ଅକ୍ଷୟ ପଣ୍ଡା : ମଣିଷ ଗଢା କାରଖାନାର ସେ ଶ୍ରେଷ୍ଠ ବିନ୍ଧାଣି । ଯିଏ ଅନ୍ଧାରକୁ ଅଭିଶାପ ନ ଦେଇ ଆଣି ଦେଇ ଥିଲେ ଆଲୋକର ବର୍ତ୍ତିକା । ଶିଖିଥିଲେ ଓ ଶିଖାଇ ଥିଲେ । ପଢିଥିଲେ ଓ ପଢାଇ ଥିଲେ ମଣିଷ ପଣିଆର ଗୁଣ । ଅନୁନ୍ନତ ଅଞ୍ଚଳକୁ ଉନ୍ନତ କରି ଗଢି ତୋଳି ଥିଲେ ସୁନ୍ଦର ରୂପ ଦେଇ । ନିସହାୟ ର ସାଥି ଅସହାୟର ବନ୍ଧୁ ହୋଇ ଠିଆ ହୋଇ ଥିଲେ । ବିପଦ ଆପଦ ବେଳେ । କଲମକୁ କରିଥିଲେ ଚିର ସାଥି । ସମ୍ବାଦ ପତ୍ରର ପୃଷ୍ଠା ଉପରେ ଲେଖି ଥିଲେ ଅବହେଳିତ ନିପ୍ପେସିତ ମଣିଷର କଥା ।
ଅର୍ଥନୈତିକ ସାମାଜିକ ପରିବର୍ତ୍ତନ ସହିତ ଅସଜଡ଼ା ମଣିଷକୁ ସତ ପଥରେ ଚଲିବାକୁ ଦେଇ ଥିଲେ ପ୍ରେରଣା । ନିୟମିତ ନିରବଚ୍ଛିନ୍ନ ଭାବରେ ସମ୍ବାଦ ପତ୍ରରେ ଲେଖି ଚାଲିଥିଲେ ସ୍ତମ୍ବ । ସେହି ନିରହଂକାରୀ ନିଷ୍ଠାପର ସାମାଜ ସେବୀ ମା ସାରଳାଙ୍କର ବର ପୁତ୍ର ଆଉ କେହି ନୁହେଁ । ସେ ଆମ୍ଭ ମାନଙ୍କର ପ୍ରିୟ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ।
ସେ ୧୩ ନଭେମ୍ବର ୧୯୬୦ ମସିହାରେ ଜଗସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକ ଗରେଇ ପଞ୍ଚାୟତର ଲଥାଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପଣ୍ଡିତ ସୁଦର୍ଶନ ଆଚାର୍ଯ୍ୟ ଥିଲେ ତାଙ୍କ ପିତା । ଆଉ ରନôାବଳୀ ଦେବୀ ଥିଲେ ତାଙ୍କ ମାତା । ପିଲା ଦିନୁ ପିତା ମାତାଙ୍କର ତତ୍ୱାବଧାନରେ ଗଢି ଉଠିଥିଲା ତାଙ୍କ ବିଦ୍ୟାର୍ଥୀ ଜୀବନ । ପରିବାରର ଜ୍ଞାନ ମନ୍ଦିରରୁ ଓଡ଼ିଆ, ହିନ୍ଦି, ସଂସ୍କୃତ ଓ ଇଂରାଜୀ ଭାଷାରେ ଦକ୍ଷତା ଅର୍ଜନ କରିଥିଲେ ।
ତାଙ୍କ ପିତା ଜଣେ ଉଦାର ମନା, ଉଚ୍ଚ କୋଟିର ଜ୍ଞାନି ବ୍ୟକ୍ତି ଥିଲେ । ତାଙ୍କ ମନ ଭିତରେ ଉଚ୍ଚ ନୀଚ, ଜାତିର ଭେଦଭାବ ନଥିଲା । ହିଂମାଶୁ ବାବୁ ପରିବାରରୁ ସମସ୍ତଙ୍କୁ ଭଲ ପାଇବାର ଗୁଣ ଶିକ୍ଷା ଲାଭ କରିଥିଲେ ।
ଗ୍ରାମ୍ୟ ସ୍କୁଲରୁ ବାଲ୍ୟ କାଳର ଶିକ୍ଷା ସମାପ୍ତି କରି ଦାର୍ଦିଆ ପୋତା ନଇ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ । ତା ପରେ ପୁରି ସାମନ୍ତ ଚନ୍ଦ୍ର ଶେଖର କଲେଜ ଆଇ.ଏ ଓ ପରେ କେନ୍ଦ୍ରାପଡ଼ା କଲେଜରୁ ୧୯୮୦ ମସିହାରେ ବି.ଏ ପାସ୍ କରିଥିଲେ । ଏହା ପରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ଅର୍ଥ ଶାସ୍ତ୍ରରେ ଏମେ.ଏ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ । ଛାତ୍ର ଜୀବନରେ ସଭା ସମିତି, ସାସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଉ ଥିଲେ । ତାଙ୍କ ଶଦ୍ଦର ଯାଦୁଗରୀ ଓ ଉପସ୍ଥାପନା ଶୈଳୀ ସମସ୍ତଙ୍କୁ ବିମୁଗ୍ଦ କରୁଥିଲା । ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ସହପାଠୀ ମାନେ ଭାବୁ ଥିଲେ ସେ ବୋଧ ହୁଏ ଏ ବାରାଣାସି ର ବାସିନ୍ଦା ।
