ଖଇରା,୯ ।୩ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅର୍ଜୁନପୁର ମଧୁବନ ପଡିଆରେ ଚାଲିଥିବା ୨ଦିନିଆ ରାଜ୍ୟସ୍ତରୀୟ ଶିତ ଉତ୍ସବ ସୋମବାର ସନ୍ଧ୍ୟାରେ କମେଡି,ନାଟକ ଓ ଗୋଟିପୁଅ ନୃତ୍ୟର ତାଳେ ତାଳେ ଉଦ୍ୟାପିତ ହୋଇ ଯାଇଛି । ଓଡିଶା ସଙ୍ଗୀତ ନାଟକ ଏକାଡେମୀ,ଜିଲା ସଂସ୍କୃତି ପରିଷଦ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜନ ଏହି କାର୍ଯ୍ୟକ୍ରମର ପ୍ରତ୍ୟେକଟି ପରିବେଷଣ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ପ୍ରତ୍ୟେକଟି ଅଭିନୟ ଅତ୍ୟନ୍ତ ମନଛୁଆଁ ଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଗୁରୁ ଶାସ୍ୱତ ଯୋଶୀ ଓ ସାଥୀ ମାନଙ୍କର ରଙ୍ଗବତୀ ଗୀତ ସାଙ୍ଗକୁ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା । ସେହିଭଳି ଚିତ୍ରସେନ ସ୍ୱାଇଁ ଓ ସାଥୀଙ୍କ ଗୋଟିପୁଅର ନୃତ୍ୟର ଝଙ୍କାରରେ ଦର୍ଶକ ମତୁଆଲା ହୋଇ ପଡିଥିଲେ । ମଧ୍ୟାନ୍ତର ବିରତିରେ ସଙ୍ଗୀତ ନାଟକ ଏକାଡେମୀର ସଚୀବ ପ୍ରବୋଧ ରଥଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ,ପ୍ରକଳ୍ପ ନିଦେ୍ର୍ଦଶକ ରବିନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗ ଦେଇ କଳା ଓସଂସ୍କୃତିର ମାଟି ବାଲେଶ୍ୱରରେ ଏହିଭଳି କାର୍ଯ୍ୟକ୍ରମ ସଂସ୍କୃତିକୁ ଉଦ୍ଜିବିତ କରିପାରିବ ବୋଲି କହିଥିଲେ । ପରେ ଓଲିଉଡର ପ୍ରଖ୍ୟାତ ହାସ୍ୟଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ ସଂଳାପରେ ଦର୍ଶକ ହସିହସି ବେଦମ ହୋଇଥିଲେ । ସେହିଭଳି ବ୍ୟାସକବି ଫକୀରମୋହନଙ୍କ କାଳଜୟୀ ପୁସ୍ତକ ପେଣ୍ଟେଣ୍ଟ ମେଡିସିନକୁ ଆରାଧନା ଡ୍ୟାନ୍ସଗ୍ରୁପର କଳାକାର ମାନେ ନାଟକରୁପ ଦେଇଥିଲେ । ପ୍ରତ୍ୟେକଟି ଚରିତ୍ରର ନିଖୁଣ ଅଭିନୟ ଅତ୍ୟନ୍ତ ମନଲୋଭା ଥିଲା । ସମସ୍ତ କଳକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଚାଳନା କମିଟିର ସମସ୍ତ ସଦସ୍ୟ ଉତ୍ସବ ଆୟୋଜନରେ ସହଯୋଗ କରିଥିଲେ । ଫଟୋ-ଖଇରା୧-ମଞ୍ଚରେ ପରିବେଶିତ ଗୋଟିପୁଅ ନୃତ୍ୟ,ଖଇରା୨-ଗୁରୁ ଶାସ୍ୱତ ଯୋଶୀଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ
