କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ହଜି ଯାଉଛି ପୁରାତନ ପାଶ୍ଚାତ୍ୟ ସଂକୀର୍ତ୍ତନ। ମୃଦଙ୍ଗ ବାଦ୍ୟର ତାଳେତାଳେ ପୌରାଣିକ ଭଜନ, ଚମ୍ପୁ, ଛାନ୍ଦ ଭଳି ସଂକୀର୍ତ୍ତନ ପରିବେଷଣ ଏବେ ଆଉ ବହୁ ପରିମାଣରେ ଦେଖିବାକୁ ମିଳୁନି। ଯାହାକୁ ନେଇ ଗାଁ ମାନଙ୍କରେ ରହୁଥିବା ବୟସ୍କ ବ୍ୟକ୍ତି ଏବେ ଚିନ୍ତାରେ। ତେବେ ଏହି ସଂସ୍କୃତିକୁ ବଞ୍ଚାଇ ରଖିବାକୁ କିଛି ସ୍ଥାନରେ ଏବେ ବି ପ୍ରୟାସ ଜାରି ରହିଥିବା ମଧ୍ୟ ଦେଖିବାକୁ ମିଳିଛି ।ଗଂଜାମ ଜିଲ୍ଲା ବେଗୁନିଆପଡ଼ା ନିକଟସ୍ଥ ତିରିଡା ଗ୍ରାମରେ ପୁରାତନ ତଥା ପାଶ୍ଚାତ୍ୟ ମୃଦଙ୍ଗ ବାଦ୍ୟକୁ ବଞ୍ଚିତ କରି ରଖିବା ପାଇଁ ଆରମ୍ଭ ହୋଇଛି ଭିନ୍ନ ପ୍ରୟାସ।
ଗ୍ରାମରେ ବହୁ ବର୍ଷ ଧରି ସଂକୀର୍ତ୍ତନ ମଣ୍ଡଳୀ ରହିଥିବା ବେଳେ ଅଧୁନା ଯୁବପିଢ଼ି ମୃଦଙ୍ଗ ବାଦ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁ ନଥିଲେ। ତେବେ ଗ୍ରାମର କିଛି ବୟୋଜ୍ୟେଷ୍ଠଙ୍କ ଉଦ୍ଯମ କ୍ରମେ ୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ମୃଦଙ୍ଗ ଆଖଡ଼ା। ମୃଦଙ୍ଗ ବାଦ୍ୟରେ ଆଗ୍ରହୀ ଥିବା ଗ୍ରାମର ୨୨ ଜଣ ଯୁବକ ୨ ବର୍ଷ ଧରି ଏହି ଶିକ୍ଷା ନେବା ପରେ ଏବେ ସୁନ୍ଦର ମୃଦଙ୍ଗ ବଜାଇ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି କରିବା ସହ ପୁରାତନ କଳାକୁ ପୁନର୍ଜୀବିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ପବିତ୍ର କାର୍ତ୍ତିକ ମାସ ସାରା ଗ୍ରାମରେ ଏହି ସଂକୀର୍ତ୍ତନ ପରିବେଷଣ ହେଉଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ସଂଧ୍ୟାରେ ମୃଦଙ୍ଗ ବାଦ୍ୟ ସଂକୀର୍ତ୍ତନ ଦର୍ଶକଙ୍କୁ କିଛି ସମୟ ପାଇଁ ବାନ୍ଧି ରଖିଥିଲା।