Odisha news

ବେଳାମାର୍ଗରେ ଭୟଙ୍କର ଜୁଆର ମାଡ : ସମୁଦ୍ରଗର୍ଭରେ ଲୀନ ହେବା ଆଶଙ୍କାରେ ପୁରୀ-କୋଣାର୍କ ବେଳାମାର୍ଗ ରାସ୍ତା

ସିନ୍ଥେଟିକ ସୁରକ୍ଷା ପ୍ରାଚେରୀ ଶୀଘ୍ର ନିର୍ମାଣ ପାଇଁ ଦାବି । ଚିନ୍ତା ଓ ଭୟରେ ଅଞ୍ଚଳବାସୀ

0
କୋଣାର୍କ:-୧୯/୫ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ କୁ ପର୍ଯ୍ୟଟନ ଆଗମନ ର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପୁରୀ କୋଣାର୍କ ବେଳମାର୍ଗ ଏବେ ସମୁଦ୍ର ର ଗତିପଥ ପରିବର୍ତନ କୁ ନେଇ ଭୟଙ୍କର ବିପଦ ରେ ।   ରାମଚଣ୍ଡୀ ସାହୁଖଣତା ଠାରୁ ଚନ୍ଦ୍ରଭଗା  ବେଳମାର୍ଗ ରାସ୍ତା ରେ ଏବେ ସମୁଦ୍ର ର ଅଶାନ୍ତ ଜୁଆର ଘନ ଘନ ମାଡ ହୋଇ ଅତଡା ଖାଉଥିବା ଦୃଶ୍ୟ ପାଇଁ ଏବେ ପୁରୀ କୋଣାର୍କ ବେଳାମାର୍ଗ ରାସ୍ତା ସମୁଦ୍ର ଗର୍ଭ ରେ ଲୀନ ହେବ ଆଶଙ୍କା ଦେଖାଦେଇଛି। ଦୀର୍ଘ ୩୫ କିଲୋମିଟର ବ୍ୟାପି ଏହି ପୁରୀ-କୋଣାର୍କ ରାସ୍ତା ଏବେ ସମୁଦ୍ର ଆଁ ରେ ଲୀନ ହେବାକୁ ବସିଲାଣି।ଦିନକୁ ଦିନ ପାଖକୁ ପାଖ ସମୁଦ୍ରର ବଡ଼ ବଡ଼ ଢେଉ ମାଡ଼ିଆସି ଏବେ କୂଳ ଲଙ୍ଘିବା ଆରମ୍ଭ କରିଲାଣି।ବେଳେ ବେଳେ ସମୁଦ୍ର ଅଶାନ୍ତ ହୋଇଯିବା ଫଳ ରେ ଲହଡି ଆସି ରାସ୍ତା ପାର୍ଶ୍ଵ ବାଲି ଛୁଇଁବା ଦେଖା ଦେଇଛି।ବିଶେଷ କରି  ସମୁଦ୍ର ଏବେ ଗତି ପରିବର୍ତନ କରି ବେଳାମାର୍ଗ ପାର୍ଶ୍ଵ ରେ ଥିବା ରାମଚଣ୍ଡୀ ନଇ ରେ ନୂଆ ଏକ ମୁହାଣ ନିକଟ ଅତୀତରେ ସାହୁ ଖଣତା ପାର୍ଶ୍ଵ ଲୋଟସ ରିସର୍ଟ ପଛ ପଟୁ ଖୋଲିଥିବା ଯୋଗୁଁ ସମୁଦ୍ର ଏବେ ଅଧିକ ଉଗ୍ର ହୋଇଯାଇଥିବା ଦେଖା ଦେଇଛି।
ସମୁଦ୍ର ଜୁଆର ର ଅଶାନ୍ତ ଓ ଉଗ୍ର ରୂପ ଦେଖି ଏବେ ସ୍ଥାନୀୟ ଅଞ୍ଚଳ ଟିକନା,ଖାଲକଟା ପାଟଣା, ବରପଦା ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୟ ରେ ଜୀବନ ଅତିବାହିତ କରୁଅଛନ୍ତି। ମୁଖ୍ୟତ ଚନ୍ଦ୍ରଭାଗା ଠାରୁ ସାହୁ ଖଣତା ଇକୋ- ରିଟ୍ରିଟ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ରୁ ଉର୍ଦ୍ଧ୍ବ ରାସ୍ତା ନିକଟରେ ଅଶାନ୍ତ ସମୁଦ୍ର ଅଧିକ କରାଳ ରୂପ ଧାରଣ କରି ବଡ଼ ବଡ଼ ଢେଉ ସିଧାସଳଖ ଆସି ମୁଖ୍ୟ ରାସ୍ତା କୁ ସୁରକ୍ଷା ଯୋଗାଉଥିବା ବାଲିବନ୍ତ ଗୁଡିକୁ ଧୋଇଦେଇ  ରାସ୍ତାକୁ ସୁରକ୍ଷିତ ରଖିଥିବା ପଥର ପାଚେରୀ ଗୁଡିକୁ ଭସାଇନେଇ ଭାଙ୍ଗିରୁଜି ଦେଇଥିବା ଦେଖାଯାଇଛି ।ମୁଖ୍ୟରାସ୍ତା ଠାରୁ ଏବେ ମାତ୍ର ୧ ମିଟର ଦୂରରେ ପହଁଚିଲାଣି ସମୁଦ୍ର। ଦୀର୍ଘ ୨୦ ବର୍ଷ ମଧ୍ୟରେ ସମୁଦ୍ର ଏତେ ଉଗ୍ର ହେବା ଦେଖିନଥିବା ସ୍ଥାନୀୟ ଅଧିବାସୀ ଏବେ ଭୟ ରେ ନିଜ ଭିଟାମାଟି ଛାଡିବା  ଆଶଙ୍କା ରେ ।
