Odisha news

ଓଡ଼ିଶାରେ ଜେଲ ଅଦାଲତ

0

ଯୁଧିଷ୍ଠିର ମହାରଣା : ଛୋଟ ଛୋଟ ମାମଲାର ବିଚାର ପାଇଁ କଏଦୀଙ୍କୁ ଆଉ ଅଦାଲତକୁ ନେବାକୁ ପଡ଼ିବ ନାହିଁ । ଏପ୍ରିଲ ମାସରୁ ଜେଲ ଅଦାଲତ ଆରମ୍ଭ ହେଉଛି । ଏହା ହେବା ଦ୍ୱାରା ଜେଲ ଭିତରେ ବିଚାରପତି ବସି ଛୋଟ ଛୋଟ ମାମଲାର ବିଚାର ହୋଇପାରିବ । ସରକାରଙ୍କ ୫ଟି ବ୍ୟବସ୍ଥାରେ ରାଜ୍ୟରେ ପ୍ରଥମଥର ପାଇଁ ଏପରି ବ୍ୟବସ୍ଥା ହେଉଛି । କାରାଗାର ନିଦେ୍ର୍ଦଶକ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ସୂଚନା ମୁତାବକ ଲିଗାଲ ଏଡ଼୍ ସର୍ଭିସ ସହାୟତାରେ ଜେଲ ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହି ଅଦାଲତ ବସିବ । ଯାହାଫଳରେ କଏଦୀଙ୍କୁ ବାରମ୍ବାର କୋର୍ଟକୁ ଯିବାକୁ ପଡ଼ିବ ନାହିଁ । ଜେଲ ଭିତରେ ଶୀଘ୍ର ମାମଲାର ବିଚାର କରାଯାଇ ଜାମିନ୍ ମିଳିପାରିବ । ଖୁବ୍ ଶୀଘ୍ର ଜେଲରେ ଇ-କଷ୍ଟଡି ହେବ । ଯାହାଦ୍ୱାରା ଜେଲ କର୍ମଚାରୀ ଏନ୍ଆଇସି ଦ୍ୱାରା ଟ୍ରେନିଂ ପାଇ ଇ-କଷ୍ଟଡିରୁ ସାର୍ଟିଫିକେଟ ପାଇପାରିବେ । ଏହି ବ୍ୟବସ୍ଥାରେ କଏଦୀଙ୍କର ସମସ୍ତ ତଥ୍ୟ ଅନ୍ଲାଇନ ମାଧ୍ୟମରେ ଉପଲବ୍ଧ ହେବ । ଜେଲରେ କଏଦୀଙ୍କ ପରିବାର ସହ ହେବା ପାଇଁ ଇ-ମୁଲାକାତର ବ୍ୟବସ୍ଥା କରାଯାଇଛି । ପ୍ରତି ଜେଲକୁ ଏକ ଲାପଟପ୍ ଦିଆଯିବା ସହ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ କଏଦୀ ହଜାର ହେବା ପାଇଁ ପ୍ରୋଜେକ୍ଟ ଦିଆଯାଇଛି । ଜେଲରେ ଆଧୁନିକରଣ ସହ ଅର୍ଗାନିକ କମ୍ପୋଷ୍ଟ ମେସିନ, ଭ୍ୟାକୁ୍ୟମ କ୍ଲିନର, ଇ-କିଓସ୍କ ମେସିନ, ୱାଶିଂ ମେସିନ ଯୋଗାଇ ଦିଆଯିବ । କଏଦୀଙ୍କ ପାଇଁ ଜେଲରେ ଅଧିକ ୮୭୦ ୱାର୍ଡ଼ କରାଯିବା ସହ ଜେଲ କର୍ମଚାରୀଙ୍କ ପାଇଁ ୧୩୫ ନୂଆ କ୍ୱାର୍ଟର୍ସ କରାଯିବ । ନୂଆ ଜେଲ ମାନୁଆଲ ଆସିବା ପରେ ଜେଲ ବିଭାଗରେ ଅନେକ ପରିବର୍ତ୍ତନ ହେଉଛି । କଏଦୀଙ୍କ ହିତକୁ ଦୃଷ୍ଟିରେ ରଖାଯାଇ ସବୁ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜେଲ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଆସନ୍ତା ୨୪ ତାରିଖରେ ଭିଡ଼ିଓ କନ୍ଫରେନ୍ସସିଂ ଦ୍ୱାରା ଏହି ଜେଲ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ସମସ୍ତ ୮୬ଟି ଜେଲକୁ ଏହି ସମ୍ପର୍କରେ ଆବଶ୍ୟକ ନିଦେ୍ର୍ଦଶନାମା ଜାରି କରାଯାଇଛି ।
