Odisha news

ଜଗା ଦର୍ଶନ କଲେ ଭାବ ବିହ୍ୱଳ ଶ୍ରଦ୍ଧାଳୁ

0

ପୁରୀ :କରୋନା ଜନିତ କଟକଣା ଯୋଗୁଁ ଗତ ଡ଼ିସେମ୍ବର ୧୦ରୁ ଦର୍ଶନରୁ ବଞ୍ଚିତ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁମାନେ ଆଜି ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଦାରୁବିଗ୍ରହଙ୍କୁ ଦର୍ଶନ କରିଛନ୍ତି । ଦୀର୍ଘ ୨୩ ଦିନ ପରେ ଚର୍ମ ଚକ୍ଷୁରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇ ଦର୍ଶନାର୍ଥୀମାନେ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଗତକାଲି ୧୧ଟା୧୫ରେ ଶ୍ରୀମନ୍ଦିରର ରାତ୍ର ପହୁଡ଼ ହୋଇଥିଲା । ଆଜି ଭୋର୍ ୫ଟା ୧୫ରେ ଫିଟିଥିଲା ଶ୍ରୀମନ୍ଦିରର ଦ୍ୱାର ।

୫ଟା୪୫ରେ ଭିତରଶୋଧ ପରେ ୫ଟା୫୫ରେ ହୋଇଥିଲା ମଙ୍ଗଳଆଳତୀ । ଏହାପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସାଳ ୬ଟାରୁ କୋଭିଡ଼ କଟକଣା ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିଲା ବହୁପ୍ରତିକ୍ଷିତ ଜଗାଦର୍ଶନ ପ୍ରକ୍ରିୟା । ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ନିର୍ମିତ ବ୍ୟାରିକେଡ଼ ଦେଇ ଦର୍ଶନାର୍ଥୀମାନେ ସିହଂଦ୍ୱାର ସମ୍ମୁଖରେ ଖୋଲାଯାଇଥିବା କାଉଣ୍ଟରରେ ଦୁଇଡ଼ୋଜ୍ ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟା ଅବଧି ମଧ୍ୟରେ କରୋନା ସଂକ୍ରମିତ ହୋଇନଥିବା ଡ଼ାକ୍ତରୀ ପ୍ରମାଣପତ୍ର ଓ ନିଜ ନିଜର ଆଧାରକାର୍ଡ଼ ଅଥବା ଭୋଟର ପରିଚୟପତ୍ର ଦେଖାଇ ହାତ ସାନିଟାଇଜ୍ କରି କିଓସ୍କରେ ସ୍କାନିଂ ପରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ।

ଦର୍ଶନାର୍ଥୀମାନଙ୍କୁ ଫୁଲ,ଭୋଗ ଓ ଦୀପ ଶ୍ରୀମନ୍ଦିରଭିତରକୁ ନେବାକୁ ଦିଆଯାଇନଥିଲା । ପୁରୀର ବାସିନ୍ଦା ହୋଇଥିବା ପ୍ରମାଣପତ୍ର ଦେଖାଇ ସହରର ଦର୍ଶନାର୍ଥୀମାନେ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ସମସ୍ତ ଦର୍ଶନାର୍ଥୀ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ଭିନ୍ନକ୍ଷମ ଓ ବୟସ୍କଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ମଧ୍ୟରେ କୌଣସି ଦେବାଦେବୀଙ୍କ ପ୍ରତିମୂର୍ତ୍ତିକୁ ଛୁଇଁବାକୁ ସୁଯୋଗ ଦିଆଯାଇନଥିଲା । ଆନନ୍ଦବଜାର ଓ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ନିଷିଦ୍ଧ କରାଯାଇଥିଲା । କେତେକ ଶ୍ରଦ୍ଧାଳୁ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ନେଉଥିବା ଦେଖିବାକୁ ମିଳିଥିଲା ।

ଦର୍ଶନାର୍ଥୀମାନେ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପରିଧାନ କରିଥିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ଦର୍ଶନାର୍ଥୀମାନେ ପ୍ରସ୍ଥାନ କରିଥିଲେ । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନିକ ଅଧିକାରୀ, ପୁଲିସ ଓ ସେବାୟତମାନେ ଶ୍ରୀମନ୍ଦିର ପରିସରରେ ଲୋକଙ୍କୁ ସଚେତନ କରୁଥିବା ଦେଖାଯାଇଥିଲା । ଦର୍ଶନାର୍ଥୀମାନେ ମଧ୍ୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଥିଲା । ଶୃଙ୍ଖଳିତ ଦର୍ଶନ ଲାଗି ସ୍ୱତନ୍ତ୍ର ଭାବେ ପୁଲିସ ଅଧିକାରୀ ଓ ଫୋର୍ସଙ୍କୁ ନିୟୋଜିତ କରାଯାଇଥିଲା । ସୁରକ୍ଷା ଦାୟିତ୍ୱରେ ୧୯ ପ୍ଲଟୁନ ପୋର୍ସଙ୍କୁ ନିୟୋଜିତ ହୋଇଥିଲେ । ମହାମାରୀ କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଗତ ଡ଼ିସେମ୍ବର ୧୦ତାରିଖ ସୋମବାରା ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।

Leave A Reply