ଅର୍କକ୍ଷେତ୍ରରେ ଅବାଧରେ ବିକ୍ରି ଚାଲିଛି ନକଲି ମୃଦୁ ପାନୀୟ ସହ ବାସୀ ଖାଦ୍ୟ ,ନିଘୋଡ଼ ନିଦ୍ରାରେ ଜିଲ୍ଲା ଖାଦ୍ୟ ନିରୀକ୍ଷକ
କୋଣାର୍କ : ରାଜ୍ୟ ରେ ଦିନକୁ ଦିନ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ବଢିବାରେ ଲାଗିଛି । ଏହାକୁ ଖାଇବା ଦ୍ବାରା ସମାଜରେ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଗତ ସମସ୍ୟା ମାନ ଦେଖାଯାଉଛି । ଯାହା ଚିନ୍ତାର କାରଣ ପାଲଟିଛି । ଏହି ନକଲି ଖାଦ୍ୟ ସାମଗ୍ରୀ ସହ ମୃଦୁ ପାନୀୟ ଓ ହୋଟେଲ ମାନଙ୍କରେ ବାସୀ ଖାଦ୍ୟ ବିକ୍ରି ଏବେ ଅର୍କକ୍ଷେତ୍ର କୋଣାର୍କରେ ଅବାଧରେ ବିକ୍ରି ହେଉଛି । ଯେଉଁ ନକଲି ମୃଦୁ ପାନୀୟ କୋଣାର୍କ ଅବାଧରେ ବିକ୍ରି ହେଉଛି ତାହା ପ୍ରେମ ଲିଚି ନାମରେ ବଜାରରେ ଉପଲବ୍ଧ ହେଉଛି । ଯାହା ଭୁବନେଶ୍ୱର ର ମଞ୍ଚେଶ୍ୱର ଠାରେ ପ୍ରସ୍ତୁତ କରାଯାଇ ବିଭିନ୍ନ ଏଜେଣ୍ଡା ମାଧ୍ୟମରେ ବେଶୀ ଲାଭ ଦେଖାଇ ବଜାରରେ ପ୍ରବେଶ କରୁଥିବା ଜଣାପଡିଛି । ଯାହାର ମାନ ଅତି ନିମ୍ନ ମାନର ହେବା ସହ ଏହା ଭିତରେ ହାନି କାରଣ ରସାୟନିକ ତରଳ ପଦାର୍ଥର ମିଶ୍ରଣ ରହୁଛି ଯାହା ମନୁଷ୍ୟ ଶରୀରରେ ବିଭିନ୍ନ ମାରାତ୍ମକ ରୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି ।ତାହା ଛଡା ଏହି ଲିଚି ର ଭିତରେ ଲୁହାଗୁଣ୍ଡ ଓ ବାଲି ପରି ଗୁଣ୍ଡ ଭାସୁ ଥିବାର ଦେଖାଯାଉଛି।ଯାହାକୁ ପିଇଲେ ସ୍ୱାସ୍ଥ୍ୟ ବିଗିଡିବା ସହ ଭବିଷ୍ୟତ ରେ ପେଟ ରୋଗ ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ମତ ପ୍ରକାଶ ପାଇଛି । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଚାଲି ଥିବାରୁ ଏହି ନକଲି ପ୍ରେମ ଲିଚି କୁ ବଜାରରେ ବିକ୍ରି କରି କମ୍ପାନୀ ମାଲାମାଲ ହେବାର ଯୋଜନା ରଖିଛି । ସେହି ପରି କୋଣାର୍କରେ ଥିବା ବିଭିନ୍ନ ହୋଟେଲ ମାନଙ୍କରେ ଗ୍ରାହକ ମାନଙ୍କୁ ୨ରୁ ୩ଦିନର ବାସୀ ଖାଦ୍ୟ ଓ ତରକାରୀ ଫ୍ରିଜି ରେ ରଖି ବିକ୍ରି ହେଉଥିବାର ଅଭିଯୋଗ ହେଉଛି। ଯାହା କୁ ପର୍ଯ୍ୟଟକ ମାନେ ଖାଇବାକୁ କୋଣାର୍କରେ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହାର କାରଣ ହେଉଛି ଜିଲ୍ଲା ଖାଦ୍ୟ ନିରୀକ୍ଷକ ଦିନେ ହେଲେ ବି କୋଣାର୍କ ଆସି ଖାଦ୍ୟର ମାନ ଯାଞ୍ଚ କରୁନାହାନ୍ତି ।ଯାହା ଫଳରେ ହୋଟେଲ ଓ ଅନ୍ୟ ବ୍ୟବସାୟୀ ମାନେ ଏହାର ଫାଇଦା ହାସଲ କରି ଗ୍ରାହକକୁ ଠକିବା ସହ ନକଲି ଓ ବାସୀ ସାମଗ୍ରୀ କୁ ଅନାୟସରେ ବିକ୍ରି କରି ମାଲାମାଲ ହେବା ସହ କୋଣାର୍କ ର ଛବି କୁ ବିଶ୍ଵଦରବାରରେ ଖରାପ କରୁଛନ୍ତି । ସତେ ଯେପରି ଜିଲ୍ଲା ଖାଦ୍ୟ ନିରୀକ୍ଷକ ନିଘୋଡ଼ ନିଦ୍ରାରେ ଶୋଇ ଯାଇଛନ୍ତି ।ଯାହା ଏବେ ଚିନ୍ତାର କାରଣ ପାଲଟିଛି ।ତେଣୁ ପୁରୀ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ପ୍ରକାଶ ପାଇଛି।
Comments are closed.