ଭୁବନେଶ୍ୱର: ଭୁବନେଶ୍ୱରରେ ଗତ ୧୪ଦିନ ଧରି କୌଣସି ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ନହେବାପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଲକଡାଉନ୍ କଟକଣାକୁ କୋହଳ କରାଯାଇଛି।
ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ପିଡିଏସ୍ ଦୋକାନ, ଖାଦ୍ୟ,ଗ୍ରୋସେରୀ, ଫଳ, ପନିପରିବାର, ମିଲକ ବୁଥ୍ , ମାଂସ, ମାଛ, ପଶୁ ଖାଦ୍ୟ, ବିହନ, କୀଟନାଶକ ଆଦିର ବିକ୍ରି ଓ ପରିବହନ, ହ୍ୟାଣ୍ଡ ୱାସ, ସାବୁନ, ସାମ୍ପୁ, ଡିଟରଜେଂଟ୍, ଟୁଥପେଷ୍ଟ, ସାନିଟାରୀ ପ୍ୟାଡ, ବ୍ୟାଟେରୀ ଆଦି ଦୋକାନ ଖୋଲିବାକୁ ଅନୁମତି ମିଳିଛି।
ସେହିପରି ମାର୍କେଟ କମ୍ପେ୍ଲକ୍ସ ଓ ମଲଟି ବ୍ରାଣ୍ଡ ଅବା ସିଙ୍ଗଲ ବ୍ରାଣ୍ଡ ମଲ୍ ହୋଇନଥିବା ଆବାସିକ କମ୍ପେ୍ଲକ୍ସରେ ଥିବା ସମସ୍ତ ଦୋକାନକୁ ୫୦ ପ୍ରତିଶତ କର୍ମଚାରୀ ସହ ଖୋଲିବାକୁ ଅନୁମତି ଦିଆଯାଇଛି।
ଛାତ୍ରଛାତ୍ରୀଙ୍କ ପାଇଁ ବହି ଦୋକାନ ଓ ଷ୍ଟେସନାରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ମଧ୍ୟ ଖୋଲିବ। ରେଷ୍ଟୁରାଣ୍ଟଗୁଡ଼ିକରେ ହୋମ୍ ଡେଲିଭରି କିମ୍ବା ପାର୍ସଲ ସେବା ଯୋଗାଇବା ପାଇଁ ଖୋଲିପାରିବେ। ସମସ୍ତ ପ୍ରକାରର ଇ-କମର୍ସ, ଅନଲାଇନ ସପିଂ ଓ କୋରିଅର ସେବା ମଧ୍ୟ ଖୋଲିବ।
ଟେଲିକମ୍ୟୁନିକେସନ, ଇଣ୍ଟରନେଟ ସେବା, ବ୍ରଡକାଷ୍ଟିଂ, କେବୁଲ ସେବା, ଡିଟଏଚ୍ ଓ ଅପଟିକାଲ ଫାଇବର ସେବା ଯୋଗାଉଥିବା ଦୋକାନ ଓ ସଂସ୍ଥା ଖୋଲା ରହିବ। ପେଟ୍ରୋଲ ପମ୍ପ, ଏଲପିଜି, ପେଟ୍ରୋଲିୟମ ଗ୍ୟାସ୍ ରିଟେଲ ଓ ଷ୍ଟୋରେଜ୍ ପ୍ରତିଷ୍ଠାନ ମଧ୍ୟ ଖୋଲିବ। ଘରୋଇ ସିକ୍ୟୁରିଟି ସେବା, ହୋଟେଲ, ହୋମ୍ ଷ୍ଟେ, ଲଜ ଓ ମୋଟେଲ ଏବଂ ପର୍ଯ୍ୟଟକଙ୍କୁ ଆବାସିକ ସେବା ଯୋଗାଉଥିବା ପ୍ରତିଷ୍ଠାନ ପାଇଁ ନିୟମ କୋହଳ ହୋଇଛି। ଆଇଟି ମରାମତି, ଇଲେକ୍ଟ୍ରିସିଆନ୍, ପାଣି ପାଇପ୍ ମିସ୍ତ୍ରୀ, ମୋଟର ମେକାନିକ୍ ଓ ବଢ଼େଇ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ସେବା ଯୋଗାଇବାକୁ ଅନୁମତି ମିଳିବ।
ସବୁ ବ୍ୟତୀତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସମେତ ନିର୍ମାଣ କାର୍ଯ୍ୟରେ ଉପଯୋଗ ହେଉଥିବା ସରଞ୍ଜାମ ଆଦିର ବିକ୍ରି ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଏସବୁ ବ୍ୟତୀତ ଭୁବନେଶ୍ୱରରେ ଥିବା ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସର୍ବାଧିକ ୨୫% କର୍ମଚାରୀରେ କାମ କରିବେ। ଏନେଇ ବିଏମସି ପକ୍ଷରୁ ଆଜି ଜାରି ସଂଶୋଧିତ ଗାଇଡଲାଇନରେ ଉଲ୍ଲେଖ ରହିଛି।