ବିପଦ ରେ ମେରାଇନ ଡ୍ରାଇଭ ରାସ୍ତା : ରାତିଅଧିଆ ମେରାଇନ ଡ୍ରାଇଭ ରାସ୍ତା ରୁ ହଜାର ହଜାର ଟ୍ରିପ ବାଲି ଲୁଟ ,
ଠିକାଦାର ଓ ଏନ ଏଚ ଆଇ କନିଷ୍ଠ ଯନ୍ତ୍ରୀ ଙ୍କ ନାଁ ରେ ଥାନାରେ ମାମଲା କଲେ ତହସିଲଦାର,
କୋଣାର୍କ:-୬/୪ କୋଣାର୍କ ରେ ଜୋର ସୋର ରେ ଚାଲିଛି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ର କାର୍ଯ୍ୟ।ଦୀର୍ଘ ୧ ବର୍ଷ ଧରି ଜାରି ରହିଥିବା ଏହି କାମ ପାଇଁ ପର୍ଯ୍ୟାପ୍ତ ପରିମାଣ ର ବାଲି ର ଆବଶ୍ୟକତା ଥିବା ବେଳେ ପ୍ରଥମ ରୁ ବାଲି କୁ ନେଇ ଉପୁଜିଥିଲା ବିବାଦ। ସୂର୍ଯ୍ୟ ମନ୍ଦିର ପଛ ପାର୍ଶ୍ୱ ରୁ ବହୁ ପ୍ରାଚୀନ ବିଶାଳ ବାଲି ବନ୍ତ କୁ କୃତ୍ରିମ ହ୍ରଦ ରେ ପରିଣତ କରିବା ପରେ ଠିକାଦାର ଙ୍କ ଲୋଲୁପ ଦୃଷ୍ଟି ଏବେ ବେଳାମାର୍ଗ ଉପରୁ ହଟୁ ନାହିଁ। ରାତି ଅଧିଆ ହାଇୱା ଲଗାଇ ଠିକାଦାର ଜେସିବି ମାଧ୍ୟମରେ ହଜାର ହଜାର ଟ୍ରିପ ବାଲି ଉଠାଇବା ଦ୍ୱାରା ମେରାଇନ ଡ୍ରାଇଭ ରାସ୍ତା ଏବେ ବିପଦ ଆଡ଼କୁ ଠେଲି ହୋଇଯାଇଛି।ସମୁଦ୍ର କୂଳ ନିକଟରେ ଥିବା ବାଲୁଖଣ୍ଡ ଅଭ୍ୟାୟରଣ୍ୟ ଏବଂ ବେଳାମାର୍ଗ ରୁ ବାଲି ଉଠାଇବା ଦ୍ୱାରା ଉଭୟ ଅଭ୍ୟାୟାରଣ୍ୟ ଏବଂ ମେରାଇନ ଡ୍ରାଇଭ ପାଇଁ ନୂଆ ବିପଦ ମୁଣ୍ଡ ଟେକିବାକୁ ଆରମ୍ଭ କଲାଣି।ସମୁଦ୍ର ପତନ ଠାରୁ ୫୦୦ ମିଟର ଭିତରେ ଇକୋ ସେଂସିଟିଭ ଜୋନ ଏବଂ ସିଆରଜେଡ ଆଇନ ର ଖୋଲା ଖୋଲି ଉଲଂଘନ କରି ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ମିଲି ଭଗତ ରେ ବାଲି ଉଠୁଥିବା କୁ ନେଇ ଗୋପ ତହସିଲଦାର ଏସ କେ ସାଗିର ଏନେଇ ଗତ ୪ ତାରିଖରେ ଠିକାଦାର ଏବଂ ଏନଏଚଆଇ ର କନିଷ୍ଠ ଯନ୍ତ୍ରୀ ଙ୍କ ନାଁ ରେ କୋଣାର୍କ ଥାନା ରେ ଏକ ମାମଲା ରୁଜ୍ଜୁ କରିଛନ୍ତି।ଏହା ସହିତ ବିଭିନ୍ନ ସମୟରେ ଚଢ଼ାଉ କରି ମୋଟ ୨ଲକ୍ଷ ୨୦ହଜାର ଟଙ୍କା ର ଫାଇନ ମଧ୍ୟ କଟା ଯାଇଥିଲେ ସୁଧା ଠିକାଦାର ତହସିଲଦାର ଙ୍କ ନିର୍ଦେଶ କୁ ଖାତିର ନକରି ପୁଣି ବିଳମ୍ବିତ ରାତିରେ ବେଳମାର୍ଗ ସେଂସିଟିଭି ଜୋନ ଅଂଚଳରୁ ବାଲି ଉଠାଇବାରୁ ବାଧ୍ୟ ହୋଇ ଗୋପ ତହସିଲଦାର ଏସକେ ସାଗିର କୋଣାର୍କ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ମାତ୍ର ବନବିଭାଗ ର ଅଧିକାରୀ ମାନେ ଜାଣି ନଜାଣିଲାପରି ଚୁପ ହୋଇ ବସିରହିବାକୁ ନେଇ ସାଧାରଣରେ ବନ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ ବାଚି ଉଠିଛି ।ଆଗାମୀ ଦିନରେ ଠିକାଦାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।