ କରିବାକୁ ଶିଳ୍ପ ସଂଘ ତରଫରୁ ଦାବି କରାଯାଇଛି ।

ଶିଳ୍ପ ସଂଘ ସଭାପତି ପି.ଏଲ କଣ୍ଡୋଇ ଏ ସମ୍ପର୍କରେ ମୂଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ବିକ୍ରୀ କମିଟିର ନିଦେ୍ର୍ଦଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି । କଳିଙ୍ଗନଗର କରୋନା ମହାମାରୀ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଥିବାବେଳେ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି । ଏବେକାର ପରିସ୍ଥିତିରେ ଇସ୍ପାତ ଉତ୍ପାଦନ ପାଇଁ ହେଉଥିବା ଖର୍ଚ୍ଚ ଅପେକ୍ଷା ଉତ୍ପାଦିତ ସାମଗ୍ରୀର ବଜାର ଦର କମ୍‌ ରହୁଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ, ମୈଥାନ ଏବଂ ନୀଳାଚଳ ଇସ୍ପାତ ପରି କାରଖାନା ଗୁଡିକରେ ତାଲା ପଡିଛି । ସାମ୍ପ୍ରତିକ ସ୍ଥିତିରେ ବଜାରରେ ଇସ୍ପାତ କ୍ରୟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଧିମେଇ ଯାଇଥିବାରୁ ବଜାରରେ ଏକ ପ୍ରକାର ଅସ୍ଥିରତା ଦେଖା ଦେଇଥିବାରୁ ରାଜ୍ୟ ସରକାର ଏହି ଦୁଃସ୍ଥିତିରେ ଖଣିଜ ମୂଲ୍ୟ ହ୍ରାସ କରିବା ଜରୁରୀ ହୋଇପଡିଥିବା ଶ୍ରୀ କାଣ୍ଡୋଇ କହିଛନ୍ତି ।

Nalco
Leave A Reply