ବିଦ୍ୟାର୍ଜନ ପରେ ଆରମ୍ଭ ହୋଇଥିଲା ତାଙ୍କ କର୍ମମୟ ଜୀବନ । ସେ ୧୯୮୪ ମସିହାରେ ପୁରି ଜିଲ୍ଲାର ନିମାପଡ଼ା ଅନ୍ତର୍ଗତ ଗୋପ ମହାବିଦ୍ୟାଳୟରେ ଅର୍ଥ ଶାସ୍ତ୍ରର ଅଧ୍ୟାପକ ରୂପେ ନିଯୁକ୍ତି ପାଇଥିଲେ । ୧୯୮୫ ରୁ ୨୦୦୯ ପର୍ଯ୍ୟନ୍ତ ସେ ଅର୍ଥଶାସ୍ତ୍ର ଅଧ୍ୟାପକ ରୂପେ ସାରଳା ମହାବିଦ୍ୟାଳୟରେ ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ । ୨୦୧୦ ରୁ ୨୦୧୭ ପର୍ଯ୍ୟନ୍ତ ବାଲିକୁଦା ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ୨୦୧୭ ରୁ ୨୦୨୦ ପର୍ଯ୍ୟନ୍ତ ଆଦିକବି ସାରଳା ମହାବିଦ୍ୟାଳୟରେ କାର୍ଯ୍ୟରତ । ଚଳିତ ନଭେମ୍ବର ମାସରେ ସେ ଅଧ୍ୟାପକ ଜୀବନୀରୁ ଅବସର ନେବେ । ତାଙ୍କ ମହତ କାର୍ଯ୍ୟ ଗୁଡ଼ିକ ଜନସାଧାରଣ ହୃଦୟ କାନ୍ଥରେ ଅଲିଭା କାଳିରେ ଛାପି ହୋଇ ଯାଇଛି ।
ଯାହା କେବେ ଭୁଲିବାର ନୁହେଁ । ତେଣୁ ତ୍ରିଶାଖା ଗୁରୁକୂଳ ତାଙ୍କୁ “ମାଟିର ଗୌରବ” ପାଟକୁରା ସାରସ୍ୱତ ଅନୁଷ୍ଠାନ ତରଫରୁ ବାଗ୍ମୀ ରତ୍ନ ସମ୍ମାନରେ କରାଯାଇ ଥିଲା ସମ୍ମାନିତ । ଓଡ଼ିଶା ଦୈନିକ ସମ୍ବାଦ ପତ୍ର ପ୍ରଜାତନ୍ତ୍ର ଓ ଦୈନିକ ସାହାଣ ମେଲାର ସ୍ତମ୍ବକାର ରୂପେ ସମ୍ମାନିତ କରାଯାଇ ଥିଲା । ସେ ଜଗସିଂହପୁର ଜିଲ୍ଲାର ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ରାଜ୍ୟ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦକ ଓ ସମ୍ପାଦକ ଭାବେ ଗୁରୁ ଦାୟିତ୍ୱ ସୂଚାରୁ ରୂପେ ସମ୍ବାଦନ କରିଥିଲେ ।
୨୦୦୯ ରେ ପୂଜ୍ୟପୂଜାର ପରମ୍ପରା ଉଦ୍ଜିବୀତ କରିବା ପାଇଁ ଜଗସଂହପୁର ସାରସ୍ୱତ ପରିଷଦ ଗଠନ କରିଥିଲେ । ଆଦ୍ୟ ଅବଧି ସେ ତାହାର ପ୍ରତିଷ୍ଠାତା ସଭାପତି ରୂପେ କାର୍ଯ୍ୟ ନିର୍ବାହ କରୁଛନ୍ତି । ଏହା ମାଧ୍ୟମରେ ଜନସଚେତନତା, ସାହିତ୍ୟର ପ୍ରସାର ପ୍ରଚାର ଓ ନୂତନ ପ୍ରତିଭାମାନ ସୃଷ୍ଟି କରାଯାଉଛି । ଗରିବ ଅସହାୟ ଲୋକମାନଙ୍କୁ ସମୟ ଅସମୟରେ ସାହାଯ୍ୟର ହାତ ବଢେଇ ଦେଇ ଦୁଃଖ କଷ୍ଟକୁ ଲାଘବ କରୁଛନ୍ତି ।
ତାଙ୍କର ୬୦ ତମ ଜନ୍ମ ଦିବସ ପାଳନର ଅବସରରେ ତାଙ୍କ ସୁଦୀର୍ଘ ଓ ନିରାମୟ ଜୀବନର ଶୁଭ କାମନା କରୁଛି । ଭଗବାନଙ୍କୁ ପ୍ରାର୍ଥନା କରୁଛି ତାଙ୍କର ଲେଖନୀ ସଦା ସର୍ବଦା ଚଳଚଞ୍ଚଳ ରହୁ । ଯାହା ଆମ ମାନଙ୍କ ମୁହଁରେ ଫୁଟାଇବ ହସ ଖୁସିର ଫୁଲ ।