Odisha news

ଗଞ୍ଜେଇ ଜବତ : ଜଣେ ନାବାଳକ ସହ ୫ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଜିଲା ବାହାରକୁ ଗଞ୍ଜେଇ ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ବେଳେ ଫିରିଙ୍ଗିଆ ପୁଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ପରିମାଣ ୪୦୫ କିଲୋ । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ ଅଟକ ରଖିଛି । ମିଳିଥିବା ସୂଚନା ଅନୁସାରେ, କୁଲିଆକୁଟି ଗ୍ରାମର କେତେ ଜଣ ବିପୁଳ ପରିମାଣର ଗଞ୍ଜେଇ ବାହାରକୁ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୁଲିସ କୁଲିଆକୁଟି ଗ୍ରାମରେ ଚଢ଼ାଉ କରିଥିଲେ । ସେଠାରୁ ୪୦୫ କିଲୋ ଗଞ୍ଜେଇ ଜବତ କରିଥିଲେ। ଏଥିସହ ୫ ଜଣକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ରବିଚନ୍ଦ୍ର କହଁର, ଶ୍ରବଣ କହଁର, ନିରାକାର କହଁର, ପର୍ଶୁରାମ କହଁର ଓ କବିରାଜ କହଁର । ଏମାନଙ୍କ ସହ ଜଣେ ନାବାଳକ ମଧ୍ୟ ଏହି କାରବାରରେ ସଂପୃକ୍ତ ଥିବା ପୁଲିସ କହିଛି । ଫିରିଙ୍ଗିଆ ଥାନାରେ ନଂ ୧୧୯/୨୧ ରୁଜ୍ଜୁ କରାଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି ।
Shares