କନ୍ଧମାଳ, ତା, ୧୯/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ) :- କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆନୁକୂଲ୍ୟରେ ଏବଂ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏକ “ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଓ ମାନସିକ ମନ୍ଥନ କାର୍ଯ୍ୟକ୍ରମ-୨୦୨୬” ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପୂର୍ବ ପ୍ରସ୍ତୁତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ କୁଶଲ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଯୁଧିଷ୍ଠିର ମେହେର ଏବଂ ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକ କାଦିମ ଖାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଏହାସହ ଜିଲ୍ଲା ଏବଂ ବ୍ଲକ ସ୍ତରର ସମସ୍ତ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ରେ ବିଶେଷ ଭାବେ ଉପସ୍ଥିତ ଥିଲେ। ବୈଠକରେ ସମ୍ଭାବ୍ୟ ବାତ୍ୟା, ବନ୍ୟା ବା ଅନ୍ୟାନ୍ୟ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଏକ ରଣନୀତି ପ୍ରସ୍ତୁତ କରାଯିବା ସହ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଅତିଥିମାନେ ବିଶେଷ ଗୁରୁତ୍ୱ ଦେଇଥିଲେ। ବିପର୍ଯ୍ୟୟ ସମୟରେ ତୃଣମୂଳ ସ୍ତରରୁ କିଭଳି ସଠିକ୍ ସୂଚନା ଶୀଘ୍ର ପହଞ୍ଚିବ, କମ୍ ସମୟ ମଧ୍ୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ଏବଂ ଉଦ୍ଧାର କାର୍ଯ୍ୟ ସହ ସାହାଯ୍ୟ ସାମଗ୍ରୀ ବଣ୍ଟନ ପ୍ରକ୍ରିୟା କିଭଳି ତ୍ୱରାନ୍ୱିତ ହେବ, ସେନେଇ ଏକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଶିବିରରେ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ଯୋଗଦେଇ କ୍ଷେତ୍ର ସ୍ତରୀୟ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେ।
