ମୁମ୍ବାଇ : ଆଇପିଏଲ-୨୦୨୨ର ଉଦଘାଟନୀ ମ୍ୟାଚରେ କୋଲକାତା ନାଇଟରାଇଡର୍ସ ୬ ଓ୍ବିକେଟରେ ବିଜୟୀ ହୋଇଛି । ଚେନ୍ନାଇ ସୁପରକିଙ୍ଗସ ଦ୍ବାରା ରଖାଯାଇଥିବା ୧୩୨ ରନର ଲକ୍ଷ୍ୟକୁ କୋଲକାତା ୧୮.୩ ଓଭରରେ ୪ ଓ୍ବିକେଟ ହରାଇ ୧୩୩ ରନ କରି ହାସଲ କରିନେଇଥିଲା । କୋଲକାତା ପକ୍ଷରୁ ଅଜିଙ୍କ୍ୟ ରାହାଣେ ୪୪ ରନ , ସାମ ବିଲିଙ୍ଗସ ୨୫ ରନ, ନିତିଶ ରାଣା ୨୧ ଓ ଶ୍ରେୟସ ଆୟର ୨୦ ରନ କରିଥିଲେ ।
ଏହି ମ୍ୟାଚରେ କୋଲକାତା ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ନିଜର ଦୁଇ ଓପନରଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ରବିନ ଉଥପ୍ପା ଓ ଅମ୍ବାତି ରାୟଡୁ ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ପରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ଅର୍ଦ୍ଧଶତକ ଓ ଅଧିନାୟକ ରବୀନ୍ଦ୍ର ଜାଦେଜାଙ୍କ ୨୬ ରନ ବଳରେ ଦଳ ୨୦ ଓଭରରେ ୧୩୧ ରନ କରିପାରିଥିଲା ।
ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଆଇପିଏଲକୁ ଅଧାରେ ସ୍ଥଗିତ ରଖାଯାଇଥିଲା । ପରେ ସେପ୍ଟେମ୍ବର ମାସରେ ଅବଶିଷ୍ଟ ମ୍ୟାଚ ୟୁଏଇରେ ଖେଳାଯାଇଥିଲା । ଏଥିରେ ଚେନ୍ନାଇ କୋଲକାତାକୁ ହରାଇ ଚାମ୍ପିଅନ ହୋଇଥିଲା । ଆଜିର ମ୍ୟାଚ ଜିତି କୋଲକାତା ଚେନ୍ନାଇଠାରୁ ଉକ୍ତ ପରାଜୟର ପ୍ରତିଶୋଧ ନେଇଛି ।