Odisha news

ମାଲଗୁଡ଼ୀର ସ୍ରଷ୍ଟା : ଆର୍.କେ.ନାରାୟଣ

0

ଡ଼ଃ. ଅରୁନ୍ଧତୀ ଦେବୀ : ଇଂରେଜୀ ଭାଷାରେ ସାହିତ୍ୟ ସୃଷ୍ଟି କରିଥିବା ପ୍ରଥମ ପିଢ଼ିର ତିନି ଭାରତୀୟ ଲେଖକଙ୍କ ମଧ୍ୟରେ ଆର୍କେ ନାରାୟଣ ଜଣେ  । ଅନ୍ୟ ଦୁଇ ଜଣ ହେଉଛନ୍ତି ମୁଲ୍କରାଜ ଆନନ୍ଦ ଓ ରାଜା ରାଓ  । ଆର୍କେଙ୍କ ପୂରା ନାଁ ରାସୀପୁରମ୍ କୃଷ୍ଣସ୍ୱାମୀ ଅୟସ୍ର ନାରାୟଣସ୍ୱାମୀ  । ସେ ଗୁଡ଼ିଏ ସୁପାଠ୍ୟ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ଲେଖି ଯାଇଛନ୍ତି  । ନୋବେଲ୍ ବିଜେତା ମାର୍କିନ୍ ଲେଖକ ୱିଲିଅମ୍ ଫକ୍ନର୍ଙ୍କ ପରି ଆର୍କେ ମଧ୍ୟ ନିଜର ରଚନାଗୁଡ଼ିକୁ ବାସ୍ତବ ରୂପ ଦେବା ପାଇଁ ଏକ କାଳ୍ପନିକ ସହର ସୃଷ୍ଟି କରିଥିଲେ, ଯେଉଁଟି ମାଲଗୁଡ଼ୀ ଭାବେ ବିଖ୍ୟାତ୍  । ୧୯୩୦ ବିଜୟା ଦଶମୀରେ ସେ ପ୍ରଥମେ ମାଲଗୁଡ଼ୀ ରେଳ ଷ୍ଟେସନ୍ର କଳ୍ପନା କରିଥିଲେ  । ତାଙ୍କ ବାସ୍ତବଧର୍ମୀ ଜୀବନ୍ତ ରଚନାଗୁଡ଼ିକୁ ପଢ଼ି ଅନେକ ବିଦ୍ଗଧ ପାଠକ ଏହି ନାମରେ ସତସତିକା ସହରଟିଏ ଥିବା ବିଶ୍ୱାସ କରୁଥିଲେ  । ଆରକେଙ୍କୁ ଫରାସୀ ଗାଳ୍ପିକ ମୋପାସଁଙ୍କ ସହ ତୁଳନା କରାଯାଏ  । ବ୍ରିଟିଶ ସାହିତି୍ୟକ ଗ୍ରାହାମ୍ ଗ୍ରିନ୍ଙ୍କ ସହ ତାଙ୍କର ଅନ୍ତରଙ୍ଗ ବନ୍ଧୁତା ଥିଲା  ।

ଗ୍ରିନ୍, ତାଙ୍କର ପ୍ରଥମ ଚାରି ଉପନ୍ୟାସ “ସ୍ୱାମୀ ଆଣ୍ଡ ଫ୍ରେଣ୍ଡସ୍’, “ଦ ବ୍ୟାଚେଲର୍ ଅଫ୍ ଆର୍ଟସ’, “ଦ ଡାର୍କ ରୁମ୍’ ଓ “ଦ ଇଂଲିଶ ଟିଚର୍’ ବିଦେଶରେ ଛପାଇବାର ବ୍ୟବସ୍ଥା କରିଥିଲେ, ଯାହାଫଳରେ ବିଶ୍ୱ ସ୍ତରର ପାଠକମାନେ ତାଙ୍କ ରଚନା ସହ ପରିଚିତ ହୋଇଥିଲେ  । ଗାଇଡ଼ ଉପନ୍ୟାସ ନିମନ୍ତେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା  । ପରେ ସେ ପଦ୍ମ ବିଭୂଷଣ ପାଇଥିଲେ  । ତାଙ୍କୁ ରାଜ୍ୟ ସଭାକୁ ମଧ୍ୟ ମନୋନୀତ କରାଯାଇଥିଲା  । ଆର୍କେଙ୍କ ପିତା ଥିଲେ ଜଣେ ସ୍କୁଲ ଶିକ୍ଷକ  । ପିତାଙ୍କର ସର୍ବଦା ବଦଳି ହେଉଥିବାରୁ ଆର୍କେ ଆଈଙ୍କ ଘରେ ବଢ଼ିଥିଲେ  । ପାର୍ବତୀ ଆଈ ତାଙ୍କର ଲାଳନପାଳନ ଭାର ଗ୍ରହଣ କରିଥିଲେ  ।

ଶୈଶବରେ ତାଙ୍କର ଖେଳ ସାଥୀ ଥିଲେ ଗୋଟିଏ ମୟୂର ଓ ଗୋଟିଏ ଦୁଷ୍ଟ ବାନର  । ତାଙ୍କର ଗେହ୍ଲା ନାଁ ଥିଲା କୁଞ୍ଜାପ୍ପା  । ଆରକେ୍ଙ୍କୁ ସତେଇଶ ବର୍ଷ ହୋଇଥିବା ବେଳେ ସେ ଥରେ କୋୟଂବତୂରସ୍ଥିତ ଭଉଣୀ ଘରକୁ ବୁଲିବାକୁ ଯାଇ ରାଜମ ନାମା ପନ୍ଦର ବର୍ଷ ବୟସ୍କା ବାଳିକାଙ୍କ ପ୍ରେମରେ ପଡ଼ିଥିଲେ  । ବହୁ ପ୍ରତିବନ୍ଧ ସତ୍ତ୍ୱେ ରାଜମଙ୍କୁ ବିବାହ କରି ପରିବାର ଚଳାଇବା ପାଇଁ ଦ ଜଷ୍ଟିସ ନାମକ ଖବରକାଗଜରେ ରିପୋର୍ଟର ଭାବେ ଯୋଗଦେଇଥିଲେ  । ଏହି କାଗଜ ଦଳିତମାନଙ୍କ ବିକାଶ ପାଇଁ କାମ କରୁଥିଲା  । ଆର୍କେ ବ୍ରାହ୍ମଣ ଥିଲେ  । ଏ ଭଳି ଏକ କାଗଜ ସହ ସଂପୃକ୍ତି ସେତେ ବେଳେ ଅନେକଙ୍କୁ ଚମକ୍ରୃତ କରିଥିଲା  । ବିବାହର ମାତ୍ର ପାଞ୍ଚ ବର୍ଷ ପରେ ଆନ୍ତ୍ରିକ ଜ୍ୱରରେ ରାଜମଙ୍କ ଦେହାନ୍ତ ହୋଇଥିଲା  । ସେତେବେଳେ ଝିଅ ହେମାକୁ ତିନିବର୍ଷ  । ଗଭୀର ଭାବେ ବ୍ୟଥିତ ଆର୍କେ ଭାଙ୍ଗି ନପଡ଼ି କନ୍ୟାର ସମସ୍ତ ଦାୟିତ୍ୱ ବହନ କରିଥିଲେ  । ୧୯୦୬ ଅକ୍ଟୋବର ଆଜିର ଦିନରେ ମାଡ଼୍ରାସରେ ତାଙ୍କର ଜନ୍ମ ହୋଇଥିଲା  ।

Leave A Reply