କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶ କ୍ରମେ ଗତକାଲି ଠାରୁ ଜିଲ୍ଲାର ପ୍ରତି ପଞ୍ଚାୟତ ଗୁଡ଼ିକରେ ଆରମ୍ଭ ହୋଇଛି ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ।ମୋ ସ୍ବାଭିମାନ, ସ୍ବଚ୍ଛ ଗଂଜାମର ନାରା ଦେଇ ସ୍ବଚ୍ଛତା ନିମିତ୍ତ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବେଗୁନିଆପଡ଼ା ପଞ୍ଚାୟତରେ ମଂଗଳବାର ଜିଲ୍ଲା ଡେପୁଟି ଡାଇରେକ୍ଟରକଂ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁ, ଆର୍ ଡବ୍ଲ୍ୟୁ ଏସ୍ ଏସ୍ ଯନ୍ତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଆଶା ଓ ଅଂଗନବାଡ଼ି କର୍ମି ମାନେ ଉପସ୍ଥିତ ଥିଲେ।
ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ପରିବା ବଜାର ଠାରେ ଏକ ସଭା ମାଧ୍ୟମରେ ସଚେତନତା କରାଯାଇଥିଲା। ସ୍ବଚ୍ଛତା ପ୍ରତି ସଜାଗ ରହି ଏଥିପ୍ରତି ସମୟ ଦେବା, ପରିବେଶକୁ ସଦାସର୍ବଦା ସଫା ରଖିବା, ସର୍ବ ପ୍ରଥମେ ନିଜ ଘରୁ ଏବଂ ପରେ ଗାଁ ରୁ ଏହି ଅଭିଯାନ ଆରମ୍ଭ କରିବାକୁ କୁହାଯାଇଥିଲା। ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି।