Odisha news

ଉଚ୍ଚ ଶିକ୍ଷା ଲାଭକରି ସ୍ୱାବଲମ୍ବୀ ହୁଅ ମା’ ମାଟିର ସ୍ୱାଭିମାନକୁ ଭୁଲି ଯାଅନି

0
କୋଣାର୍କ : ମାଟ୍ରିକରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାପରେ ଉଚ୍ଚ ଶିକ୍ଷା ଲାଭକରି ସ୍ୱାବଲମ୍ବୀ ହୁଅ। ଦେଶବିଦେଶରେ ନାମ କମାଅ। କିନ୍ତୁ ଜନ୍ମମାଟି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ତଥା ସ୍ୱାଭିମାନକୁ ଭୁଲିଯାଅନି ଵୋଲି ବକ୍ତାମାନେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
     ରବିବାର ସ୍ଥାନୀୟ ଯାତ୍ରୀନିଵାସଠାରେ କୋଣାର୍କ ସାହିତ୍ୟ ସଂସଦ  ପକ୍ଷରୁ ମାଟ୍ରିକ ମେଧା ସମ୍ମାନ – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଗତ ମାଟ୍ରିକ ଓ ସିଵିଏସ୍ଇ ଦଶମ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୨୬ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ପ୍ରଶଂସାପତ୍ର, ଗୋଲ୍ଡ ମେଡାଲ ଓ ପାଠ୍ୟୋପକରଣ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ଶରତ ଚନ୍ଦ୍ର ପ୍ରଧାନ, ଜମ୍ବେଶ୍ଵର ସ୍ୱାଇଁ, ମନୋରଞ୍ଜନ ପଟ୍ଟନାୟକ, ସ୍ୱର୍ଣ୍ଣଲତା ତ୍ରିପାଠୀ, ସୁଧୀର ଚନ୍ଦ୍ର ଭୂୟାଁ, ଵାନରସେନା ସଂପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ରେଡ଼ିଓ ନମସ୍କାର ଅଧ୍ୟକ୍ଷ ଏନ୍.ଏ. ଶାହଃ ଅନସାରୀ, କୋଣାର୍କ ଵାର୍ ଆସୋସିଏସନ୍ ସଭାପତି ଶ୍ରୀଜୟ ଵରାଳ ଓ ସମାଜସେଵୀ ନିରଞ୍ଜନ ସାହୁ ଅତିଥିରୂପେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଏହି ଅଵସରରେ ଛାତ୍ରଛାତ୍ରୀମାନଙ୍କ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ମଧ୍ୟ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଛି। କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ଅତିଥିମାନଙ୍କୁ ସ୍ବାଗତ କରିଵା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ଶିକ୍ଷକ ତଥା ସମାଜସେବୀ ରାମକୃଷ୍ଣ ମହାନ୍ତି ମଞ୍ଚ ସଂଯୋଜନା କରିଥିବାଵେଳେ ସମାଜସେବୀ ରବୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧନା ଉତ୍ସବ ପ୍ରାରମ୍ଭରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସମାଜସେବୀ ନିରଞ୍ଜନ ତ୍ରିପାଠୀ, ପ୍ରଦୀପ କୁମାର ପ୍ରଧାନ, ଜାନକୀ ପରିଡ଼ା, ଶିକ୍ତକ ଵାନାମ୍ଵର ବେହେରା ଓ ଗଙ୍ଗାଧର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Leave A Reply