Odisha news

ଶ୍ରୀମନ୍ଦିରରେ ଦାରୁବିଗ୍ରହଙ୍କ ପଦ୍ମବେଶ

ପୁରୀ : ପବିତ୍ର ମାଘ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ଦାରୁ ବିଗ୍ରହମାନଙ୍କର ଚିତାକର୍ଷକ ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି । ଭକ୍ତମାନେ ଏହିବେଶରେ ଆସନ୍ତାକାଲି ମଙ୍ଗଳ ଆଳତୀ ପର୍ଯ୍ୟନ୍ତ ଠାକୁରମାନଙ୍କୁ ଦର୍ଶନ କରିପାରିବେ । ମହମାରୀ କରୋନା ସଂକ୍ରମଣ ଜନିତ କଟକଣା ଯୋଗୁ ଦୀର୍ଘ ୨୫ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ନାଗାର୍ଜ୍ଜୁନ ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଏହି ଦୂର୍ଲ୍ଲଭ ପଦ୍ମବେଶ ଦର୍ଶନ ସୁଯୋଗ ମିଳୁଥିବାରୁ ଜଗନ୍ନାଥପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ରାତ୍ର ଚନ୍ଦନ ଲାଗି ପରେ ବଡସିଂହାର ବେଶ ସମୟରେ ଶ୍ରୀବିଗ୍ରହମାନଙ୍କୁ ପଦ୍ମବେଶରେ ସଜ୍ଜିତ କରାଯାଇଥିଲା । ପଦ୍ମବେଶ ଉପଲକ୍ଷେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ଖିରି ଓ ଅମାଲୁ ଭୋଗ କରାଯାଇଥିଲା । ଏହି ବେଶରେ ଶ୍ରୀଜିଉମାନଙ୍କ ପହଡ଼ ହୋଇଥିଲା ।

ପରମ୍ପରା ଅନୁଯାୟୀ ବଡଛତାମଠ ପକ୍ଷରୁ ଶ୍ରୀଜିଉମାନଙ୍କୁ ଏହି ବେଶ କରାଯାଇଥିଲା । ସୋଲ, ଜରି, କଦଳୀପଟ, କନା, କଇଁଥ ଅଠା ଓ ରଙ୍ଗରେ ପ୍ରସ୍ତୁତ ବେଶର ସାଜ ପ୍ରସ୍ତୁତ କରାଯାଇଥିଲା । କୁଶଳୀ କାରିଗରମାନେ ପ୍ରସ୍ତୁତ କରିଥିବା ସୁଦୃଶ୍ୟ ପଦ୍ମଫୁଲ ଓ ପଦ୍ମକଢି ଶ୍ରୀବିଗ୍ରହମାନଙ୍କ ମୁଖରେ ଶୋଭାପାଇଛି । ବିଗ୍ରହମାନେ ପଦ୍ମପାଖୁଡା ଖଚିତ ମୁଖରେ ସଜ୍ଜିତ ହୋଇଛନ୍ତି । ମହାପ୍ରଭୁଙ୍କ ଶ୍ରୀହସ୍ତରେ କଦମ୍ବ ଫୁଲର କରପଲ୍ଲଭ ଶୋଭାପାଉଛି । ସପ୍ତଦଶ ଶତାଦ୍ଦୀରେ ବଡଛତାମଠର ସନ୍ଥ ରଘୁବର ଦାସ ଏହି ବେଶ ପ୍ରଚଳନ କରିଥିବା ଜଗନ୍ନାଥ ସଂସ୍କୃତି ଗବେଷକମାନେ ମତ ଦିଅନ୍ତି । କିମ୍ବଦନ୍ତୀ ଅନୁଯାୟୀ ବହୁ ଦୂରରୁ ମନୋହର ଦାସ ନାମକ ଜଣେ ହିନ୍ଦିଭାଷୀ ସାଧୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ । ସେ ଦୀର୍ଘଦିନ ପାଦରେ ଚାଲିଚାଲି ଅନେକ ଜଙ୍ଗଲ, ପାହାଡ, ନଦୀ ଓ ରାସ୍ତା ଅତିକ୍ରମ କରି ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିଲେ । ବାଟରେ ଚାଲି ଚାଲି ଆସିବା ବେଳେ ଗୋଟିଏ ଗାଁ ମୁଣ୍ଡରେ ଅବସ୍ଥିତ ପୁଷ୍କରିଣୀଟିଏ ତାଙ୍କର ଦୃଷ୍ଟିରେ ପଡିଥିଲା । ତୁଷାର୍ତ୍ତ ସାଧୁ ମନୋହର ପୁଷ୍କରୀଣିରୁ ଜଳପାନ କରି ତୃଷା ନିବାରଣ କରିବା ସମୟରେ ପୁଷ୍କରିଣୀରେ ଅନେକ ପଦ୍ମଫୁଲ ଫୁଟିଥିବା ଦେଖିବାକୁ ପାଇଥିଲେ ।

