Odisha news

ମା ମଙ୍ଗଳା ଙ୍କ ଝାମୁ ଯାତ୍ରା ର ପ୍ରଥମ ପାଳିରେ କାକଟପୁର ଉତ୍ସବମୁଖର

0

କାକଟପୁର,14/3 :-ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ, ପରମବୈଷ୍ଣବୀ ମା ମଙ୍ଗଳା ଙ୍କ ଆରମ୍ଭ ହୋଇଛି ଚୈତ୍ର ପର୍ବ ଵା ଝାମୁ ଯାତ୍ରା l ଏକ ମାସ ବ୍ୟାପୀ ଏହି ପ୍ରସିଦ୍ଧ ଝାମୁଯାତ୍ରା ଚୈତ୍ର ମାସ ପ୍ରଥମ ମଙ୍ଗଳ ବାର ଠାରୁ ଆରମ୍ଭ ହୋଇ ବୈଶାଖ ପ୍ରଥମ ମଙ୍ଗଳ ବାର ପର୍ଯ୍ୟନ୍ତ ଚାଲିଥାଏ l ଚୈତ୍ର ମାସରେ ମା ପ୍ରଥମେ ପ୍ରାଚୀ ନଦୀ ରୁ ଉଦ୍ଧାର ହେବା ଓ ଜଗନ୍ନାଥ ଙ୍କ ଦାରୁ ର ସନ୍ଧାନ କାର୍ଯ୍ୟ ଏହି ଦିନରୁ ଆରମ୍ଭ ହେବା କୁ ସ୍ମରଣ କରିବା ପାଇଁ ପ୍ରତି ବର୍ଷ ମାସେ ବ୍ୟାପି ଏହି ଚୈତ୍ର ପର୍ବ ଵା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଆଜି ପ୍ରଥମ ମଙ୍ଗଳ ବାର ନେତ୍ରୋତ୍ସବ ଭାବରେ ମଧ୍ୟ ପରିଚିତ l ମା ଙ୍କ ବିଶେଷ ନୀତିକାନ୍ତି ରେ ନୂତନ ନେତ ପୂଜା କରାଯାଇ ମନ୍ଦିର ବେଢା ପରିକ୍ରମା କରାଯାଏ l ଅଂଚଳ ର ଯାଦବ ସମୂହ ଏକାଠି ଲହୁଡି ଖେଳି ଏହି ପରିକ୍ରମା ରେ ସାମିଲ ହୁଅନ୍ତି l ପରେ ସେବକ ମାନଙ୍କ ଦ୍ୱାରା ମନ୍ଦିର ର ଦଧିନଉତି କୁ ସ୍ନାନ ମାର୍ଜନା କରାଯାଇ ନୂତନ ବାନା ବନ୍ଧା ଯିବାପରେ ନେତ୍ରୋତ୍ସବ କାର୍ଯ୍ୟ ସମାପନ ହୋଇଥାଏ l ଦୁଇ ବର୍ଷ ଥିବା କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥିଲା l ଚାରିଆଡେ ମାତୃଭକ୍ତ ଙ୍କ ସମାଗମ ସହ ମନ୍ଦିର ବେଢାରେ ବିରି ଅରୁଆ ଚାଉଳ ଓ ଜାମୁ ଡାଳ ରେ ପରିବାର ର ମଙ୍ଗଳ ମନାସି ମା ମାନେ ବେଢା ଓଳେଇବା, ଓ ପନ୍ଥେଇ ପୂଜାସହ ହୁଳହୁଳି ରେ ମନ୍ଦିର ପ୍ରକମ୍ପିତ ହୋଇ ଉଠିଥିଲା l

ମା ଙ୍କ ମନ୍ଦିର ରେ ସମସ୍ତ ପାଳି ଯାତ୍ରା ଓ ପ୍ରସିଦ୍ଧ ଝାମୁ ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେଥିନେଇ ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରସ୍ତୁତିବୈଠକ ରେ ନିର୍ଧାରଣ କରାଯାଇଥିଲା ।ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ତାହାକୁ କାର୍ଯ୍ୟକାରୀ କରାଯାଇ ଭକ୍ତ ଙ୍କ ସୁବିଧା ଦର୍ଶନ ପାଇଁ ବିଭିନ୍ନ ସୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି କାକଟପୁର ତହସିଲଦାର ତଥା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ବିରଞ୍ଚି ନାରାୟଣ ବେହେରା ।ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ କହିଛନ୍ତି ଯେ, ପ୍ରାତଃ ୩ ଟା ରୁ ମନ୍ଦିର ଦ୍ଵାର ଖୋଲାଯାଇ ମା ଙ୍କ ଦୈନନ୍ଦିନ ନୀତି ଅନୁଷ୍ଠିତ ହେବା ପରେ ୫ ଟା ରୁ ପହୁଡ଼ ଖୋଲା ଯାଇଥିଲା l ଦୂର ଦୁରାନ୍ତ ରୁ ଆସୁଥିବା ଭକ୍ତ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ବ୍ୟାରିକେଡ଼ ମଧ୍ୟରେ ମନ୍ଦିରର ପୂର୍ବ ଦ୍ୱାର ଦେଇ ପ୍ରବେଶ କରାଯାଇଥିଲା ଏବଂ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରାଯାଇଥିଲା । ସେହିପରି ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ଟ୍ରାଫିକ ବ୍ୟବସ୍ଥାକୁ ତ୍ବରାନିତ କରାଯିବା ସହ ମନ୍ଦିର ଭିତରେ, ବାହାରେ ପୋଲିସ ଫୋର୍ସ ମୁତୟନ କରାଯିବା,ଭକ୍ତଙ୍କ ସହାୟତା ପାଇଁ ସୂଚନା କେନ୍ଦ୍ର ଓ ମେଡିକାଲ କ୍ୟାମ୍ପ, ପାନୀୟଜଳ ର ସୁବନ୍ଦୋବସ୍ତ କରାଯିବା ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତ ମାନଙ୍କ ଉପରେ ପାଣି ସିଞ୍ଚନ କରାଯିବା ସହିତ ସମସ୍ତ ପ୍ରକାର ସହଯୋଗ କରାଯିବା କୁ ବ୍ୟବସ୍ଥା ହୋଇଥିଲା l l ଆଜି ପ୍ରଥମ ପାଳି ଯାତ୍ରା ରେ କମଳ ଲୋଚନ ଦିକ୍ଷୀତ ପାଳିଆ ସେବକ ଭାବେ ଓ ରଘୁନାଥ ଦିକ୍ଷୀତ ପୂଜାପଣ୍ଡା ଭାବେ କାର୍ଯ୍ୟ କରିଥିଲେ । ପ୍ରଥମ ପାଳି ଯାତ୍ରା ପାଇଁ ମା ମଙ୍ଗଳା ଙ୍କ ମନ୍ଦିର ସହିତ ସମଗ୍ର କାକଟପୁର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଥିଲା ।

Leave A Reply