Odisha news

ଗଣତନ୍ତ୍ର ଜଣର ନୁହେଁ, ଗଣର

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଆଜି ହେଉଛି ସେପ୍ଟେମ୍ବର ପନ୍ଦର । ବିଶ୍ୱ ଗଣତନ୍ତ୍ର ଦିବସ । ସମଗ୍ର ବିଶ୍ୱରେ ଗଣତନ୍ତ୍ରର ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିବାର ଦିନଟିଏ । ଗଣତନ୍ତ୍ର କୌଣସି ନିର୍ଦ୍ଧିଷ୍ଟ ରାଷ୍ଟ୍ର ବା ଅଞ୍ଚଳର ନୁହେଁ, ଏହା ସମଗ୍ର ବିଶ୍ୱର ।” ଅନ୍ୟ ଅର୍ଥରେ କହିଲେ ଗଣତନ୍ତ୍ରର ପ୍ରସାର ପ୍ରଚାର ସହିତ ମୂଲ୍ୟବୋଧ ଭିତ୍ତିକ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଲୋକମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ । ୨୦୦୮ ମସିହାରୁ ସେପ୍ଟେମ୍ବର ୧୫ତାରିଖକୁ ସାରା ବିଶ୍ୱରେ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି । ୨୦୦୭ ନଭେମ୍ବର ୮ତାରିଖରେ ଜାତିସଂଘ ସାଧାରଣ ପରିଷଦର ସଭ୍ୟ ରାଷ୍ଟ୍ରବୃନ୍ଦ ସେପ୍ଟେମ୍ବର ୧୫ତାରିଖକୁ ବିଶ୍ୱ ଗଣତନ୍ତ୍ର ଦିବସ ରୂପେ ପାଳନ କରିବାକୁ ପ୍ରସ୍ତାବ ଗ୍ରହଣ କରିଥିଲେ । ଚଳିତ ବର୍ଷ ବିଶ୍ୱ ଗଣତନ୍ତ୍ର ଦିବସର ବିଷୟ ବସ୍ତୁ ରହିଛି – “ଊରଜ୍ଞକ୍ଟମକ୍ସବମଚ୍ଚ ଙ୍କଦ୍ଭୟରକ୍ସ ଝଗ୍ଧକ୍ସବସଦ୍ଭ: ଝକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭଗ୍ଦ ଲକ୍ଟକ୍ସ ବ ଉଷବଦ୍ଭଶସଦ୍ଭଶ ଡକ୍ଟକ୍ସକ୍ଷୟ” । ଉଦେ୍ଦଶ୍ୟ ହେଉଛି ପରିବର୍ତ୍ତନଶୀଳ ଦୁନିଆରେ ସ୍ୱାଧୀନତାର ମୂଲ୍ୟବୋଧ ପ୍ରତିଷ୍ଠା ସହ ମାନବିକ ଅଧିକାର ପ୍ରତି ସମ୍ମାନ ପ୍ରଦାନ କରିବା । ଯାହାକି ଗଣତନ୍ତ୍ରର ଅତ୍ୟାବଶ୍ୟକ ଉପାଦାନ । ବିଶେଷତଃ ମହାମାରୀ କରୋନା କବଳିତ ବିଶ୍ୱରେ ମାନବିକ ଅଧିକାରର ପ୍ରତିଷ୍ଠା ଓ ସୁରକ୍ଷା ଯଥେଷ୍ଟ ଗୁରୁତ୍ୱ ବହନକରେ ।

ମିଳିତ ଜାତିସଂଘ ବିଶ୍ୱ ଶାନ୍ତିରେ ବିଶ୍ୱାସ କରେ । ମାନବିକ ଅଧିକାର ଓ ଆଇନର ଶାସନ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସୁରକ୍ଷିତ ରହିଥାଏ । ଖାଲି ସେତିକି ନୁହେଁ, ଲୋକମାନଙ୍କର ଶକ୍ତ ଇଛା ଓ ସ୍ୱତଃସ୍ଫୁର୍ତ୍ତ ଆଗ୍ରହ ଉପରେ ଏହା ନିର୍ଭର କରେ । ଏହି କଥାକୁ ଆଖିରେ ରଖି ବିଗତ ଦିନ ମାନଙ୍କରେ ଏହି ଦିବସ ପାଇଁ ଭିନ୍ନ ଭିନ୍ନ ବିଷୟ ବସ୍ତୁ ରହିଆସିଛି । ସମ୍ପ୍ରତି ବିଶ୍ୱର ଜନସଂଖ୍ୟାର ଏକ ପଞ୍ଚମାଂଶ ହେଉଛନ୍ତି ୧୫ରୁ୨୫ବର୍ଷ ବୟସର । ଅନେକ ବିକାଶମୁଖୀ ରାଷ୍ଟ୍ରରେ ଏହି ଯୁବକ ମାନଙ୍କ ସଂଖ୍ୟା ଆହୁରି ଅଧିକ । ବିଭିନ୍ନ ସର୍ବେକ୍ଷଣରୁ ଜଣାପଡିଛି ଯେ କେତେକ କାରଣରୁ ଯୁବକ ମାନେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବୀତସ୍ଫୃହ ହେବାସହ ଅଣପାରମ୍ପରିକ ଶୈଳୀରେ ଗଣତନ୍ତ୍ରକୁ ଆଦରି ନେବାକୁ ଚାହୁଁଛନ୍ତି । ଫଳରେ ଗଣତନ୍ତ୍ରର ପ୍ରକୃତ ମୂଲ୍ୟବୋଧର ଅବକ୍ଷୟ ଘଟୁଛି । ଏଦିଗରେ ସେମାନଙ୍କୁ ସଚେତନ କରିବାପାଇଁ ମିଳିତ ଜାତିସଂଘ ତରଫରୁ ପ୍ରୟାସ ଜାରି ରହିଛି । ଏତଦ୍ବ୍ୟତୀତ ରାଜନୀତିରୁ ସହନଶୀଳତା, ଶାଳୀନତା, ସଂଞ୍ଜମତା ଅପସରି ଯାଉଛି । ଅନୀତିକୁ ନୀତି କରିବାର କୈାଶଳକୁ ନିର୍ବାଚିତ ପ୍ରତିନିଧିମାନେ ଗ୍ରହଣ କରୁଛନ୍ତି । ଗଣ ସ୍ୱାର୍ଥ ବ୍ୟକ୍ତି ସ୍ୱାର୍ଥ ନିକଟରେ ବଳିପଡୁଛି । ଫଳରେ ଗଣତନ୍ତ୍ର ଶାସନର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିପାରୁନାହିଁ ଏହାହିଁ ବିଡମ୍ବନା । ଏଦିଗରେ ଆତ୍ମସମୀକ୍ଷା କରିବା ଜରୁରୀ । ତା ନହେଲେ ଗଣତନ୍ତ୍ରରୁ ମୂଲ୍ୟବୋଧ ହ୍ରାସ ପାଇବା ସହ ଗଣସହଭାଗିତା ରହିବାରେ ବାଧକ ସାଜିବ ।

ସମଗ୍ର ବିଶ୍ୱରେ ଭାରତର ଗଣତନ୍ତ୍ର ସର୍ବଜନାଦୃତ ଓ ଲୋକପ୍ରିୟ ହୋଇପାରିଛି । ୧୯୫୨ମସିହା ମେ ୧୩ ତାରିଖରେ ଆମ ଲୋକସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସଂପ୍ରତି ପୃଥିବୀର କେତକ ଦେଶରେ ସାମରିକ ଶାସନ ବା ଏକଛତ୍ରବାଦୀ ଶାସନ ଯୋଗୁଁ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ବହୁ ଘାତପ୍ରତିଘାତ ମଧ୍ୟରେ ପୃଥିବୀର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତ ଆଜି ତାର ସୁସ୍ଥ ଓ ଦୃଢ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବେଶ୍ ପ୍ରଶଂସିତ ହୋଇପାରିଛି । ଏସବୁ ସଫଳତା ସତ୍ତ୍ୱେ ବର୍ତ୍ତମାନ ସବୁଠାରୁ ବଡସମସ୍ୟା ହେଉଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରକୁ ପଶି ଆସୁଛନ୍ତି ଅପରାଧ ପୃଷ୍ଠଭୁମିର ଲୋକମାନେ । ଶସ୍ତା ରାଜନୀତି ଦେଶ ପାଇଁକାଳ । ଜର୍ଜ ବର୍ଣ୍ଣାଡ ସ ଙ୍କ ମତରେ ବୁଦ୍ଧିଜୀବୀ ମାନେ ରାଜନୀତିକୁ “ସୈତାନର ଆଶ୍ରୟ ସ୍ଥଳୀ” ବୋଲି ଭାବୁଛନ୍ତି । ତେଣୁ ସେମାନେ ନିର୍ବାଚନ ପ୍ରକ୍ରିୟାରୁ ନିରାପଦ ଦୁରତାରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ଅପରାଧ ପୃଷ୍ଠଭୁମି ଥିବା ବ୍ୟକ୍ତି ବିଶେଷ ସଂସଦ ଓ ବିଧାନ ସଭାକୁ ନିର୍ବାଚିତ ହୋଇଆସୁଛନ୍ତି । ଏହି ପରମ୍ପରା କ୍ରମଶଃ ବଢିବାରେ ଲାଗିଛି । ଗତନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ବିଧାୟକ ମାନଙ୍କ ମଧ୍ୟରୁ ୩୫ପ୍ରତିଶତ ଜଣଙ୍କ ନାମରେ ଅପରାଧ ମାମଲା ଥିବାବେଳେ ସେଥି ମଧ୍ୟରୁ ୭୬ ଜଣ କୋଟିପତି ତାଲିକାରେ ଅଛନ୍ତି । ସେହିପରି ୩୪ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧ ମାମଲା ଥିବା ବେଳେ ୮୨ ପ୍ରତିଶତ ସାଂସଦ କୋଟିପତି ତାଲିକାରେ ଅଛନ୍ତି । ଚଳିତ ନିର୍ବାଚନରେ ଏହି ସଂଖ୍ୟା ଆହୁରି ବଢିଛି । ଏପରି ହେଲେ ଗଣତନ୍ତ୍ର କିପରି ଗୁଣାତ୍ମକ ହେବ ତାହା ଏବେ ଚିନ୍ତା କରିବାର ସମୟ ଆସିଛି ।

