ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଉତ୍ତର ପ୍ରଦେଶର ହାତରସ କାଣ୍ଡ ଘଟଣାରେ ସାରା ଦେଶ ଆଜି ମର୍ମାହତ । ବୈଦୁତିକ ଗଣମାଧ୍ୟମର ବଦୌଲତ ପୁଣିଥରେ ସେହି ୨୦୧୨ ମସିହାରେ ଦିଲ୍ଲୀ ସହରର ନିର୍ଭୟା ଏବଂ ୨୦୧୯ ମସିହାରେ ହାଇଦ୍ରାବାଦ୍ ସାଦ୍ନଗରର ଝିଅ ପ୍ରିୟଙ୍କା ସହ ଘଟିଥିବା ପାଶବିକ ଅତ୍ୟାଚାର ଘଟଣାକୁ ସମସ୍ତ ଦେଶବାସୀଙ୍କ ମନେ ପଡିଯାଇଛି । ପ୍ରଥମଥର ପାଇଁ ଲୋକମାନେ ଅନୁଭବ କରୁଛନ୍ତି ବୈଦୁତିକ ଗଣମାଧ୍ୟମ ଗୁଡିକ ମଧ୍ୟ ସରକାରୀ ଏବଂ ବିରୋଧୀଦଳ ଭିତରେ ବାଂଟି ହୋଇ ଯାଇଛନ୍ତି ।
ଗୋଟିଏ ଗଣମାଧ୍ୟମରେ ଆପଣ ଦେଖିବାକୁ ପାଇବେ ଯେ କିଛି ରାଜନେତା ପିଡିତାଙ୍କ ଘରକୁ ସମ୍ବେଦନା ବ୍ୟକ୍ତ କରିବାକୁ ଯିବାକୁ ଚାହୁଁଛନ୍ତି ଏବଂ ସେହି ଏକା ସମୟରେ ଅନ୍ୟ ଏକ ଗଣମାଧ୍ୟମ ଖୋଲିଲେ ଦେଖିବେ ସେହି ରାଜନେତା ସେଠାକୁ ଯିବାପୂର୍ବରୁ ଦଙ୍ଗା କରିବାକୁ ଯୋଜନା କରିଛନ୍ତି ଏବଂ ପିଡିତା ପାଖକୁ ଯିବାବାଟରେ ଖଳନାୟକ ପରି ହା ହା ହା ଅଟ୍ଟହାସ୍ୟ ସହ ମଜା ମଜଲିସ୍ କରି ଚାଲିଛନ୍ତି । ଦୁଇଟି ଯାକ ଗଣମାଧ୍ୟମ ଟିଆର୍ପି ରେଟିଂରେ ଉଣିସି ବିଶ୍ । ଅର୍ଥାତ୍ ଜଣେ ଏକ ନମ୍ବର ହେଲାବେଳକୁ ଅନ୍ୟଜଣେ ଦୁଇ ନମ୍ବର । ଜଣେ ସରକାର ସପକ୍ଷରେ ମତ ବ୍ୟକ୍ତ କଲା ବେଳେ ଅନ୍ୟଜଣେ ସରକାର ବିରୁଦ୍ଧରେ ଅର୍ଥାତ୍ ବିରୋଧୀଙ୍କ ସପକ୍ଷରେ ମତାମତ ପରିବେଷଣ କରୁଛନ୍ତି । ଏମିତିରେ ସାଧାରଣ ଜନତା ବିଭ୍ରାନ୍ତ ହେବା ସ୍ୱାଭାବିକ କଥା । କୋଉଟା ସତ କୋଉଟା ମିଛ, କେମିତି ଜାଣିବା?
ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବୋଲି କୁହାଯାଏ । ଏମାନଙ୍କ ଠାରୁ ନିରପେକ୍ଷତା ଆଶା କରାଯାଏ । ଏବେ ଏହି ହାତରସ ଘଟଣାରେ ଜଣା ପଡୁଛି ଯାହା ସବୁ ଗଣମାଧ୍ୟମରେ ଦେଖାଯାଇଛି ତାହା ଅର୍ଦ୍ଧସତ୍ୟ । ମୁଖ୍ୟ ଆରୋପି ସନ୍ଦିପ ଏବଂ ପିଡିତାଙ୍କ ମଧ୍ୟରେ ଦେଢବର୍ଷ ହେବ ପ୍ରେମସମ୍ପର୍କ ଥିଲା ଏବଂ ପିଡିତାର ବଡଭାଇ ମୋବାଇଲ୍ ନମ୍ବରରେ ସନ୍ଦିପ ଘଂଟାଘଂଟା କଥା ହୁଏ ବୋଲି ଗୋଟିଏ ଗଣମାଧ୍ୟମରେ ପ୍ରସାରିତ ହେଉଛି । ଏସବୁ ପରେ ରିପୋର୍ଟରେ ଦର୍ଶାଯାଉଛି ଯେ ଯୌନ ବଳାତ୍କାର ହୋଇନାହିଁ । ତେବେ ଏସବୁ ଭ୍ରମ ପସାରିତ କରି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିବାରେ କାହାର ସ୍ୱାର୍ଥ? ସମୟ ଆସିଲାଣି ଗଣମାଧ୍ୟମ ଉପରେ ବି ଅଂକୁଶ ଲାଗିବା ଦରକାର ।
ସେମାନେ ଲଗାମଛଡା ହୋଇ ଟିଆର୍ପି ପଛରେ ଧାଇଁଧାଇଁ ଯାହା ଚାହିଁବେ ତାହା ଦେଖାଇଲେ କେମିତି ଚଳିବ! ଆଉ ଅଳ୍ପଦିନରେ ସମସ୍ତ ଗଣମାଧ୍ୟମ ଏବଂ ପ୍ରମୁଖ ପତ୍ରକାରମାନଙ୍କ ମସ୍ତକରେ ଟ୍ୟାଗ୍ ଲାଗିଯିବ । ପ୍ରଥମରୁ ଲୋକମାନେ ଭଲରେ ଜାଣିଯିବେ ଏମାନେ ସରକାରୀ ଦଳର ଆଉ ଏମାନେ ବିରୋଧୀ ଦଳର । ଯେଉଁଠାରେ ସବୁ କ୍ଷତ୍ରିୟ ଦଳମାନେ ଶାସନ କରୁଛନ୍ତି ସେମାନଙ୍କର ବି କିଛି ରହିବେ । ଦୁଇ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ପାଇଁ ପ୍ରଥମେ ଦୁଇଭାଗ ହେଲାପରେ ବଳକା କିଛି କ୍ଷତ୍ରିୟ ଦଳପାଇଁ ଖେଳିବେ । ଯେଉଁଠାରେ କ୍ଷତ୍ରିୟଦଳ ଗଠବନ୍ଧନ ସରକାର ଗଢିଛନ୍ତି ସେଠାରେ ବି ସେମିତି ଗଣମାଧ୍ୟମକୁ ବିଶେଷ କରି ଦୁଇଭାଗରେ ବିଭକ୍ତ ହେବାକୁ ପଡିବ । ଯେମିତି ଏବେ ମହାରାଷ୍ଟ୍ରରେ ହାଇଭୋକ୍କେଜ ଡ୍ରାମାରେ ଶିବସେନା, ଏନ୍ସିପି ଓ କଂଗ୍ରେସ ସପକ୍ଷରେ କିଛି ଗଣମାଧ୍ୟମ ବାହାରି – ଜଷ୍ଟିସ୍ ଫର୍ ରିୟା ଚକ୍ରବର୍ତ୍ତି- ଚିକôାର କରୁଥିବା ବେଳେ ଏହାକୁ ବିରୋଧ କରି ଅନ୍ୟମାନେ – ଜଷ୍ଟିସ୍ ଫର୍ ସୁଶାନ୍ତ ସିଂ ରାଜପୁତ୍ – ବୋଲି ଦିନରାତି ଗଳାଫଟେଇ କାନ ବଧିରା କରୁଛନ୍ତି । ମଝିରେ ମଝିରେ ଡ୍ରାମାରେ ଫିକ୍ସନ୍ ଭଲ ରହୁଛି ।
ସୁଶାନ୍ତ ସିଂ ରାଜପୁତ୍ ଘଟଣାରେ ଏବେ ଯେମିତି ଜଣେ ଡାକ୍ତର ଏକ ଗଣମାଧ୍ୟମରେ କହି ପକେଇଲେ ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କରିଛି । କିନ୍ତୁ ସେହି ମହାଶୟ ଦେଢମାସେ ପୂର୍ବରୁ କେତେକେତେ କଥା କହିଛନ୍ତି ଯାହା କି ହତ୍ୟା ଆଡକୁ ଇଙ୍ଗିତ କରୁଥିଲା । ଗୋଟିଏ ମୁହଁରେ ଉଆ ଉଷୁନା । ଡି କମ୍ପାନୀର ହାତ ବହୁତ ଲମ୍ବା । ଛାର ଡାକ୍ତରଟାଏ କ’ଣ ତା’ଙ୍କ ବିରୁଦ୍ଧରେ ଯିବ! ତାଙ୍କରି ମୁହଁରୁ ବାହାରିଥିଲା ଯେ ଭିଡିଓ କ୍ୱାଲିଟି ଭଲ ନାହିଁ, ପୋଷ୍ଟମଟମ ରିପୋର୍ଟରେ ମୃତୁ୍ୟର ସମୟ ଉଲ୍ଲେଖ କରାଯାଇନି, ଫଟୋରୁ ଜଣା ପଡୁଛି ଯେ ଶରୀରରେ କ୍ଷତ ଅଛି, ଆଉରି କେତେ କ’ଣ ପରୀକ୍ଷା ହେବା କଥା ଇତ୍ୟାଦି ଇତ୍ୟାଦି.. ।
ପାଖ ଲୋକମାନେ କହିଲେ ଚାବି ତିଆରିକଲାବାଲାକୁ କାହିଁକି ଘର ଭିତରକୁ ଝାଙ୍କିବାକୁ କିଏ ଜଣେ ମନା କଲା? ବେକରେ ପଙ୍ଖାରୁ ଝୁଲୁଥିବା ଲୁଗାଦାଗ ଜାଗାରେ କୁକୁର ବେକରେ ଥିବା ନାଲି ଚମଡା ବେଲ୍ଟଦାଗ, ଗୋଡ ଫୁଲିଥିଲା ଏବଂ ଭାଙ୍ଗିଥିଲା ପରି ଲାଗୁଥିଲା, ରାତି ବାରଟାରେ ତରବରିଆ ଭାବରେ ପୋଷ୍ଟମଟମ ସାରି ଶବସତ୍କାର କାହିଁକି ହେଲା? ମହାରାଷ୍ଟ୍ର ପୁଲିସ ବିହାର ପୁଲିସକୁ ସହଯୋଗ ପରିବର୍ତ୍ତେ ଅସହଯୋଗ କରି କ୍ୱାରାଂଟାଇନ୍ କାହିଁକି କଲେ? କଥାକଥା କେ ସଞ୍ଜୟ ରାଓତ, ଶରତ ପାୱାର ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପରି ଦିଗ୍ଗଜ ନେତାଙ୍କର ପ୍ରତିକ୍ରିୟା ମୂଳକ ବୟାନବାଜି କାହିଁକି ହେଉଥିଲା?