ସାଧାରଣଭାବେ ଶୀତ ଋତୁରେ ପଦ୍ମଫୁଲ ଫୁଟୁନଥିଲେ ମଧ୍ୟ ଉକ୍ତ ପୁଷ୍କରିଣୀରେ ପଦ୍ମଫୁଲ ଫୁଟିଥିବା ସାଧୁଙ୍କୁ ଚକିତ କରିଥିଲା । ଜଗନ୍ନାଥଙ୍କୁ ପଦ୍ମଫୁଲ ଚଢାଇବା ଲାଗି ମନୋହର ପୁଷ୍କରିଣୀରୁ ଫୁଲ ତୋଳି ତାଙ୍କ ପାଖରେ ଥିବା ଗାମୁଛାରେ ବାନ୍ଧିଥିଲେ । ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ଗାମୁଛାରେ ବାନ୍ଧି ଆଣିଥିବା ପଦ୍ମଫୁଲକୁ ମନୋହର ଜଣେ ସେବାୟତଙ୍କୁ ଦେଇ ତାହାକୁ ମହାପ୍ରଭୁଙ୍କୁ ଲାଗି କରିବା ଲାଗି ନିବେଦନ କରିଥିଲେ । ମାତ୍ର ମଇଳା ଗାମୁଛାରେ ପଦ୍ମଫୁଲ ବନ୍ଧାହୋଇଥିବା ଦେଖି ସେବାୟତ ଜଣକ କ୍ରୋଧାନ୍ୱିତ ହୋଇ ପଦ୍ମଫୁଲଗୁଡିକୁ ଫୋପାଡି ଦେଇଥିଲେ । ସେବାୟତଙ୍କର ଏଭଳି ଆଚରଣରେ ସାଧୁ ମନୋହର ଦୂଖଃ ଓ ଅପମାନରେ ମି୍ରୟମାଣ ହୋଇ ପଦ୍ମଫୁଲ ଗୁଡିକୁ ତଳୁ ଗୋଟାଇ ବଡଛତା ମଠ ନିକଟରେ ମହାପ୍ରଭୁଙ୍କୁ ସ୍ମରଣ କରିବା ସମୟରେ ମୂର୍ଚ୍ଛିତ୍ତ ହୋଇପଡିଥିଲେ । ସେହିଦିନ ରାତିରେ ମହାପ୍ରଭୁ ଗଜପତି ମହାରାଜାଙ୍କ ସ୍ୱପ୍ନରେ ଦେଖାଦେଇ ତାଙ୍କର ଜଣେ ପରମ ଭକ୍ତ ସେବାୟତଙ୍କ ଠାରୁ ଅପମାନିତ ହୋଇ ସିଂହଦ୍ୱାର ନିକଟରେ ମୂର୍ଚ୍ଛିତ୍ତ ହୋଇ ପଡିଥିବା କହିଥିଲେ ।

ସେ ଆଣିଥିବା ପଦ୍ମଫୁଲରେ ହିଁ ଆଜି ରାତିରେ ବଡସିଂହାର ବେଶ ହେବ ଏବଂ ପଦ୍ମକେଶରୀ ଚାଉଳରେ ଖିରି ଭୋଗ କରି ସାଧୁଙ୍କୁ ସେବନ କରାଇ ତାଙ୍କ ଜୀବନ ରକ୍ଷାକର ବୋଲି ଗଜପତିଙ୍କୁ ମହାପ୍ରଭୁ ନିଦେ୍ର୍ଦଶ ଦେଇଥିଲେ । ସ୍ୱପ୍ନାଦେଶ ପାଇ ଗଜପତି ସଙ୍ଗେ ସଙ୍ଗେ ସିଂହଦ୍ୱାର ନିକଟକୁ ବିଜେକରି ସେବକମାନଙ୍କୁ ସ୍ୱପ୍ନାଦେଶ ବିଷୟରେ ଜଣାଇଥିଲେ । ସେହି ରାତିରେ ଠାକୁରମାନଙ୍କୁ ସାଧୁ ମନୋହର ଦାସ ଆଣିଥିବା ପଦ୍ମଫୁଲରେ ବଡସିଂହାର ବେଶ କରାଯାଇଥିଲା । ଶ୍ରୀଅଙ୍ଗରେ ଲାଗି କରାଯିବା ପରେ ମଉଳି ଯାଇଥିବା ପଦ୍ମଫୁଲ ଗୁଡିକ ସଦ୍ୟ ପ୍ରଷ୍ପୁଟିତ ପୁଷ୍ପଭଳି ଶୋଭାପାଇଥିଲା । ସାଧୁ ମନୋହର ମହାପ୍ରଭୁଙ୍କର ଏହି ଚିତାକର୍ଷକ ବେଶ ଦର୍ଶନ କରି ଆନନ୍ଦରେ ଆତ୍ମହରା ହୋଇପଡିଥିଲେ । ସେବାୟତମାନେ ଦେଇଥିବା ଖିରିଭୋଗ ସାଧୁ ମନୋହର ସେବନ କରିଥିଲେ । ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ପ୍ରତିବର୍ଷ ବଡଛତା ମଠ ପକ୍ଷରୁ ଶ୍ରୀଜିଉମାନଙ୍କୁ ପଦ୍ମବେଶ କରାଯାଇଆସୁଥିବା ଲୋକାଚାର ରହିଛି ।

Comments are closed.