ଗଣତନ୍ତ୍ର ଶାସନରେ ସଂସଦ ଓ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏଠାରେ ଦେଶ ଓ ରାଜ୍ୟ ପାଇଁ ଶାସନ ଖସଡା ତିଆରି ହୁଏ । ଏବେ ଦିନକୁ ଦିନ ଆମ ସଂସଦୀୟ କାର୍ଯ୍ୟ ପ୍ରଣାଳୀରେ ଘୋର ଅବକ୍ଷୟ ଦେଖାଗଲାଣି । ଅଧିବେଶନ ଗୁଡିକର କାର୍ଯ୍ୟଦିବସ ଦିନକ ୁଦିନ କମିବାରେ ଲାଗିଛି । ପରିସଂଖ୍ୟାନ କୁହେ ୧୯୯୮ ପରଠାରୁ ସଂସଦର କାର୍ଯ୍ୟଦିବସ ଯଥେଷ୍ଟ ହ୍ରାସପାଇଛି । ଏବେ ଗୃହ କାର୍ଯ୍ୟ ୫୦ ରୁ ୬୦ଦିନ ଭିତରେ ସୀମିତ ରହୁଛି । ସୂଚନା ଯୋଗ୍ୟ ଯେ୧୯୫୨ମସିହାରେ ୧୫୦ଟି ଅଧିବେଶନ ବସିଥିଲା । ଅପରପକ୍ଷରେ ଅଧିବେଶନ ମାନଙ୍କରେ ସଭ୍ୟ ମାନଙ୍କର ଉପସ୍ଥିତି ମଧ୍ୟ ଆଶାନୁରୂପ ହେଉନାହିଁ । ଏପରିକି କେତକ ସଦସ୍ୟ ଦୀର୍ଘ ଦିନଧରି ଅନୁପସ୍ଥିତ ରହିବାର ଘଟଣା ଦେଖିବାକୁ ମିଳୁଛି । ସେହିପରି ଗୋଟିଏ ନିର୍ଦ୍ଧିଷ୍ଟ ପ୍ରସଙ୍ଗକୁ ଆଳକରି ହୋ-ହାଲ୍ଲା କରିବା ସହ ଅଧିବେଶନକୁ ଜୋର ଜବରଦସ୍ତ ମୁଲତବୀ କରାଇବା ଏକ ଅଭ୍ୟାସରେ ପରିଣତ ହେଲାଣି । ଏଭଳି ଘଟଣା ମଧ୍ୟ ରାଜ୍ୟ ବିଧାନସଭାକୁ ବ୍ୟାପିଲାଣି । ସବୁଠୁ ବଡ କଥା ହେଉଛି ରାଜନୀତିକୁ ପରିବାରବାଦ ଗ୍ରାସ କରିଛି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ସମଗ୍ର ବିଶ୍ୱରେ ଗଣତନ୍ତ୍ର ଏକ ଅପ୍ରୀତିକର ସ୍ଥିତିରେ ଗତିକରୁଛି । ବିଗତଦିନରେ ବାଙ୍ଗାଲୋରର ଜଣେ ବିଶିଷ୍ଟ ସାମ୍ବାଦିକ ଗୌରୀ ଲଙ୍କେଶଙ୍କୁ ଜଣେ ଆତତାୟୀ ହତ୍ୟା କରିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସତ୍ୟନିଷ୍ଠ ଖବର ପ୍ରକାଶପାଇଁ କେବଳ ଆମ ଦେଶରେ ନୁହେଁ, ବିଶ୍ୱର ବିଭିନ୍ନ ଦେଶରେ ଏହିଭଳି ଘଟଣାମାନ ଘଟୁଛି । ଏକ ତଥ୍ୟ ଅନୁସାରେ ୨୦୧୬ରେ ବିଶ୍ୱରେ ୧୨୨ଜଣ ସାମ୍ବାଦିକ ଓ ଗଣମାଧ୍ୟମର କର୍ମ·ରୀଙ୍କୁ ହତ୍ୟା କରାଯାଇଅଛି । ଭାରତରେ ମଧ୍ୟ ୫ଜଣଙ୍କୁ ମୁକ୍ତମତ ପ୍ରକାଶ କରିଥିବାରୁ ହତ୍ୟା କରାଯାଇଛି । ଉଲ୍ଲେଖେଯୋଗ୍ୟଯେ,ଗଣତନ୍ତ୍ରର ସୁପରିଚାଳନାପାଇଁ ବ୍ୟବସ୍ଥାପିକା,କାର୍ଯ୍ୟପାଳିକା ଓ ବିଚାର ବିଭାଗର ଯେତିକି ଦାୟିତ୍ୱ ରହିଛି ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ମଧ୍ୟ ସେତିକି ଗୁରୁତ୍ୱ ରହିଛି ।

Leave A Reply