କଙ୍କର କଙ୍କର ଶଙ୍କର … ଭାରତ ଭୂମିର ପ୍ରତ୍ୟେକ ସ୍ଥାନରେ ମହାଦେବ ବିରାଜମାନ, ସାରା ବିଶ୍ୱ ବ୍ରହ୍ମାଣ୍ଡ ରେ ଶିବଲିଙ୍ଗ ହିଁ ବିରାଜମାନ, ଆମେ ତ୍ରିଶାଖା ବେଲପତ୍ର କୁ ଦେଖିଲେ ମହାଦେବଙ୍କ ତ୍ରିଶୂଳ ଭଳି ଲାଗିଥାଏ, ସେହିଭଳି ଆମେ ବିଭିନ୍ନ ଫଳ କିମ୍ବା ପନିପରିବା କୁ ଯଦି ଦେଖିବା ତାହା ଶିବଲିଙ୍ଗ ଆକୃତିର ଲାଗିଥାଏ l ସେହିଭଳି ଗୋଟିଏ ଶିବ ମନ୍ଦିର ଅଛି ଯେଉଁଠି ମହାଦେବ ଗୋଟିଏ ଲାଉ ସ୍ୱରୂପ ରେ ରହିଛନ୍ତି, ଏହି ସ୍ଥାନ ହେଉଛି ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ଧାମ ରେ ଥିବା ଲୋକନାଥ ମନ୍ଦିର, ବାବା ଲୋକନାଥ ହେଉଛନ୍ତି ପ୍ରଭୁ ଜଗନ୍ନାଥ ଧାମର କ୍ଷେତ୍ରପାଳ, ପ୍ରଭୁ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର କୁ ସୁରକ୍ଷା ଦେବା ସହିତ ସମଗ୍ର ପୁରୀ ଧାମର ସୁରକ୍ଷା ଦାୟିତ୍ୱ ବାବା ଲୋକନାଥ ଙ୍କ ଉପରେ l ଲୋକକଥା ଓ ଶାସ୍ତ୍ର ଅନୁସାରେ ତ୍ରେତେୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଏହି ସ୍ଥାନରେ ଗୋଟିଏ ଲାଉ ରଖି ମହାଦେବଙ୍କୁ ଆରାଧନା କରିଥିଲେ l
ଏବଂ ସେହିଦିନ ଠାରୁ ଲୋକେ ଏହି ଶିବଲିଙ୍ଗ କୁ ଲାଉନାଥ ଭାବରେ ପୂଜା କରୁଥିଲେ, କାଳକ୍ରମେ ଏହି ଲାଉନାଥ ନାମ ଲୋକ ମାନଙ୍କ ତୁଣ୍ଡରେ ଲୋକନାଥ ଭାବରେ ପ୍ରସିଦ୍ଧ ହେଲା, ବାବା ଲୋକନାଥ ବର୍ଷ ସାରା ନିଜ ବେଢାରେ ପଙ୍କ ମଧ୍ୟରେ ବୁଡି ରହି ଥାଆନ୍ତି, ଏବଂ ଆମେ କେବଳ ତାଙ୍କର ଗୋଟିଏ ସ୍ୱରୂପ କୁ ଗର୍ଭ ଗୃହରେ ଦର୍ଶନ କରିଥାଉ, ବର୍ଷସାରା ଭକ୍ତଙ୍କ ଦ୍ୱାରା ଶ୍ରଦ୍ଧାରେ ଦିଆଯାଇଥିବା ଜିନିଷ ଦୁଗ୍ଧ, ଫଳ, ପୁଷ୍ପ , ପଇସା ଇତ୍ୟାଦି ରେ ଗର୍ଭଗୃହ ପୋତି ହୋଇ ରହିଥାଏ, ଏବଂ ବର୍ଷକୁ ଥରେ ଫଗୁଣ ମାସ ପଙ୍କ ଉଦ୍ଧାର ଏକାଦଶୀ ଦିନ ଶ୍ରୀ ଲୋକନାଥ ଙ୍କ ସେବକ ମାନେ ଗର୍ଭ ଗୃହକୁ ସଫା କରିଥାଆନ୍ତି l ଏହି ଗୋଟିଏ ଦିନ ବାବା ଲୋକନାଥ ଙ୍କୁ ଭକ୍ତ ମାନେ ଠିକ ଭାବରେ ଦର୍ଶନ କରନ୍ତି l
ଶାସ୍ତ୍ର ଅନୁସାରେ ଲୋକନାଥଙ୍କ ଉପରେ ମା ଗଙ୍ଗା ଙ୍କର ଗୋଟିଏ ପାଣିର ଧାର ରହିଥିବାରୁ ତାଙ୍କୁ ଜଳ ବିହାରୀ ଲୋକନାଥ ମଧ୍ୟ କୁହାଯାଏ, ଏବଂ ବାବା ଲୋକନାଥ ଙ୍କ ନିକଟରୁ ନିର୍ଗତ ହେଉଥିବା ଜଳ ଦ୍ୱାରା ଗର୍ଭଗୃହ ଜଳରେ ପୁର୍ଣ ହୋଇ ରହିଥାଏ l ଶିବରାତ୍ରୀ ଦିନ ଲୋକନାଥ ଙ୍କର ହରିହର ମହାଦୀପ ଉଠିବା ପରେ ଶ୍ରୀଜଗନାଥ ଙ୍କ ଆଜ୍ଞାମାଳ ଲୋକନାଥ ଙ୍କ ନିକଟକୁ ଆସିଥାଏ, ଏବଂ ସେହିଦିନ ପ୍ରଭୁ ଜଗନ୍ନାଥ ଓ ବାବା ଲୋକନାଥଙ୍କର ହରିହର ଭେଟ ହୋଇଥାଏ