ବାଲେଶ୍ୱର : ଆଜି ପୂର୍ବାହ୍ନ ୧୦.୩୦ମିନିଟ୍ ସମୟରେ ବାଲେଶ୍ୱର ଜୀବନ ବୀମା ନିଗମ ଅଫିସ ଆଗରେ ସିପିଆଇଏମ୍ ତରଫରୁ ଏଲ୍ଆଇସିର ଆଇପିଓ ବିକ୍ରି ବିରୋଧରେ ଏକ ପ୍ରତିବାଦ ଓ ବିକ୍ଷୋଭ ସଂଗଠିତ ହୋଇଯାଇଛି । କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାର ଏହି ସେୟାର ବିକ୍ରିପାଇଁ ସେବି ପାଖରେ ଯେଉଁ ଦସ୍ତାବିଜ ଦାଖଲ କରିଛନ୍ତି । ସେଥିରେ ସେୟାର ୧.୧ ପ୍ରତିଶତରେ ବିକ୍ରି କରିବେ କହିଛନ୍ତି ଏହାଛଡ଼ା ଏମ୍ବେଡ଼େଡ଼୍ ଭେଲୁ୍ୟ କମ୍ କରି ମାତ୍ର ୫.୪୦ ଲକ୍ଷ କୋଟି ଟଙ୍କା ରଖିଛନ୍ତି । ଫଳରେ ଗୋଟିଏ ସେୟାର ମୂଲ୍ୟ ମାତ୍ର ୯୦୪ରୁ ୯୪୯ ଟଙ୍କା ରହିବ । ଏଥିରୁ ସରକାର ମାତ୍ର ୨୧ହଜାର କୋଟି ଟଙ୍କାରୁ କିଛି ଅଧିକ ପାଇବେ । ଆଇସିସି, ଏଚ୍ଡ଼ିଏଫ୍ସି ଭଳି ଘରୋଇ ଜୀବନବୀମା ସଂସ୍ଥାମାନେ ସେୟାର ଭେଲୁ୍ୟ ୩.୫ ପ୍ରତିଶତ ରଖିଛନ୍ତି ।
ଏଲ୍ଆଇସି ଯଦି ଏହି ହାରରେ ସେୟାର ମୂଲ୍ୟ ବିକ୍ରି କରେ ତେବେ ସରକାର ୭୪ ହଜାର କୋଟି ଟଙ୍କା ପାଇପାରିବେ । ମାତ୍ର ଭାଜପା ସରକାର ଏଲ୍ଆଇସିର ଅସଲ ମାଲିକ ୪୨କୋଟି ପଲିସି ଧାରକଙ୍କୁ ଅନ୍ଧାରରେ ରଖି ଏହି ସେୟାର ବିକ୍ରି ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କରୁଛନ୍ତି । ସରକାରଙ୍କ ଏହି ଜନବିରୋଧି ନୀତି ବିରୋଧରେ ସିପିଆଇଏମ୍ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ଏଲ୍ଆଇସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏଲ୍ଆଇସି ଚେୟାରମେନଙ୍କ ପାଖକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜିର ଏହି ପ୍ରତିବାଦ ସଭା ପ୍ରେମରଂଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଦଳପକ୍ଷରୁ ଶିଶିର ହୁଇ,ନିର୍ମଳ ନାୟକ,ବିଜୟ ପାତ୍ର, ଶ୍ୟାମସୁନ୍ଦର ଜେନା, ରାଜକିଶୋର ଲେଙ୍କା, ପ୍ରଭାକର ବେହେରା, ଷ୍ଟାଲିନ୍ ମିଶ୍ର, ଅକ୍ଷୟ ରଣା ପ୍ରମୁଖ ନେତୃତ୍ୱ ନେଇ ବକ୍ତବ୍ୟ ରଖିଥିଲେ ।