୧୯୯୯ ମସିହା ମହାବାତ୍ୟା ରେ ସମୁଦ୍ର ତାର ଉଗ୍ର ରୂପ ଧାରଣ କରି ଜନବସତି ଆଡ଼କୁ ମାଡି ଆସିବ ପରେ ସେବେଠାରୁ ସମୁଦ୍ର କ୍ରମଶଃ ଭୟ ର ଏପରି ଏକ ବାତାବରଣ ସାଧାରଣ ରେ ସୃଷ୍ଟି କରି ରଖିଛି।ଲଗାତାର କିଛିବର୍ଷ ଧରି ପ୍ରତିବର୍ଷ ଏହି ଉପକୂଳ ଓଡ଼ିଶା ବିଶେଷ କରି ପୁରୀ-କୋଣାର୍କ-କାକଟପୁର-ଅସ୍ତରଙ୍ଗ ଅନେକ ବାତ୍ୟା ର ସାମ୍ନା କରିଆସୁଛନ୍ତି ଏବଂ ବାତ୍ୟା ପରେ ପରେ ଦିନକୁ ଦିନ ଅଧିକ ରୁ ଅଧିକ ସମୁଦ୍ର ଅଶାନ୍ତ ରହୁଥିବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସାରା ବିଶ୍ୱରେ ଦିନକୁ ଦିନ ବଦଳୁ ଥିବା ପାଣିପାଗ,ଗ୍ଲୋବାଲ ୱାର୍ମିଙ୍ଗ ଓ ଜଙ୍ଗଲ ଅବକ୍ଷୟ ସମୁଦ୍ର ର ଏପରି କରାଳ ରୂପ ପାଇଁ ଦାୟୀ ବୋଲି ପରିବେଶବିତ ମାନେ ନିଜର ମତ ପ୍ରକାଶ କରିଛନ୍ତି।
ପୂର୍ବରୁ ପୁରୀ-କୋଣାର୍କ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ତଳେ ଅଶାନ୍ତ ସମୁଦ୍ର ଯୋଗୁଁ ବିଚ୍ଛିନ୍ନ ହୋଇଯିବା ପରେ ସରକାର ଙ୍କ ପକ୍ଷରୁ ବର୍ତ୍ତମାନ ର ଏହି ନୂତନ ମେରାଇନ ଡ୍ରାଇଭ ରାସ୍ତା ନିର୍ମାଣ ହୋଇଥିଲା।ମାତ୍ର ସମୁଦ୍ର ପୁଣି ଏବେ ଅଶାନ୍ତ ହୋଇ ଉଠିବା ଓ ବାର ବାର କୂଳ ଲଙ୍ଘିବା ଯୋଗୁଁ ଏହି ନୂତନ ବେଳାମାର୍ଗ ରାସ୍ତା ବିଚ୍ଛିନ୍ନ ହେବା ନେଇ ସ୍ପଷ୍ଟ ସଂକେତ ଦେଲାଣି।ଏହି ରାସ୍ତା କୁ ସମୁଦ୍ର ପ୍ରକୋପ ରୁ ବଞ୍ଚାଇବାକୁ ହେଲେ ଚନ୍ଦ୍ରଭାଗା ଠାରୁ ସାହୁ ଖଣତା ଲୋଟସ ରିସର୍ଟ ପଛ ପାର୍ଶ୍ଵ ପର୍ଯ୍ୟନ୍ତ ମର୍ଡନ ଟେକ୍ନୋଲୋଜି ର ବ୍ୟବହାର ରେ ଜିଓ ସିଂଥେଟିକୱାଲ ତଥା ସୁରକ୍ଷା ପାଚେରୀ ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ଅଞ୍ଚଳ ର ବୁଦ୍ଧିଜୀବି ଓ ପରିବେଶବିତ ମାନେ ମତ ବ୍ୟକ୍ତ କରିଛନ୍ତି। ନଚେତ ଆଉ ବେଶୀ ଦିନ ନୁହେଁ ବେଳମାର୍ଗ ରାସ୍ତା ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭ କୁ ଚାଲିଯାଇ ଲୀନ ହୋଇଯିବ।ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି କିଭଳି ବେଳ ଥାଉ ଥାଉ ଏହି ସମସ୍ୟା ର ସମାଧାନ କରାଯିବା ସହ ବେଳାମାର୍ଗ ରାସ୍ତା କୁ ରକ୍ଷା କରାଯାଇ ପାରିବ ତାହା ଉପରେ  ଦୃଢ ତ୍ୱରିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।
Leave A Reply