କୋଣାର୍କ : ଚନ୍ଦ୍ରଭାଗା ର ରାସ୍ତାପାର୍ଶ୍ବ ଉଠା ବ୍ୟବସାୟୀଙ୍କ ଥଇଥାନ ପାଇଁ କୋଣାର୍କ ଏନଏସି କର୍ତ୍ତୁପକ୍ଷଙ୍କ ପକ୍ଷରୁ ଚନ୍ଦ୍ରଭାଗା ମାଘମେଳା ପଡ଼ିଆରେ ଭେଣ୍ଡିଂଜୋନ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏନେଇ ଏନଏସିର କନିଷ୍ଠ ଯନ୍ତ୍ରୀ ଜଗଦୀଶ ନାୟକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରସ୍ତାବିତ ଭେଣ୍ଡିଂଜୋନ ପାଇଁ ମପାଚୁପା ଆରମ୍ଭ କରିଥିଲେ । ବ୍ୟବସାୟୀ ମାନଙ୍କୁ ୧୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରରରେ ପ୍ଳଟ ଯୋଗାଇ ଦିଆଯିବ ବୋଲି ଜଣାପଡିଛି।
ପ୍ରଶାସନ ସ୍ଥାୟୀ ଭେଣ୍ଡିଂଜୋନ କରି ବ୍ୟବସାୟୀଙ୍କୁ ତାହା ହସ୍ତାନ୍ତର କରିବେ ।ଚନ୍ଦ୍ରଭାଗା ନୋଳିଆ ସାହି ରାସ୍ତାରୁ ଛୋଟାରାମ ବାବା ଆଶ୍ରମ ପର୍ଯ୍ୟନ୍ତ ଏଲ ଆକୃତିରେ ଏହି ଭେଣ୍ଡିଂଜୋନ ନିର୍ମାଣ କରାଯିବ ଯେଉଁଥିରେ କି ଚନ୍ଦ୍ରଭାଗା ମାଘସପ୍ତମୀ ମେଳାପଡ଼ିଆର କିଛି ଅଂଶ କୁ ପ୍ରଶାସନ ଭେଣ୍ଡିଂ ଜୋନ ପାଇଁ ଦଖଲକୁ ନେବ । ଭେଣ୍ଡିଂଜୋନର ସମସ୍ତ ଦୋକାନ ମୁହଁ ମାଘମେଳା ପଡ଼ିଆ ଅର୍ଥାତ ତୀର୍ଥ ପଟକୁ ରଖିବା ପାଇଁ ସ୍ଥିର କରାଯାଇଛି ।
ପ୍ରତିବର୍ଷ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼ ପାଇଁ ବିଶ୍ବର କୋଣ ଅନୁକୋଣ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ଚନ୍ଦ୍ରଭାଗା ମାଘମେଳା ପଡ଼ିଆରେ ଜମିଥାଏ । ମାଘଷଷ୍ଠୀ ଅପରାହ୍ନରୁ ସପ୍ତମୀ ଭୋର ପର୍ଯ୍ୟନ୍ତ ମେଳାପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁ ନଡ଼ିଆ ଛାଞ୍ଚ ଘରେ ରାତ୍ରିଯାପନ କରି ସପ୍ତମୀ ଦିନ ଚନ୍ଦ୍ରଭାଗା ତୀର୍ଥରେ ମାଘସପ୍ତମୀ ବୁଡ଼ ପକାଇଥାନ୍ତି ।ମାତ୍ର ଏବେ ପ୍ରଶାସନ ଏହି ମେଳାପଡ଼ିଆର କିଛିଅଂଶରେ ଭେଣ୍ଡିଂ ଜୋନ କଲେ ଜନଗହଳି ସମୟରେ ଏହା ଦଳାଚକଟା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି ।
ପ୍ରଶାସନର ଏହି ନିଷ୍ପତିକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି ।ଏପରିକି ପ୍ରଶାସନର ଏହି ନିଷ୍ପତି ବିରୁଦ୍ଧରେ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ଓ ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ ଶାଖା ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଣାର୍କର ଦଳବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯାଇଛି ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ନେଇଥିବା ନିଷ୍ପତିର ପୁର୍ନବିଚାର କରିବାକୁ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି ।