ନର୍ଲା: (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅଞ୍ଚଳରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଦ୍ଵାରା ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ରହିଥିବା ବେଳେ ଅଦ୍ୟାବଧି ବ୍ଳକରେ ସମସ୍ତ ଗାଁ ଗୁଡିକୁ ଜଳ ଯୋଗାଇବାରେ ସରକାର ସଫଳ ହୋଇପାରି ନାହାଁନ୍ତି। ଯେଉଁ ଠାରେ ଜଳଯୋଗାଣ ପ୍ରକଳ୍ପ ରହିଛି ପୁଣି ବର୍ଷ ବର୍ଷ ଧରି ଅକାମୀ ହୋଇ ପଡ଼ିରହିଛି। ଦୀର୍ଘ ୨ବର୍ଷ କାଳ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହେବାପରେ ମଧ୍ୟ ଆରଡବ୍ଳୁଏସ୍ଏସ୍ ବିଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଛି। ବ୍ଳକର ରୁପ୍ରାରୋଡ ପଞ୍ଚାୟତ ସ୍ଥିତ ଲାଖଗୁଡା ଗ୍ରାମର ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପଟି ଆଜକୁ ଦୁଇ ବର୍ଷ ତଳେ ଅଚଳ ହୋଇ ପଡିରହିଛି।
ତେବେ ଏ ପର୍ଯ୍ୟନ୍ତ ପ୍ରକଳ୍ପ ଟିକୁ କାର୍ଯ୍ୟକ୍ଷମ କରା ଯାଉ ନ ଥିବାରୁ ଗାଁ ଲୋକେ ପାନୀୟ ଜଳ ପାଇ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଲୋକେ ପାଣି ପାଇଁ ପାଖରେ ଥିବା ନଦୀର ଜଳ ବ୍ୟବହାର କରୁଥିବାର ଜଣାଇଛନ୍ତି। ଅଧିକାଂଶ ଲୋକେ କିଛି ବ୍ୟକ୍ତିଙ୍କ ପରିବାରରେ ଥିବା ବ୍ୟକ୍ତିଗତ କୂପ ଓ ନଳକୂପ ଉପରେ ନିର୍ଭର କରି ଯେନତେଣ ପ୍ରକାରେ ଚଳିଆସୁଛନ୍ତି। ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପଟି ଅଚଳ ହେବାପରେ ସରକାରଙ୍କ ଅର୍ଥ ପାଣିରେ ପଡ଼ିବା ସାର ହେଉଛି। ଏଥିପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ଅଚଳ ପ୍ରକଳ୍ପ ଟିକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।