Odisha news

ମଧ୍ୟାନ୍ନ ଭୋଜନ ଡ଼ାଲମାରେ ବିଛା

0

ହିଞ୍ଜିଳିକାଟୁ: ଶିଶୁ ମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା ମାନ ପ୍ରଣୟନ କରିଛନ୍ତି । ଶିକ୍ଷାର୍ଥୀଙ୍କୁ ମାଗଣାରେ ପୋଷାକ, ଜୋତା, ମୋଜା, ପାଣି ବୋତଲ, ବହି ଖାତା ସାଙ୍ଗକୁ ମଧ୍ୟାନ୍ନ ଭୋଜନରେ ପୃଷ୍ଟିକର ରନ୍ଧା ଖାଦ୍ୟ ପ୍ରଦାନ କରି ଆସୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ସକାଶେ ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟର ମାନ ପ୍ରତି ପୁଣି ଥରେ ଅଙ୍ଗୁଳି ଉଠିଛି । ମାନା ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ସକାଶେ ପ୍ରଦାନ କରାଯାଉଥିବା ମଧ୍ୟାନ୍ନ ଭୋଜନ ଡ଼ାଲମାରୁ ଏକ ବିଛା ବାହାରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ସୋମବାର ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ଗ୍ରାମର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।
ପ୍ରକାଶ ଯେ, ପ୍ରତିଦିନ ପରି ସୋମବାର ମଧ୍ୟ ମାନା ଟ୍ରଷ୍ଟ ପକ୍ଷରୁ ସାରୁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟାନ୍ନ ଭୋଜନ ଯୋଗାଇ ଦିଆଯାଇଥିଲା । ଅପରାହ୍ନ ୧ ଘଂଟା ଭୋଜନ ବିରତି ସମୟରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କୁ ମଧ୍ୟାନ୍ନ ଭୋଜନ ପ୍ରଦାନ କରାଯାଇଥିଲା । ଜୈନିକ ୫ମ ଶ୍ରେଣୀ ଛାତ୍ର ଜଗା ଦାସଙ୍କୁ ଦିଆଯାଇଥିବା ଡ଼ାଲମାରେ ଏକ ମଲା ବିଛା ପଡ଼ିଥିବା ଦେଖି ସଂପୃକ୍ତ ଛାତ୍ର ଜଣକ ଘଟଣା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ । ଘଟଣା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ହିଂଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିଲେ । ଖବର ପାଇ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ସାରୁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂହଚି ମାନା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିବା ମଧ୍ୟାନ୍ନ ଭୋଜନ ଖାଦ୍ୟକୁ ବିଦ୍ୟାଳୟ ପରିସରରେ ପୋତି ନଷ୍ଟ କରିବାକୁ କହିଥିଲେ । ପ୍ରକାଶ ଯେ, ଗତ ଗତ ୫ବର୍ଷ ପୂର୍ବେ ହିଂଜିଳିକ୍ାଟୁ ପୌରାଂଚଳ ହିଞ୍ଜିଳି ସ୍ଥିତ ମଠପଦର ସାହି ପ୍ରାଥମିକ ବିଦ୍ୟାଳୟରେ ଯୋଗାଣ କରାଯାଇଥିବା ଡ଼ାଲମାରୁ ଏକ ମଲା ବିଛା ପଡ଼ିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଖାଦ୍ୟ ଖାଇ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ର ଛାତ୍ର ଆହତ ହୋଇଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିବା ଯୋଗୁଁ ଅଂଚଳର ଅଭିଭାବକ ମହଲରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି ।

Leave A Reply