ସେହିପରି ରାଜ୍ୟରେ ଥିବା ବିଭିନ୍ନ ଜେଲରୁ ୩୮୧ କଏଦୀ ଜାମିନ ସତ୍ତ୍ୱେ ଜେଲରୁ ମୁକୁଳି ପାରିନାହାଁନ୍ତି । ସେମାନେ ଆର୍ଥିକ ଦୁର୍ବଳ ଶ୍ରେଣୀର ହୋଇଥିବାରୁ କୋର୍ଟଙ୍କ ନିଦେ୍ର୍ଦଶ ଅନୁସାରେ ଜରିମାନା ରାଶି ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଯେଉଁଥି ପାଇଁ ସେମାନେ ଦୀର୍ଘ ଦିନ ହେଲା ଜେଲରେ ସଜା କାଟୁଛନ୍ତି । ନିକଟରେ ହାଇକୋର୍ଟ ରାଜ୍ୟ ଜେଲ ବିଭାଗକୁ ଏ ନେଇ ତଥ୍ୟ ମାଗିବା ପରେ ଜେଲ ବିଭାଗର ୩୮୧ ଜଣ କଏଦୀଙ୍କ ତଥ୍ୟ ପ୍ରଦାନ କରିଛନ୍ତି । ତେଣୁ ଏ ନେଇ ମଧ୍ୟ ଜେଲ ବିଭାଗ ରାଜ୍ୟ ନ୍ୟାୟସେବା ପ୍ରାଧୀକରଣ (ଏସ୍ଏଲଏସ୍ଏ)ଙ୍କୁ ଜଣାଇଛନ୍ତି । ଖୁବ ଶୀଘ୍ର ମଧ୍ୟ ଏନେଇ ଏସଏଲଏସ୍ ରାଜ୍ୟରେ ଥିବା ଡିଷ୍ଟ୍ରିକ୍ଟ ନ୍ୟାୟସେବା ପ୍ରାଧୀକରଣ ଡିଏଲଏସ୍କୁ ଏକ ନିଦେ୍ର୍ଦଶାବଳୀ ଜାରି କରିବେ । ଯେପରି ଏହି ଆର୍ଥିକ ଦୁର୍ବଳ ଶ୍ରେଣୀର କଏଦୀ ଉଚ୍ଚ କୋର୍ଟକୁ ଯିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ସବୁଠାରୁ ବଡ଼କଥା ହେଉଛି ଏହି ନୂଆ ବ୍ୟବସ୍ଥାରେ ଛୋଟମୋଟ ଅପରାଧରେ ଜଡ଼ିତ ଅନେକ ଅଭିଯୁକ୍ତ ମୁକୁଳିବାର ସୁଯୋଗ ପାଇବେ ଓ ଜେଲ ଉପରୁ ଚାପ ମଧ୍ୟ କମିବ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଲକ୍ଡାଉନ ବେଳେ ଏହି ସମସ୍ୟା ଜଟିଳ ହେବାପରେ ମାନ୍ୟବର ହାଇକୋର୍ଟ ହସ୍ତକ୍ଷେପ କରିଥିଲେ । ଛୋଟ ଛୋଟ ଅପରାଧ ବା ଜାମିନ ଯୋଗ୍ୟ ଅପରାଧରେ ରହିଥିବା ଅନ୍ତେଃବାସୀଙ୍କୁ ଚିହ୍ନଟ କରି ତୁରନ୍ତ ଜାମିନ ଦେବା ବ୍ୟବସ୍ଥା କରିବାକୁ ମାନ୍ୟବର ହାଇକୋର୍ଟ ଆଦେଶ ଦେଇଥିଲେ । ସୂଚନାଥାଉକି ପୂର୍ବରୁ ଝାଡ଼ଖଣ୍ଡ ଓ ତାମିଲନାଡୁ ରାଜ୍ୟରେ ଏଭଳି ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା ହେବାକୁ ଯାଉଛି । ସେହିପରି ପୂର୍ବରୁ ଇ-ପ୍ରିଜନ ବ୍ୟବସ୍ଥାରେ ପ୍ରତ୍ୟେକ ଜେଲକୁ ଲାପ୍ଟପ ପ୍ରଦାନ କରାଯିବା ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଇ-ମୁଲାକାତ ବ୍ୟବସ୍ଥା କରାଯାଉଛି । ୨୦୨୦-୨୧ ବର୍ଷ ପାଇଁ ବିଭିନ୍ନ ଜେଲରେ ୮୭୦ ନୂଆ ୱାର୍ଡ଼ ମଞ୍ଜୁରୀ ହୋଇଛି । ଏହି କାର୍ଯ୍ୟକ୍ରମ ବିଶେଷ ସଫଳତା ପାଇଲେ ଆଗାମୀ ଦିନରେ ଅଧିକରୁ ଅଧିକ ଜେଲ ଅଦାଲତ ଆୟୋଜନ ହେବ ।

Leave A Reply