ଘରେ ଯେଉଁମାନେ ଥିଲେ ସେମାନେ ପାର୍ଟି ବିଷୟରେ କ’ଣ କହିଲେ? କେଉଁ କେଉଁମାନେ ସବୁ ସେ ପାର୍ଟିରେ ଯୋଗ ଦେଇଥିଲେ । ସୁଶାନ୍ତ ପଇସା ଡ୍ରଗ ପେଡାଲର୍ ଆକାଉଁଟ୍ରୁ ରିୟା ଚକ୍ରବର୍ତ୍ତି ମାଆ ଆକାଉଁଟ୍କୁ କାହିଁକି ଯାଉଥିଲା? ଏମିତି ଅନେକ କଥା ଯାହା ଲୋକ ଲୋଚନକୁ ପ୍ରଥମରୁ ଆସିଥିଲା ଅନେକ ବିଶ୍ୱାସ କରନ୍ତି ଯେ ଏହା ଏକ ହତ୍ୟା ଘଟଣା । ଆଦୌ ଆତ୍ମହତ୍ୟା ନୁହେଁ । ଏତିିକି ବେଳକୁ ସାଂସଦ ସୁବ୍ରମନିୟମ୍ ସ୍ୱାମୀଙ୍କ ବୟାନ ଦେଇ କହିଲେ ଯେ ତାଙ୍କୁ ବି ଲାଗୁଛି ଯେ ସୁଶାନ୍ତର ହତ୍ୟା ହୋଇଛି । ବିଗତ ଦିନରେ ସୁବ୍ରମନିୟମ ସ୍ୱାମୀ ଯାହା କହିଛନ୍ତି ସେୟା ହୋଇଛି । କହିଥିଲେ ଶ୍ରୀଦେବୀଙ୍କ ହତ୍ୟା କଥା ଯାହା ପ୍ରାମାଣିତ ହେଲା ।
ହତ୍ୟାକାରୀ ଧରା ପଡିବା ନପଡିବା ଅଲଗା କଥା । କିନ୍ତୁ ସୁଶାନ୍ତ ଘଟଣାରେ ଲୋକମାନେ ଯେତେବେଳେ ଶୁଣିଲେ କେସ୍ ସିବିଆଇକୁ ତଦନ୍ତ କରିବା ଲାଗି ହସ୍ତାନ୍ତର ହୋଇଗଲା, ବିହାରରେ ମିଠାଇ ବାଂଟିଲେ । ଦିଲ୍ଲୀରେ ସୁଶାନ୍ତର ହତ୍ୟାକାରୀକୁ ଫାଶି ହୋଇଗଲା ପରି ବାଜାବଜେଇ ଭାଲୁ ନାଚ ନାଚିଲେ । କିନ୍ତୁ ସେମାନେ ଭୁଲିଗଲେ ଯେ ସିବିଆଇ ଏମିତି ଅନେକ କେସ୍କୁ ତଦନ୍ତ କରିବାକୁ ହାତକୁ ନେଇଛି । ଆମ ଭାରତ ଏକ ଅନୋଖା ଦେଶ, ଯେଉଁଠି ଦୋଷୀଟିଏ ଦଣ୍ଡପାଇବା ବଡ କଷ୍ଟ ।
ଆଜି ପର୍ଯ୍ୟନ୍ତ ସିବିଆଇ ତଦନ୍ତ କରିଥିବା କେସ୍ ଗୁଡିକରେ କେବଳ ମାତ୍ର ସତେଇଶ ପ୍ରତିଶତ ସମାଧାନ ଆସିଛି ଯେଉଁଥିରେ ଦୋଷୀକୁ ସଜ୍ଜା ହୋଇ ପାରିଛି, ବାକି ତେସ୍ତରି ପ୍ରତିଶତ ନିଦେ୍ର୍ଦାଷରେ ଖଲାସ । ସଲମାନ୍ ଖାଁଙ୍କର ହିଟ୍ ଆଣ୍ଡ ରନ୍ କେସ୍ରେ ତିନିବର୍ଷ ଲାଗିଗଲା କେବଳ ମାତ୍ର ଏତିକି ଜାଣିବା ପାଇଁ ଯେ ସେ ଗାଡି ସଲମାନ୍ ଖାଁ ଚଳାଉ ନଥିଲେ, ତା’ଙ୍କ ଚାଳକ ଚଳାଉଥିଲେ । ଆମ ଓଡିଶାରେ ସେମିତି ଗଣ୍ଡାଗଣ୍ଡା କେସ୍ ସିବିଆଇ ହାତକୁ ଯାଇ ଫୁରୁସି ଗଲା, ଏବେ ବି କିଛି ଥଣ୍ଡାବସ୍ତାରେ ପଶିକି ଅଛି । ପୁଣି ନିର୍ବାଚନ ଆସିଲେ ମୁଣି ଖୋଲିବେ । କିନ୍ତୁ ଲୋକେ ସବୁ ଚାଲାକ ହେଲେଣି, ସବୁ ବୁଝୁଛନ୍ତି ।
