(ହିଞ୍ଜିଳିକାଟୁ-୩୧/ମଇ/୨୦୨୨) ଶିକ୍ଷାନବୀସ ପ୍ରଶାସନିକ ମାନେ ରବିବାର ଶୈକ୍ଷିକ ପରିଭ୍ରମଣରେ ଆସି ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନ ଭ୍ରମଣ କରି ଅଞ୍ଚଳର ବିକାଶ ବାବଦରେ ଅନୁଶୀଳନ କରିଛନ୍ତି। ୩୮ ଜଣ ଭାରତୀୟ ପ୍ରଶାସନିକ ସେବା ଏବଂ ରାଜକୀୟ ଭୁଟାନ ପ୍ରଶାସନିକ ସେବା ଅଧିକାରୀ ମାନେ ଏହି ଗସ୍ତରେ ଆସିଥିଲେ। ଗସ୍ତର ଦ୍ଵିତୀୟ ଦିନରେ ସଦ୍ୟ ଜୀର୍ଣ୍ଣୋଦ୍ଧାର ହୋଇଥିବା ତାରାତାରିଣୀ ମନ୍ଦିର, ଜଉଗଡରେ ସମ୍ରାଟ ଅଶୋକଙ୍କ ଐତିହାସିକ ଶିଳାଲେଖ ଭ୍ରମଣ କରିସାରିବା ପରେ ହିଞ୍ଜିଳିକାଟୁ ବ୍ଲକ ଏବଂ ପୌରାଞ୍ଚଳର ଅନେକ ସ୍ଥାନ ପରିଭ୍ରମଣ କରିଥିଲେ। ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅନ୍ତର୍ଗତ ଶାସନ ଆମ୍ବଗାଁର ବର୍ଜ୍ୟବସ୍ତୁ ସମ୍ପାଦନ ଏବଂ ପ୍ରକ୍ରିୟାକରଣ କେନ୍ଦ୍ର, ଆଦର୍ଶ ପାନୀୟ ଜଳ ବ୍ୟବସ୍ଥା, ଗ୍ରାମ୍ୟ ଉଦ୍ୟାନ, ମିଶନ ଶକ୍ତି ଭବନ ଆଦି ବୁଲି ଦେଖିବା ପରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ନେତାଜୀ ଶିଶୁ ଉଦ୍ୟାନ, ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଣ୍ଡୋର୍ ଷ୍ଟାଡିୟମ୍ ଆଦି ବୁଲି ଦେଖିଥିଲେ। ସେହିପରି ପୁଣି ସାରୁ ଗ୍ରାମ ପଞ୍ଚାୟତର ବିଦ୍ୟାଳୟ ରୁପାନ୍ତରୀକରଣ, ଆଦର୍ଶ ଗୋଶାଳା ଏବଂ ବିଜୁ ପଞ୍ଚାୟତ ପାଠାଗାର ମଧ୍ୟ ଭ୍ରମଣ କରିଥିଲେ। ହିଞ୍ଜିଳିକାଟୁ ଗ୍ରାମାଞ୍ଚଳ ପରିଭ୍ରମଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟରଞ୍ଜନ ପୃଷ୍ଟି ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସଂଯୋଜନା କରିଥିବା ବେଳେ ପୌରାଞ୍ଚଳ ଗସ୍ତ ସମୟରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ଓ ପୌର ପାରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ସଂଯୋଜନା କରିଥିଲେ। ଅଧିକାରୀ ମାନଙ୍କ ଗସ୍ତ ସମୟରେ ସଂପୃକ୍ତ ଅନୁଷ୍ଠାନର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।