Odisha news

ଜୀବନ ବାଜିରେ ହାରିନାହାନ୍ତି ଭିନ୍ନକ୍ଷମ ଅଭୟ, ସ୍ୱାବଲମ୍ବି ହୋଇ ଅନ୍ୟପାଇଁ ସାଜିଛନ୍ତି ଉଦାହରଣ

0

ହାଟଡ଼ିହି : ଜୀବନ ବାଜିରେ ହାରି ଯାଇ ନାହାନ୍ତି ବଳଭଦ୍ରପୁର ଗ୍ରାମର ଅଭୟ ସେଠୀ । ୪୫ବର୍ଷରେ ପାଦ ଥାପିଥିବା ଅଭୟ ଦୁଇ ଗୋଡ ହରାଇ ଭିନ୍ନକ୍ଷମ ଜୀବନ ଅତିବାହିତ କରୁଥିଲେ ମଧ୍ୟ ନିଜେ ସ୍ୱାବଲମ୍ବୀ ହୋଇ ନିଜର ପରିବାର ବୋଝକୁ କାନ୍ଧରେ ବୋହି ଚାଲିଛନ୍ତି । ନିଜ ଗୋଡରେ ନିଜେ ଠିଆହୋଇ ସେ ଆଜି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଅଭୟ କୁମାର ସେଠୀ । ଜନ୍ମ ହେବାର ଏକବର୍ଷ ପରେ ସେ ପୋଲିଓ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସେତେବେଳେ ଅଧିକ ଚିକିତ୍ସା ପାଇଁ ବାପା ମା ବଡଡାକ୍ତର ପାଖକୁ ନେଇ ପାରି ନଥିଲେ । ଫଳରେ ସେ ହୋଇ ଯାଇଥିଲେ ଭିନ୍ନକ୍ଷମ । ଚାଲିବା ପାଇଁ ଗେଡରେ ଶକ୍ତି ନଥିଲା । ବହୁ କଷ୍ଟରେ ସ୍କୁଲକୁ ଯିବା ଆସିବାକରି ମାଟ୍ରିକ ପାସ କରିବାପରେ ଗାଡିର ସୁବିଧା ନଥିବା ଓ ପରିବାରର ଆର୍ଥିକ ସ୍ୱଚ୍ଛଳତା ନଥିବାରୁ ସେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିଲେ ।

ବିବାହ ପରେ ପରେ ଅନ୍ୟ କାନ୍ଧରେ ବୋଝ ନହୋଇ ସେ ନିୟମିତ ଶାଳଣିଆଁ ବଜାରକୁ ବୁଲିବାକୁ ଆସୁ ଆସୁ ଏକ ସାଇକେଲ ଦୋକାନରେ ବସି ସମୟ କଟାଇବା ବାହାନାରେ ସାଇକେଲ ମରାମତି ପାଇଁ ମନ ବଳାଇଥିଲେ । ଶାଳଣିଆଁ ବଜାରରେ ସାଇକେଲ ଦୋକାନ କରିଥିବା ମାୟାଧର ସାହୁ ତାଙ୍କୁ ଆପଣେଇ ନେଇ ନିଜ ଦୋକାନରେ ରଖି କାମ କରାଇବାପରେ ଅଭୟ ଜଣେ ଭଲ ମିସ୍ତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଏପରିକି ସେ ମାୟାଧରଙ୍କ ଠାରୁ ତିନିହଜାର କରି ମାସିକ ପାରିଶ୍ରମିକ ପାଇ ନିଜ ପରିବାର ଚଳାଇ ପାରୁଛନ୍ତି । ଏକ ଟ୍ରାଇ ସାଇକେଲ ଯୋଗେ ସେ ନିୟମିତ ବଜାର ପର୍ଯ୍ୟନ୍ତ ଦୁଇ କିଲୋମିଟର ଦୁର ଆସି ସାଇକେଲ ଓ ମୋଟର ସାଇକେଲ ମରାମତି କରି ଲୋକଙ୍କ ପ୍ରୀୟପାତ୍ର ହୋଇପାରିଛନ୍ତି । ଘରେ ନିଜର ମା ପଞ୍ଚାଳୀ ସେଠୀ ପକ୍ଷାଘାତ ରୋଗରେ ପିଡିତ ଥିବାବେଳେ ବାପା ବୁଲା ସେଠୀ ବୟସାଧିକ ରୋଗରେ ଘରେ ବସି ରହିଛନ୍ତି । ନିଜର ଦୁଇ ଝିଅ ଓ ସ୍ତ୍ରୀ ଏହିପରି ୬ପରାଣି କୁଟୁମ୍ବଙ୍କ ବୋଝକୁ ନିଜ କାନ୍ଧରେ ବୋହି ବାଟ ଚାଲିଛନ୍ତି । ଦୁଇ ଝିଅଙ୍କ ମଧ୍ୟରୁ ବଡଝିଅ ଯୁକ୍ତ୩ରେ ପଢ଼ୁଥିବାବେଳେ ସାନଝିଅ ୭ମ ଶ୍ରେଣୀର ଛାତ୍ରୀ ।

ଏପରି ଅବସ୍ଥାରେ ସେ ସରକାରଙ୍କ ଠାରୁ କେବଳ ୫ଶହ ଟଙ୍କାର ଭତ୍ତା ଓ ୨୦କେଜି ରାସନ ସାମଗ୍ରୀ ପାଇ ପରିବାରଟିକୁ ଚଳାଇ ନେଉଛନ୍ତି । କେତେବେଳେ କିପରି ନିଜ ସ୍ତ୍ରୀ ମଧ୍ୟ ପରଘରେ କାମ କରି ଯାହା ବି ପାଆନ୍ତି ସେଥିରେ ପରିବାରକୁ ସହାୟ ହୋଇ ଯାଉଛି । ସେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ କେବେ କାହା ପାଖରେ ଆଜି ପର୍ଯ୍ୟନ୍ତ ହାତ ପାତି ନାହାନ୍ତି । ନିଜ ପରିପାର ପାଇଁ ନିଜେ ରୋଜଗାରକ୍ଷମ ହୋଇପାରି ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଯଦି ସରକାରଙ୍କ ପକ୍ଷରୁ କିଛି ଋଣ ମିଳି ପାରନ୍ତା ତେବେ ସେ ନିଜେ ଏକ ସାଇକେଲ ଦୋକାନ କରି ଅଧିକ ରୋଜଗାରକ୍ଷମ ହୋଇ ପାରନ୍ତେ ବୋଲି କହିଛନ୍ତି । ବର୍ତ୍ତମାନ ସମୟରେ ଅନେକ ଯୁବକ ସକ୍ଷମ ଥାଇବି ବେକାର ହୋଇ ବୁଲୁଥିବାବେଳେ ଅଭୟ ସେମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Leave A Reply