ହାତରସ ଘଟଣାରେ ବଳତ୍କାର ହେଉ କି ନହେଉ ରାଜନେତାଙ୍କ ବୟାନ ବାଜି କୁ ବାଦ ଦେଲେ ଏକ ନିରୀହ ଯୁବା ମହିଳାର ହତ୍ୟା ହେବା କଥା ତ କେହି ଅସ୍ୱୀକାର କରିପାରିବେନି । ଗୃହ ମନ୍ତ୍ରାଳୟର ୧୯୯୪ମସିହାର ରିପୋର୍ଟ ଅନୁସାରେ ପ୍ରତି ୫୧ମିନିଟରେ ଜଣେ ମହିଳାର ଯୌନ ଶୋଷଣ ହେଉଥିଲା, ପ୍ରତି ୫୪ମିନଟରେ ଏକ ମହିଲାର ବଳତ୍କାର ହେଉଥିଲା ଏବଂ ପ୍ରତି ୧୦୪ମିନିଟରେ ଭାରତରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ମାରି ଦିଆଯାଉଥିଲା । ଏ ସଂଖ୍ୟା ଯଦିଓ କିଛି ମାତ୍ରାରେ କମିଛି ତଥାପି ଆଖିଦୃଷ୍ଟିଆ ଭାବରେ କମିନାହିଁ । ବରଂ ମହିଳାଙ୍କ ଉପରେ ଅତ୍ୟାଚାରରେ ବର୍ଷକୁ ବର୍ଷ ପାଂଚ ଛଅ ପ୍ରତିଶତ ବଢିବାରେ ଲାଗିଛି ।
୨୦୧୯ମସିହା ରେକର୍ଡକୁ ବିଶ୍ଲେଷଣ କଲେ ଜଣାଯାଏ ପ୍ରତି ଦିନ ୮୭ଜଣ ମହିଳାଙ୍କର ବଳତ୍କାର ହୋଇଛି । ଏ ସବୁ ତ ସରକାରୀ ସଂଖ୍ୟା, ପ୍ରକୃତ ସଂଖ୍ୟା ଏହାଠାରୁ ଢେର ଅଧିକା ନିଶ୍ଚିତ ଥିବ । ଲଜ୍ଜା ସରମ କାରଣରୁ ଅନେକ ଥାନାକୁ ଆସିବାକୁ ଡରୁଥିବେ । କଥା କଥାକେ ଆମେ କହୁଛେ ଆଜିକାଲି ପୁଅଝିଅ ଭିତରେ କିଛି ଫରକ ନାହିଁ । କିନ୍ତୁ ବାସ୍ତବରେ କଣ ସେୟା! ମୋର କେଉଁ ଏକ ସିନେମା କଥା ମନେ ପଡୁଛି ଯେଉଁଥିରେ ବିବାହର କିଛି ଦିନ ପରେ ଶାଶୂଘର ଲୋକେ ଜାଣିବାକୁ ପାଇଲେ ଯେ ତା’ଙ୍କ ବୋହୂକୁ କିଏଜଣେ କେତେବର୍ଷ ତଳେ ବଳତ୍କାର କରିଥିଲା ଏବଂ ସିଏ ତା ବରୁଦ୍ଧରେ ଥାନାରେ ଅଭିଯୋଗ କରି ମକଦ୍ଦମା ଦାୟେର କରିଥିଲେ ।
