Odisha news

ପାଳିତ ହେଲା ମା ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ

0

ତାଳଚେର ତା-୦୬/୦୪ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ  ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହୋଇଯାଇଛି । ଦିନ ୧.୧୫ମି.ରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା । ସେଠାରେ ମୁଖ୍ୟପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ମା ହିଙ୍ଗୁଳାଙ୍କ ଆଲମକୁ ପାରମ୍ପରିକ ବିଧବିଧାନ ଅନୁଯାୟୀ ପୂଜା କରିଥିଲେ । ଏହାପରେ ପୂର୍ବ ପରମ୍ପରା ଅନୁଯାୟୀ ଡାକୁଆମାନେ ପତିଆରଙ୍କୁ ନିମନ୍ତ୍ରଣ କରିବାକୁ ତାଙ୍କ ବାସଗୃହକୁ ଯାଇଥିଲେ । ସେଠାରେ ପତିଆରଙ୍କୁ ତିନି ଡାକ ଡାକିବାରୁ ସେ ଘରୁ ବାହାରକୁ ଆସି ନିକଟସ୍ଥ ପୁଷ୍କରଣୀରେ ସ୍ନାନ କରି କୁଟେଇଶୁଣି ମଣ୍ଡପକୁ ଯାଇଥିଲେ । ମୁଖ୍ୟ ଦେହୁରୀ ତାଳଚେର ରାଜାଙ୍କ ପ୍ରଦତ ନୂତନ ବସ୍ତ୍ର ପ୍ରଦାନ କରି ପତିଆରଙ୍କୁ ସ୍ୱାଗତ କରିଥିଲେ । ନୂତନ ରାଜବସ୍ତ୍ର ପରିଧାନ କରିସାରିଲା ପରେ ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ ବିଧି ଅନୁଯାୟୀ ପୂଜା କରା ଯାଇଥିଲା ।

ଗୁଡ,ମହୁ,ଝୁଣା,ଚନ୍ଦନ,ଫୁଲ,ଅକ୍ଷତ ଆଦି ଦେଇ ମୁଖ୍ୟ ପୂଜକ ପତିଆରଙ୍କୁ ପୂଜା କରିଥିଲେ । ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ହରିବୋଲ,ହୁଳହୁଳି ଶବ୍ଦ ସହ ପାରମ୍ପରିକ ବାଦ୍ୟ ଢୋଲ,ନିଶାଣ,ମହୁରୀ ଶବ୍ଦରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ଏହି ପୂଜାକୁ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପୂଜା କୁହାଯାଏ । ପତିଆରଙ୍କ ଠାରେ ଦେବୀ ଆବିଷ୍ଟ ହୋଇ ମା’ ହିଙ୍ଗୁଳାଙ୍କ ଆର୍ବିଭାବର ଦିଗ ସମ୍ବଦ୍ଧରେ ସୂଚନା ଦେହୁରୀଙ୍କୁ ଦେଇଥାନ୍ତି । ପୂର୍ବ ସୂଚନାକୁ ଆଧାର କରି  ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା’ଙ୍କ ଆବିର୍ଭାବ ସ୍ଥଳୀ ବା ଉଭା ସ୍ଥଳୀକୁ ଚିହ୍ନଟ କରିଥାନ୍ତି । ମହାମାରୀ କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା

ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ  ମା’ହିଙ୍ଗୁଳାଙ୍କ ଏହି ଅନନ୍ୟ ପର୍ବ ନିରାଡମ୍ବର ସହକାରେ ମଧ୍ୟରେ ପାଳିତ ହୋଇଥିଲା । ପରନ୍ତୁ  ଚଳିତ ବର୍ଷ ଏହି ପର୍ବକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।  ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକ,ଡିଲେଶ୍ୱର ସାମଲ,କିଶୋର ମହାନ୍ତି, ବାୟା ବାରିକ,ଟିହୁଙ୍କୁଳି ବାରିକଙ୍କ ସମେତ ମା ହିଙ୍ଗୁଳାଙ୍କ ସେବାୟତମାନେ ସକ୍ରିୟ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ-ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୧୮ତମ ଲୋକ ମହୋତ୍ସବ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡିଛି ।

Leave A Reply