ଜମନକିରା,୧୦/୫: ଜମନକିରା ବ୍ଲକ୍ ଟିକିଲିପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସୋମବାର ଦିନ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ପଞ୍ଚାୟତ ସକାଳ ସମୟରେ ଖୋଲିବା ନିଷ୍ପତି ନେଇ ଥିବାବେଳେ ଟିକିଲିପଡ଼ା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ବନ୍ଦ ରହିଅଛି। କେଉଁ କାରଣରୁ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ତାଲା ପଡ଼ିଛି ତାହା କେହିଜାଣିନାହାନ୍ତି। କାର୍ଯ୍ୟାଳୟ ବନ୍ଦ ଥିବାରୁ ପଞ୍ଚାୟତକୁ ଆସୁଥିବା ଜନସାଧାରଣ ହଇରାଣ ହେଉଥିବା ମଧ୍ଯ ଦେଖିବାକୁ ମିଳୁଛି।
ଟିକିଲିପଡ଼ା ପଞ୍ଚାୟତକୁ ଜେମାମାଲ, ବାଦିବାହାଲ, ସାଲେଭଢି, ଡୁମାମୁରା ଭଳି ଦୂରଦୁରାନ୍ତରୁ ଜନସାଧାରଣ ବିଭିନ୍ନ ସମସ୍ୟାନେଇ ଆସିଥାନ୍ତି। ବର୍ତ୍ତମାନ ସମୟରେ ମୁଖ୍ୟତ ଶ୍ରମିକ ପ୍ରମାଣପତ୍ର, ଭତ୍ତା ଆକାଉଣ୍ଟରେ ନପଡ଼ୁଥିବା ଭଳି ସମସ୍ୟା ପାଇଁ ପଞ୍ଚାୟତରେ ଅଭିଯୋଗ କରିବାକୁ ଲୋକେ ଆସୁଥିବା ଦେଖିବାକୁ ମିଳୁଛି। ହେଲେ କାର୍ଯ୍ୟାଳୟରେ ପଞ୍ଚାୟତ ଅଧିକାରୀ ନଥିବାରୁ ଲୋକମାନେ ନିରାଶ ହୋଇ ଲୋକମାନେ ଫେରିଯାଇଥିବା ଦେଖିବାକୁ ମିଳୁଛି। ଏ ବିଷୟରେ ଟିକିଲିପଡ଼ା ପଞ୍ଚାୟତ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯିବାରୁ ସେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ଯାଇ ନଥିବା କହିଥିଲେ। ଏପରି କାର୍ଯ୍ୟାଳୟ ବନ୍ଦ କରିବା ସୁଚନା ଲୋକଙ୍କୁ ଅଘରୁ ଦିଆଗଲେ ଦୂରଦୂରାନ୍ତରୁ ଆସୁଥିବା ଲୋକେ ହଇରାଣ ହେବେନି ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।
ଏ ବିଷୟରେ ବିଡ଼ିଓ ଟୁନୁ ମେହେରଙ୍କୁ ଯୋଗାଯୋଗ କରାଯିବାରୁ ପଞ୍ଚାୟତ ଅଧିକାରୀ ଛୁଟି ପାଇଁ କୌଣସି ଦରଖାସ୍ତ ଦେଇନଥିବାରୁ ସେ ଏସମ୍ପର୍କରେ ଅବଗତ ନାହାଁନ୍ତି ବୋଲି କହିଥିଲେ। ସେହିପରି ସ୍ଥାନୀୟ ଲୋକଙ୍କ ଅଭିଯୋଗଯେ, ପଞ୍ଚାୟତ ଅଧିକାରୀ ଅନେକ ସମୟରେ ଏମିତି ଅନୁପସ୍ଥିତ ରହୁଛନ୍ତି।