ସେହିଦିନ ଶାଶୂ ସମୂଦୁଣିକୁ ଡାକି ବୋହୂକୁ ତା’ଙ୍କ ଘରୁ ନେଇଯିବାକୁ କହି କହିଲେ, ‘ବୋହୂଟା ଅଇଁଠା ହୋଇଯାଇଛି । ଗୋଟିଏ ପାତ୍ରରେ ଜଣେ ଖାଇସାରିଲା ପରେ ଆଉଜଣେ କେମିତି ଖାଇବ? ଏ’ପର୍ଯ୍ୟନ୍ତ ମୋ ପୁଅ କାହାର ନାହିଁ କାହାର ଅଇଁଠା ପତ୍ରରେ ଖାଉଥିଲା, ଆମେ କେହି ଜାଣି ପାରିଲୁନି । ମାସ ଗୋଟାକରେ ଅନ୍ୟଜାଗାରେ ବାହା କରିବି ।’ ସେହି ଏକା କଥା ଯଦି ପୁଅ ସାଙ୍ଗରେ ହୁଏ! ଅନେକ ପୁଅ ବିବାହ ପୂର୍ବରୁ ଅନେକ ଝିଅଙ୍କ ସହ ଯୌନ ସମ୍ପର୍କ ରଖିଥାନ୍ତି, କିନ୍ତୁ ପୁଅ ତ ପିତ୍ତଳ ମାଠିଆ । ମାଜିମୁଜି ଦେଲେ ଯୋଉ ଚିକ୍କଣ କୁ ସେହି ଚିକ୍କଣ । ଝିଅ ମାଟିପାତ୍ର, ଭାଙ୍ଗିଗଲେ ଖପରା । ଆଉ ଯୋଡିହେବନି । ଏ ଆଧୁନିକ ଭାରତୀୟ ସମାଜର ମଧ୍ୟ ଏହି ମାନସିକତା ।
ମହିଳାଙ୍କୁ ସୁରକ୍ଷା ଦେବାକୁ ଆମ ଦେଶରେ ଅନେକ କାନୁନ ଅଛି । କିନ୍ତୁ କୌଣସି ଗୋଟିଏ ଭଲ ଭାବରେ କାର୍ଯ୍ୟକାରୀ ହେଉନାହିଁ । ଆମର ଦୁର୍ଭାଗ୍ୟ ହେଲା ଅଂଗ୍ରେଜ ଲୋକ ଆମପାଇଁ ଯେଉଁ କାନୁନ ୧୮୬୦ ମସିହାରେ ତିଆରି କରିଥିଲେ ତା’କୁ ୧୯୭୮ରେ ଆମେ ବଦଳେଇଲେ । ଶହେ ବର୍ଷ ଉପରେ ସେହି କାନୁନ ସାହାଯ୍ୟରେ ଦେଶକୁ ପେଲିନେଲେ । ଏମିତି ଅନେକ ପୁରୁଣା ନିୟମ ଏହି ଦୁଇଦଶନ୍ଧି ଭିତରେ ନବ କଳେବର ହେବାର ଦେଖା ଦେଉଛି ଯାହା କି ବହୁ ମାତ୍ରାରେ ତୃଟିପୂର୍ଣ୍ଣ ଥିଲା । ଆଶା କରାଯାଏ ଯେ ଆଗକୁ ଏକ ଦଶନ୍ଧି ଭିତରେ ସବୁ ନିୟମାବଳୀର ସଂଶୋଧନ ହେଲେ ଅପରାଧ ମାତ୍ରା କମିବ କି ନାହିଁ ସମୟ କହିବ । ହେଲେ ବୈଦୁତିକ ଗଣମାଧ୍ୟମ ଗୁଡିକର ପ୍ରଚାର ପ୍ରସାର ଢଙ୍ଗରଙ୍ଗ ନ ବଦଳିଲେ ସମାଜର ଅପର୍ଯ୍ୟାପ୍ତ କ୍ଷତି ହେବ । କିଛି ରାଜନେତାମାନେ ତ ବେକାର ଥିବାରୁ ଦଙ୍ଗା ଚାହୁଁଛନ୍ତି, କିନ୍ତୁ କିଛି ଗଣମାଧ୍ୟମ ସେମାନଙ୍କ ସପକ୍ଷରେ ମତାମତ ବାରମ୍ବାର ପ୍ରସାରିତ କରି ନିଆଁରେ ଘିଅ ଢାଳିବା କାମ କରୁଛନ୍ତି । ଏଥିରେ ଅଂକୁଶ ଲାଗିବା ଅନିବାର୍ଯ୍ୟ ।