Odisha news

ଜେଏସପି ଫାଉଣ୍ଡେସନ ପକ୍ଷରୁ ବଡ଼ବିଲ ଅଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପ୍ରକଳ୍ପ ‘ବାତ୍ସଲ୍ୟ’ ର ଶୁଭାରମ୍ଭ

0

କେନ୍ଦୁଝର : ଆଦିବାସୀ ଅଧ୍ୟୁଷିତ ବଡ଼ବିଲ ଅଞ୍ଚଳରେ ମହିଳା, ଶିଶୁ ଓ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ଏହାର ପ୍ରମୁଖ ପ୍ରକଳ୍ପ ‘ବାତ୍ସଲ୍ୟ’ର ଶୁଭାରମ୍ଭ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଓଝର, ସେରେଣ୍ଡା ଓ ଭଦ୍ରାସାହି ଗ୍ରାମ ପଞ୍ଚାୟତରେ ୨୦ଟି ଗ୍ରାମକୁ ନେଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ସୁରକ୍ଷିତ ମାତୃତ୍ୱ ସୁନିଶ୍ଚିତ କରିବା, ଶିଶୁ ମୃତ୍ୟୁହାର ହ୍ରାସ କରିବା, ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା, ସୁସ୍ଥ ପାରିବାରିକ ନିୟମକୁ ପ୍ରୋତ୍ସାହିତ କରିବା ଏବଂ ବର୍ତ୍ତମାନର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସାହାଯ୍ୟ ସହଯୋଗ ଯୋଗାଇଦେବା ଏହି ପ୍ରକଳ୍ପର ଲକ୍ଷ୍ୟ । ଜେଏସପି ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମର ପ୍ରଭାବଶାଳୀ ରୂପାୟନ ପାଇଁ ପିଆରଆଇ ସଦସ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଆଇସିଡିଏସ ବିଭାଗ ଏବଂ ଗ୍ରାମ ବାସୀଙ୍କ ସହଯୋଗରେ କାମ କରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ଜଣ ‘ସ୍ୱାସ୍ଥ୍ୟ ସଙ୍ଗିନୀ’ ଏହି ସବୁ ଗାଁରେ ନିୟୋଜିତ ହୋଇ ତୃଣ ମୂଳ ସ୍ଥରରେ କାର୍ଯ୍ୟ କରିବେ । ଏହି ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରସବ ପୂର୍ବର ଆବଶ୍ୟକତା, ଶିଶୁ ଯତ୍ନ, ଟୀକାକରଣ ଏବଂ ଆବଶ୍ୟକ ପୋଷଣ ସମେତ ସରକାରୀ ସ୍ୱାସ୍ଥ୍ୟ ସେବାଗୁଡିକର ଉପଯୋଗ କରିବା ପାଇଁ ସମୁଦାୟକୁ ସଚେତନ କରିବେ । ପ୍ରକଳ୍ପ ବାତ୍ସଲ୍ୟ ଶିଶୁ ଏବଂ ମାତୃ ମୃତ୍ୟୁ ହାର ହ୍ରାସ କରିବା, ବିପଦପୂର୍ଣ୍ଣ ଗର୍ଭଧାରଣର ସମାଧାନ, ମଦ୍ୟପାନର ମୁକାବିଲା ଏବଂ କିଶୋରୀମାନଙ୍କୁ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରେ ।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଉପଲକ୍ଷେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଜୁଲାଇ ୧, ୨୦୨୪ରେ ଦେଓଝରର ଜିନ୍ଦଲ ନଗରସ୍ଥିତ ଜେଏସପ୍ଲେକ୍ସ ଠାରେ ଏକ ଉଦଘାଟନ ସମାରୋହର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ମାନବ ସମ୍ବଳ ବିଭାଗ ମୁଖ୍ୟ, ଜେଏସପି, ବଡ଼ବିଲ, କାସିଆ ଓ ଟେନ୍ସା ୟୁନିଟସ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଝର ଗ୍ରାମ ପଞ୍ଚାୟତର ପିଏସ୍ ସଭ୍ୟ ଶ୍ରୀମତୀ ଲକ୍ଷ୍ମୀ ମୁଣ୍ଡା, ଭଦ୍ରାସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରମିଳା ନାୟକ, ଭଦ୍ରାସାହି ଗ୍ରାମ ପଞ୍ଚାୟତର ପିଏସ୍ ସଭ୍ୟ ଶ୍ରୀ ଯଶୋବନ୍ତ ପାତ୍ର, ସେରେଣ୍ଡା ଜିପିର ସରପଞ୍ଚ ଶ୍ରୀମତୀ ସସ୍ମିତା ସିଦୁ,  ସେରେଣ୍ଡା ପିଏସ ସଭ୍ୟ ଶ୍ରୀ ଶଙ୍କର ଚେତମ୍ବା, ଶ୍ରୀ ଲକ୍ଷ୍ମୀକାନ୍ତ ସିଂ, ମେଡିକାଲ ଅଫିସର, ସିଏଚସି, ବାସୁଦେବପୁର, ଯୋଡା ବ୍ଲକ ସିଡିପିଓ ଶ୍ରୀମତୀ ସୁକାନ୍ତି ପାତ୍ର ଓ ଶ୍ରୀ ଭର୍ଜିଲ ଲାକ୍ରା, ମୁଖ୍ୟ ସିଏସର, ଜେଏସପି ବଡ଼ବିଲ ଉପସ୍ଥିତ ଥିଲେ ।

ଛତିଶଗଡ଼ର ୭୦ଟି ଓ ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ଗ୍ରାମରେ ମଧ୍ୟ ବାତ୍ସଲ୍ୟ କାର୍ଯ୍ୟକ୍ରମ ସଫଳତାର ସହ ଚାଲିଛି । ଫାଉଣ୍ଡେସନ୍ ର ବଡ଼ବିଲ, କାସିଆ ଓ ଟେନ୍ସା  ୟୁନିଟ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା

Leave A Reply